Home News in Odia ଡେରାଡୁନ ବିମାନ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଡେରାଡୁନ ବିମାନ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁବନେଶ୍ୱର ଓ ଡେରାଡୁନ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ବିମାନସେବା କମ୍ପାନୀମାନଙ୍କ ସହିତ ଆଲୋଚନା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ସିନ୍ଧିଆ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖି ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ଅବଗତ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉ କି ଶ୍ରୀ ସିଂହଦେଓ ଭୁବନେଶ୍ୱରରୁ ଡେରାଡୁନ ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ କରିବାପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

ଶ୍ରୀ ସିନ୍ଧିଆ ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଶ୍ରୀ ସିଂହଦେଓଙ୍କୁ ଅବଗତ କରିବାକୁ ଯାଇ କହିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର ଠାରୁ ପ୍ରତି ସପ୍ତାହରେ ୪୪୨ଟି ବିମାନର ଆଗମନ ଓ ପ୍ରସ୍ଥାନ ହେଉଛି । ସେହିଭଳି ଡେରାଡୁନ ବିମାନବନ୍ଦରରୁ ପ୍ରତି ସପ୍ତାହରେ ୨୮୪ ବିମାନର ଆଗମନ ଓ ପ୍ରସ୍ଥାନ ହେଉଛି । ଏହି ଦୁଇ ବିମାନବନ୍ଦରରେ ଇଣ୍ଡିଗୋ, ଆଲାଏନ୍ସ ଏୟାର, ଏୟାରଇଣ୍ଡିଆ, ସ୍ପାଇସ୍‍ଜେଟ୍‍, ଭିସ୍ତାରା ଓ ଏୟାରଏସିଆ ଭଳି ବିମାନ ସେବା କମ୍ପାନୀର ବିମାନ ଚଳାଚଳ କରୁଛି । ଭୁବନେଶ୍ୱରରୁ ଅହମ୍ମଦାବାଦ, ପ୍ରୟାଗରାଜ, ବେଙ୍ଗାଲୁର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକତା, ମୁମ୍ବାଇ, ରାଞ୍ଚି, ବନାରସ, ସୁରଟ ଓ ଝାରସୁଗୁଡାକୁ ବିମାନ ଚଳାଚଳ କରୁଛି ।

କେନ୍ଦ୍ର ସରକାର ଏୟାର କର୍ପୋରେସନ ଆଇନ୍‍କୁ ବାତିଲ କରିବାପରେ ଏବେ ଭାରତରେ ବିମାନ ଚଳାଚଳ ନିଷ୍ପତ୍ତି ବ୍ୟବସାୟକୁ ଦୃଷ୍ଟିରେ ରଖି ବିମାନସେବା କମ୍ପାନୀମାନେ ପଦକ୍ଷେପ ନେଉଛନ୍ତି । ତେଣୁ ଭୁବନେଶ୍ୱରରୁ ଡେରାଡୁନକୁ ବିମାନ ଚଳାଇବାପାଇଁ ଦାବି ହେଉଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ବିମାନ ସେବା କମ୍ପାନୀମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି ।

ଏହାଛଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଏଭଳି ଦାବି ସଂକ୍ରାନ୍ତରେ ମଧ୍ୟ ଅବଗତ କରାଯାଇଛି । ସେମାନେ ଭୁବନେଶ୍ୱରରୁ ଡେରାଡୁନକୁ ସିଧାସଳଖ ବିମାନ ସେବାରେ ଯୋଡିବାପାଇଁ ବିମାନସେବା କମ୍ପାନୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ । କେନ୍ଦ୍ର ସରକାର ଏ କ୍ଷେତ୍ରରେ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇଦେବେ ।

ବିମାନସେବା କମ୍ପାନୀମାନେ ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ବିମାନସେବା ଆରମ୍ଭ କରିବା ଉପରେ ନିଷ୍ପତ୍ତି ନେଉଛନ୍ତି । ଯେହେତୁ ଏହି ଦୁଇ ବିମାନବନ୍ଦରରେ ଦେଶର ପ୍ରାୟ ସମସ୍ତ ବିମାନସେବା କମ୍ପାନୀ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି ତେଣୁ ଏହି ଦୁଇ ପର୍ଯ୍ୟଟନକେନ୍ଦ୍ରକୁ ଯୋଡିବାପାଇଁ ଯୁକ୍ତିସଙ୍ଗତ ଦାବି ରହିଛି ବୋଲି ବରିଷ୍ଠ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ଏଠାରେ ଉଲ୍ଲେଖ ଥାଉକି କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟର ରାଜଧାନୀକୁ ବିମାନସେବା ମାଧ୍ୟମରେ ଯୋଡିବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନଭେମ୍ବର ପହିଲାରୁ ରାଜସ୍ଥାନର ରାଜଧାନୀ ସହିତ ଓଡିଶାର ରାଜଧାନୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ଏହାଛଡା ଜଗନ୍ନାଥଧାମକୁ ବଦ୍ରୀନାଥଧାମ ସହିତ ଯୋଡିବା ସଂଗେ ସଂଗେ ମହାପ୍ରଭୁ ଲିଙ୍ଗରାଜଧାମକୁ କେଦାରନାଥ ସହିତ ଯୋଡିବାପାଇଁ ପର୍ଯ୍ୟଟକ ଓ ଭକ୍ତମାନଙ୍କ ପକ୍ଷରୁ ହେଉଥିବା ଦାବିକୁ ଲକ୍ଷ୍ୟକରି ଶ୍ରୀ ସିଂହଦେଓ ଇତି ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧମିଙ୍କୁ ମଧ୍ୟ ପତ୍ରଲେଖି ଏଥିପାଇଁ ଉଦ୍ୟମ ଲାଗି ଅନୁରୋଧ କରିଛନ୍ତି । (ତଥ୍ୟ)