Home Election ଡି ଏସ କୁଟ୍ଟେ ନିଲମ୍ବିତ

ଡି ଏସ କୁଟ୍ଟେ ନିଲମ୍ବିତ

ଭୁବନେଶ୍ୱର : ୧୯୯୭ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ଡି.ଏସ୍‍.କୁଟ୍ଟେଙ୍କୁ ନିଲମ୍ବନ ପାଇଁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବେଆଇନ୍‍ ଭାବେ ହସ୍ତକ୍ଷେପ କରିଥିବାରୁ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖାଯାଇଛି ।

ଶ୍ରୀ କୁଟ୍ଟେ ଏବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସ୍ୱତନ୍ତ୍ର ସଚିବ ପଦବୀରେ ଥିବାବେଳେ ତାଙ୍କୁ ତୁରନ୍ତ ନିଲମ୍ବନ ସହିତ ଆସନ୍ତା କାଲି ଅର୍ଥାତ୍‍ ମଇ ୨୯ତାରିଖ ଅପରାହ୍ନ ୩ଟା ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ଆବାସିକ ଆୟୁକ୍ତ (ରେସିଡେଣ୍ଟ କମିଶନର)ଙ୍କ ଦପ୍ତରରେ ଯୋଗଦେବାପାଇଁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ନିର୍ବାଚନ କମିଶନ ମଧ୍ୟ ୨୦୧୦ ବ୍ୟାଚ୍‍ ଆଇପିଏସ୍‍ ଅଫିସର ଆଶିଷ ସିଂହଙ୍କ ସ୍ୱାସ୍ଥାବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‍ସକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର ଏମସ୍‍ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷାକରି ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଲାଗି କୁହାଯାଇଛି ।

ଏମ୍‍ସ ପକ୍ଷରୁ ଏଥିପାଇଁ ମେଡିକାଲ ବୋର୍ଡ ଗଠନ ସହିତ ଶ୍ରୀ ସିଂହଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ମଇ ୩୧ତାରିଖ ପୂର୍ବରୁ କମିଶନଙ୍କୁ ପ୍ରଦାନ ଲାଗି କୁହାଯାଇଛି । ଉଲ୍ଲେଖନୀୟ ଯେ ପୂର୍ବରୁ ନିର୍ବାଚନ କମିଶନ ଶ୍ରୀ ସିଂହଙ୍କୁ ବଦଳି ନିର୍ଦ୍ଦେଶ ଦେବାପରେ ତାଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ପଦବୀରୁ ହଟାଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି ।

ସେହିଭଳି ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ଏବଂ ଇଭିଏମ୍‍ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।