Home Agriculture ଡିବିଟି ଇନ୍‌ପୁଟ ଓଡ଼ିଶା ପୋର୍ଟାଲର ଶୁଭାରମ୍ଭ

ଡିବିଟି ଇନ୍‌ପୁଟ ଓଡ଼ିଶା ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ ନିମନ୍ତେ ‘ଡିବିଟ୍‌ ଇନ୍‌ପୁଟ୍‌ ଓଡ଼ିଶା ପୋର୍ଟାଲ୍‌’ www.dbtinputodisha.nic.inର ଶୁଭାରମ୍ଭ କରିଥିଲେ । ଆମ ରାଜ୍ୟରେ ଚଳିତ ୨୦୨୧-୨୨ ବର୍ଷ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ କୃଷି ଉପାଦାନ ଯଥା ଅଣୁସାର, ଜୀବାଣୁସାର, କୀଟନାଶକ ଆଦିର କ୍ରୟ ପାଇଁ ଦିଆଯାଉଥିବା ରିହାତିକୁ ଡିବିଟି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ କରାଯିବ ।

ଚାଷୀମାନେ ସରକାରୀ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ କୃଷି ଉପାଦାନ କ୍ରୟ କରିପାରିବେ । ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏହି ବ୍ୟବସ୍ଥାକୁ ପ୍ରସ୍ତୁତ ମୋବାଇଲ୍‌ ଆପ୍‌ ଓ େୱବ୍‌ ପୋର୍ଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହା ଦ୍ୱାରା କୃଷକ କଲ୍ୟାଣକାରୀ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରହିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସାଂପ୍ରତିକ ପରିସ୍ଥିତିରେ ବୃଷ୍ଟିପୁଷ୍ଟ ଉଚ୍ଚ ଓ ମଧ୍ୟମ ଅଞ୍ଚଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ କରିବା ଲାଭଜନକ ହେବ ନାହିଁ । ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଚାଷ ନିମନ୍ତେ ଅଧିକ ଜଳର ଆବଶ୍ୟକତା ପଡ଼ୁଥିବାରୁ କମ୍‌ ପାଣି ଆବଶ୍ୟକ କରୁଥିବା ଅଣଧାନ ଫସଲ ଉପରେ ଗୁରୁତ୍ୱ ଦେବା ଜରୁରୀ ।

ମନ୍ତ୍ରୀ ଡ. ସାହୁ କହିଲେ ଯେ ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଚ୍ଚ ଓ ମଧ୍ୟମ ଜମିରେ ଅଣଧାନ ଚାଷ ଯଥା- ଡାଲି, ତୈଳବୀଜ, ପନିପରିବା, ତନ୍ତୁଜାତୀୟ ଫସଲ ଏବଂ ଅର୍ଥକରୀ ଫସଲକୁ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ବୃହତ୍‌ ଉଠାଜଳସେଚନ ପ୍ରକଳ୍ପରେ ଫସଲ ବିବିଧିକରଣ’ ନାମକ ଏକ ମାର୍ଗଦର୍ଶୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ କୃଷକମାନଙ୍କ ଆୟ ବହୁଗୁଣିତ ନିମନ୍ତେ ପଦକ୍ଷେପ ନିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଏହା ରାଜ୍ୟର ୪ଟି ଜିଲ୍ଲା ଯଥା-କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ୭ଟି ବ୍ଲକ୍‌ର ୨୭ଟି ଗ୍ରାମପଞ୍ଚାୟତର ୧୦୧ଟି ଗ୍ରାମରେ ପାଇଲଟ୍‌ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ । ୧୮ଟି ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୨୨୦୭ ହେକଫର ଜମିରୁ ୩୩୪୩ ହେକଫର ଡାଲିଜାତୀୟ ଫସଲ, ୩୭୪୫ ହେକଫର କପା ଫସଲ, ୯୨୮ ହେକଫର ତୈଳବୀଜ, ୨୪୫୧ ହେକଫର ମକା, ୧୩୨୨ ହେକଫର ମାଣ୍ଡିଆ ଏବଂ ୪୧୮ ହେକଫର ପନିପରିବା ଚାଷ କରିବା ପାଇଁ କାର୍ଯ୍ୟକ୍ରମ କରାଯାଇଛି । ଏଥି ପାଇଁ ୧୬.୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏହି ଯୋଜନାରେ ଫସଲର ବିବିଧିକରଣ କରି ଅଣଧାନ ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ୩ ବର୍ଷ ପାଇଁ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୬୦୦୦ ଚାଷୀ ଉପକୃତ ହେବେ । ଜୈବିକ କୃଷି ସାମଗ୍ରୀ ଉତ୍ପାଦନ, ଅମଳ ପରବର୍ତ୍ତୀ କାର୍ଯ୍ୟ, ପ୍ରାଥମିକ ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ ଏବଂ ବିପଣନ କାର୍ଯ୍ୟ ପାଇଁ ୩୬ଟି ଗୋଷ୍ଠୀଭିତ୍ତିକ ସଂଗଠନକୁ ପ୍ରୋତ୍ସାହିତ କରାଯିବ ।

କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା କହିଲେ ଯେ ଓଡ଼ିଶାରେ ଅଧିକ ବୃଷ୍ଟିପାତ ହେଉଥିବା ଦୃଷ୍ଟିରୁ ବୃଷ୍ଟିଜଳକୁ ସଂରକ୍ଷଣ କରି ଚାଷ କାର୍ଯ୍ୟରେ ସୁବିନିଯୋଗ କରିବାର ଆବଶ୍ୟକତା ରହିଛି । ତେଣୁ, କେବଳ ଧାନ ଚାଷ ନକରି ଅଣଧାନ ଚାଷ କରି ଉପଲବ୍ଧ ଜଳର ଉଚିତ ବିନିଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ ପ୍ରତି ଜଳବିନ୍ଦୁକୁ ଉଚିତ ବ୍ୟବହାର କରି ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ ଆମର ଲକ୍ଷ୍ୟ ହେବା ଉଚିତ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବା ସହିତ ଏହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ପରିଚାଳନା କରିଥିବାବେଳେ ଏଥିରେ ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।