Home Judiciary ଡିମୋନଷ୍ଟ୍ରେଟର ପାଇବେ ୟୁଜିସି ବେତନ

ଡିମୋନଷ୍ଟ୍ରେଟର ପାଇବେ ୟୁଜିସି ବେତନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଗୁଡିକର ଡିମୋନ୍‍ଷ୍ଟ୍ରେଟରମାନେ ୟୁଜିସି ହାରରେ ବେତନ ପାଇବାକୁ ହକ୍‍ଦାର ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମ୍‍କୋର୍ଟ ମୋହର ବସାଇଛନ୍ତି । ଏହାର ଅନୁପାଳନ କରାନଗଲେ ବିଭାଗୀୟ ଶାସନ ସଚିବଙ୍କୁ ଅଦାଲତ ଅବମାନନା ମାମଲାରେ ଛନ୍ଦି ହେବାକୁ ପଡିପାରେ ।

ରାଜଧାନୀ କଲେଜର ଜଣେ ଅବସରପ୍ରାପ୍ତ ଡିମୋନ୍‍ଷ୍ଟ୍ରେଟର ସୁରେନ୍ଦ୍ର ନାଥ ମିଶ୍ରଙ୍କ ପକ୍ଷରୁ ୟୁଜିସି ହାରରେ ବେତନ ପାଇଁ ପ୍ରାର୍ଥନା କରି ରୁଜୁ ମାମଲା ଉପରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‍କୋର୍ଟ କାଏମ ରଖିବା ସହିତ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ସ୍ପେଶାଲ୍‍ ଲିଭ୍‍ ପିଟିସନ୍‍କୁ ଗତକାଲି ଖାରଜ କରି ଦେଇଛନ୍ତି । ସୁପ୍ରିମ୍‍କୋର୍ଟର ଅନ୍ୟତମ ବିଚାରପତି ବି. ଆର୍‍. ଗଭାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ନୂଆବର୍ଷର ପଞ୍ଚମ ଦିନରେ ଏଭଳି ଆଦେଶ ଶୁଣାଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ବିଭାଗରେ ନିଯୁକ୍ତ ଡିମୋନ୍‍ଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ପ୍ରଦାନ ପାଇଁ ବିଧିବ୍ୟବସ୍ଥା ଥିବାବେଳେ ଓଡିଶାରେ ଏହା ଦିଆଯାଉନଥିଲା । ରାଜଧାନୀ କଲେଜର ଶିକ୍ଷା ବିଷୟରେ ଡିମୋନ୍‍ଷ୍ଟ୍ରେଟର ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିବା ସୁରେନ୍ଦ୍ର ନାଥ ମିଶ୍ର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସ୍ୟାଟ୍‍ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍‍ ଉଚ୍ଛେଦ ହେବାପରେ ଏହି ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଶ୍ରୀ ମିଶ୍ରଙ୍କ ରିଟ୍‍ ଆବେଦନକୁ ଗ୍ରହଣ କରିନେବା ସହ ବିଶ୍ୱବିଦ୍ୟାଳୟଗୁଡିକର ଡିମୋନ୍‍ଷ୍ଟ୍ରେଟରମାନଙ୍କ ପରି ଶ୍ରୀ ମିଶ୍ରଙ୍କୁ ୟୁଜିସି ହାରରେ ବେତନ ଦେବାକୁ ୨୦୨୨ ସେପ୍ଟେମ୍ବର ମାସରେ ରାୟ ଶୁଣାଇଥିଲେ । ଏହା ବିରୁଦ୍ଧରେ ହାଇକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ରିଟ୍‍ ଆପିଲ୍‍ ଗତବର୍ଷ ଏପ୍ରିଲ୍‍ ମାସରେ ଖାରଜ ହୋଇଯାଇଥିଲା । ଅଦାଲତଙ୍କ ରାୟର ଅନୁପାଳନ ହେଉନଥିବାରୁ ଶ୍ରୀ ମିଶ୍ର ଓଡିଶା ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରି ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ କରିଥିଲେ । ଏହି ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ନୋଟିସ୍‍ ଜାରି କରିବା ସହ ଚଳିତମାସ ଦ୍ୱିତୀୟ ସପ୍ତାହରେ ଅଦାଲତ ଅବମାନନା ମାମଲାର ଶୁଣାଣି ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ଆବେଦନକାରୀ ଶ୍ରୀ ମିଶ୍ର ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ଦାଖଲ କରିଥିବା ସ୍ପେଶାଲ୍‍ ଲିଭ୍‍ ପିଟିସନ୍‍ ଗତକାଲି ଖାରଜ ହୋଇଯାଇଥିବା ପରିପ୍ରେକ୍ଷୀରେ ଚଳିତ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ରାୟର ପ୍ରତିପାଳନ ଘେନି କ’ଣ ଉତ୍ତର ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଅଭିଜ୍ଞ ଆଇନଜୀବୀମାନେ କହୁଛନ୍ତି ଯେ ବିଶ୍ୱବିଦ୍ୟାଳୟର ଡିମୋନ୍‍ଷ୍ଟେଟରମାନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୟୁଜିସି ହାରରେ ବେତନ ଦିଆଯାଉଥିବାବେଳେ ରାଜ୍ୟ ସରକାର ତାଙ୍କ ନିଜ ମାମଲା ନୀତିର ଅନୁପାଳନ କରିଥିଲେ ସରକାରୀ କଲେଜ ଗୁଡିକର ଡିମୋନ୍‍ଷ୍ଟ୍ରେଟରମାନଙ୍କୁ ଅଧିକ ମାମଲା ରୁଜୁକରି ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡିନଥାନ୍ତା କିମ୍ବା ସରକାରଙ୍କ ସମୟ, ଶକ୍ତି ଓ ସମ୍ବଳର ମଧ୍ୟ ଅପବ୍ୟୟ ହେଉନଥାନ୍ତା । ରାଜ୍ୟ ସରକାର ପ୍ରଚଳିତ ନିୟମର ନିରପେକ୍ଷ ଅନୁପାଳନ କରିବା ସହ ଅଭିଯୋଗ ଗୁଡିକର ସକାରାତ୍ମକ ଫଇସଲା କଲେ ଅଦାଲତ ଉପରୁ ମାମଲାର ଚାପ କମନ୍ତା ଏବଂ ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀମାନେ ଅଦାଲତ ଅବମାନନା ମାମଲାରେ ଘାଣ୍ଟି ହୁଅନ୍ତେ ନାହିଁ । ସୁରେନ୍ଦ୍ର ନାଥ ମିଶ୍ରଙ୍କ ମାମଲାର ପ୍ରଭାବ ୟୁଜିସି ବେତନହାରରୁ ବଞ୍ôଚତ ଡିମୋନ୍‍ଷ୍ଟ୍ରେଟରମାନଙ୍କ କ୍ଷେତ୍ରରେ ପ୍ରଭାବ ପକାଇ ପାରେ ବୋଲି ମତ ପ୍ରକାଶ ପାଉଛି । (ତଥ୍ୟ)