Home Health ଡେଙ୍ଗୁ ଭୟରେ ଚୋବାଇଲେଣି ଅମୃତଭଣ୍ଡା ପତ୍ର

ଡେଙ୍ଗୁ ଭୟରେ ଚୋବାଇଲେଣି ଅମୃତଭଣ୍ଡା ପତ୍ର

ଭୁବନେଶ୍ୱର : ଡେଙ୍ଗୁ ମୁକାବିଲା ପାଇଁ ଅମୃତଭଣ୍ଡା ପତ୍ର ରାମବାଣ ବୋଲି ପ୍ରଚାର ହେବାପରେ ଏବେ ଲୋକେ ମନଇଚ୍ଛା ଏହା ଖାଇବାରେ ଲାଗିଛନ୍ତି । କାଳେ ଡେଙ୍ଗୁ ହେବ ସେହି ଭୟରେ ଲୋକେ ଖାଲି ଅମୃତଭଣ୍ଡା ଗଛରୁ କଅଁଳିଆ ପତ୍ର ଆଣି ଚୋବାଉ ନାହାନ୍ତି କଞ୍ଚା, ପାଚିଲା ଅମୃତଭଣ୍ଡାକୁ ଆଣି ଚୋପା ସହିତ ଖାଇବାରେ ଲାଗଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ରାଜଧାନୀରେ ଲୋକେ ନିଜ ନିଜ ବାଡିରେ ଥିବା ଛୋଟ ଛୋଟ ଅମୃତଭଣ୍ଡା ଗଛକୁ ଜଗିବା ଆରମ୍ଭ କଲେଣି ।

ଡେଙ୍ଗୁରୋଗୀଙ୍କୁ ଜ୍ୱର ଛାଡିଲା ବେଳକୁ ସୋମାନଙ୍କ ଶରୀରରେ ଥିବା ପାଟ୍‍ଲେଟ୍‍ ହ୍ରାସ ପାଉଛି । ଏହା ବଢାଇବାପାଇଁ ଆର‌୍ୟୁବେଦିକ ଚିକିତ୍ସକମାନେ ଅମୃତଭଣ୍ଡା ପତ୍ରର ରସ ସେବନ ପାଇଁ ପରାମର୍ଶ ଦେଉଛନ୍ତି । ସେହିଭଳି ଡେଙ୍ଗୁ ଚିକିତ୍ସାପାଇଁ ବଜାରରେ ମିଳୁଥିବା କେତେକ ଆର‌୍ୟୁବେଦିକ ଔଷଧରେ ବି ଅମୃତଭଣ୍ଡାପତ୍ରର ଦ୍ରବଣ ଥିବା ଦେଖିବାକୁ ମିଳୁଛି । ତେଣୁ ଲୋକେ ଏବେ ଅମୃତଭଣ୍ଡା ପତ୍ରର ରସ ସେବନ ପାଇଁ ଆଗ୍ରହୀ । ଏହା ବ୍ୟତିତ କିଛି ଲୋକେ ବି ଇଣ୍ଟରନେଟ୍‍ରୁ ଡେଙ୍ଗୁ ମୁକାବିଲାରେ ଅମୃତଭଣ୍ଡାପତ୍ରର ରସ ସଂକ୍ରାନ୍ତରେ ସୂଚନା ସଂଗ୍ରହ କରି ସେବନ କରୁଛନ୍ତି ।

ତେବେ ଡେଙ୍ଗୁ ରୋଗୀ ଯେତିକି ଅମୃତଭଣ୍ଡାପତ୍ର ଆବଶ୍ୟକ କରୁନାହାନ୍ତି ତାହାଠାରୁ ଅଧିକ ପତ୍ର ଖୋଜୁଛନ୍ତି ଡେଙ୍ଗୁ ଭୟରେ ଛାନିଆ ହେଉଥିବା ଲୋକେ । କାଳେ ଡେଙ୍ଗୁ ହୋଇଯିବ ତେଣୁ ଆଗୁଆ ଅମୃତଭଣ୍ଡା ପତ୍ରର ରସ ପିଉଛନ୍ତି । ଏଥିପାଇଁ ଯାହା ବାଡିରେ ଅମୃତଭଣ୍ଡା ଗଛ ଦେଖୁଛନ୍ତି ତାହାର କଅଁଳିଆ ପତ୍ରକୁ ନେଇ ଯାଉଛନ୍ତି । କିଛି ଲୋକ ତ ନିମ୍ବ ଓ ବେଲପତ୍ର ଭଳି ସକାଳୁ ଉଠି ଅମୃତଭଣ୍ଡାପତ୍ର ଚୋବାଇବା ଆରମ୍ଭ କରିଛନ୍ତି । ତେଣୁ ରାତି ପାହିଲା ବେଳକୁ ଫୁଲ ଚୋରାଇବା ଭଳି କିଛି ଲୋକଙ୍କ ବାଡିରୁ ଏବେ ଅମୃତଭଣ୍ଡା ଗଛର ପତ୍ର ଚୋରିହେବାରେ ଲାଗିଛି । ଏହାକୁ ଦେଖି ଲୋକେ ଏବେ ନିଜ ନିଜ ବାଡିରେ ଥିବା ଅମୃତଭଣ୍ଡା ଗଛକୁ ଜଗିବା ଆରମ୍ଭ କରିଛନ୍ତି ।

ତେବେ ଏଲୋପାଥିକ ଡାକ୍ତରଙ୍କ ମତରେ ବର୍ତ୍ତମାନ ସୁଦ୍ଧା ଅମୃତଭଣ୍ଡା ପତ୍ରର ରସ ଦ୍ୱାରା ଡେଙ୍ଗୁ ଭଲ ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ତେଣୁ ଏ ନେଇ ପରାମର୍ଶ ଦେବାର ଅବକାଶ ବି ନାହିଁ । ଏଲୋପାଥିକ ଡାକ୍ତରମାନେ ଡେଙ୍ଗୁ ରୋଗୀଙ୍କୁ କେବଳ ଏଲୋପାଥିକ ଔଷଧ ହିଁ ଲେଖିଥାନ୍ତି । ତେବେ ଜଣେ ସୁସ୍ଥରୋଗୀଙ୍କ ଶରୀରରେ ଯଦି କୌଣସି କାରଣରୁ ପାଟେଲେଟ୍‍ ବୃଦ୍ଧିପାଏ ସେଥିରେ କିଛି କ୍ଷତି ନାହିଁ ବୋଲି ମତ ଦେଉଛନ୍ତି ।

କେବଳ ଅମୃତଭଣ୍ଡା ଗଛର କଅଁଳିଆ ପତ୍ର ନୁହେଁ, କିଛି ଲୋକ ଡେଙ୍ଗୁ ଭୟରେ ବଜାରରୁ ପାଚିଲା ଅମୃତଭଣ୍ଡା ଆଣି ତାହାକୁ ଚୋପା ସହିତ ଖାଇବା ଆରମ୍ଭ କରିଛନ୍ତି । ଅମୃତଭଣ୍ଡା ପତ୍ରର ରସ ଓ ଅମୃତଭଣ୍ଡା ଚୋପା ନେଇ ଗୁଜବ ଏତେ ଜୋରରେ ପ୍ରଚାର ହେଉଛି ଯେ ରାତି ପାହିଲେ ଲୋକେ ଏବେ ଅମୃତଭଣ୍ଡା ଗଛ ଖୋଜିବା ଆରମ୍ଭ କରିଛନ୍ତି । କିଏ ରସ ବାହାର କରି ପିଉଛି ତ ଆଉ କିଏ କଞ୍ଚାପତ୍ର ଚୋବାଇ ଯାଉଛି । ରାଜ୍ୟ ସରକାର ଡେଙ୍ଗୁ ମୁକାବିଲା ସଚେତନତା ସହିତ ଲୋକଙ୍କୁ କଞ୍ଚା ଅମୃତଭଣ୍ଡାପତ୍ର ଓ ଅମୃତଭଣ୍ଡା ଚୋପା ଖାଇବା ସଂକ୍ରାନ୍ତରେ ସଚେତନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)