Home Environment ଡିଜେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଡିଜେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର : ଡିସ୍କ ଜକି (ଡିଜେ) ର କାନଫଟା ଶବ୍ଦ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରାକ ହୋଇଥିବାରୁ ରାଜ୍ୟ ସରକାର ଉଦ୍‍ବିଗ୍ନ । ଏହି ଅମାନିଆ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନପାଇଁ ଜିଲ୍ଲାପାଳନ ଓ ଏସ୍‍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରିବେଶ ମନିଟରିଂ ସେଲ୍‍ ବୈଠକରେ ଅଧ୍ୟକ୍ଷତା କରି ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପ୍ରକଟ କରିଛନ୍ତି । ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସାନ ନିୟମ ଉଲ୍ଲଘନ କରି ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ ପତ୍ର ଲେଖିଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲାପାଳ, ଏସ୍‍ପି ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଇଲାକାରେ ବାୟୁ ଓ ଶବ୍ଦର ମାନ ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ତେବେ ଦେଖାଯାଉଛି ଯେ ବିଭିନ୍ନ ସ୍ଥାନରେ ଉଚ୍ଚ ଶବ୍ଦଯୁକ୍ତ ଶ୍ରୁତିକଟୂ ଡିଜେ ବାଜୁଥିଲେ ମଧ୍ୟ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହି ଶବ୍ଦ ଅତ୍ୟନ୍ତ କ୍ଷତିକାରକ ହୋଇଥିବାବେଳେ ଡିଜେରୁ ବାହାରୁଥିବା ବିକଟାଳ ଶବ୍ଦ ରାଜ୍ୟରେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଛି ।

ପର୍ବ ପର୍ବାଣୀ ସମୟରେ ସର୍ବସାଧାରଣ ସ୍ଥାନରେ ଶବ୍ଦ ଆଇନ୍‍କୁ କଡାକଡି ପାଳନ କରିବା ବାଧ୍ୟତାମୂଳକ ଅଟେ । ତେଣୁ ଡିଜେ, ଡୋଲବୀ ଭଳି ଉଚ୍ଚ ଶବ୍ଦଯୁକ୍ତ ଯେକୌଣସି ଯନ୍ତ୍ର କର୍ତ୍ତୃପକ୍ଷଙ୍କ ବିନାନୁମତିରେ ବାଜି ପାରିବ ନାହିଁ । ହେଲେ ଦିନକୁ ଦିନ ସର୍ବସାଧାଣ ସ୍ଥାନରେ ଏହି ବେଆଇନ୍‍ ଶବ୍ଦ ପ୍ରଦୂଷଣ ହେଉଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର.ମୁରୁଗେସାନ ଦର୍ଶାଇଛନ୍ତି ।

ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ ଡକ୍ଟର ମୁରୁଗେସାନ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଉଚ୍ଚ ସ୍ୱର ଯୁକ୍ତ ଶବ୍ଦ ବୟସ୍କ ବ୍ୟକ୍ତି, ଦୁର୍ବଳ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ତଦନୁଯାୟୀ ଜିଲ୍ଲାପାଳ ଓ ଏସ୍‍ପିମାନେ ଏ ଦିଗରେ ଠିକଣା ପଦକ୍ଷେପ ଗ୍ରହଣ ଲାଗି ସଦସ୍ୟ ସଚିବ ଅନୁରୋଧ କରିଛନ୍ତି । ବିବାହ ଶୋଭାଯାତ୍ରା, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାଧାରଣ ସଭା ଆଦି ସମୟରେ କ୍ଷେତ୍ର ସ୍ତରୀୟ ଅଧିକାରୀମାନେ ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାପାଇଁ ସେ କହିଛନ୍ତି ।

ଡକ୍ଟର ମୁରୁଗେସାନ ଉଲ୍ଲେଖ କରିଛନ୍ତି ଯେ ଶବ୍ଦ ପ୍ରଦୂଷଣ ନିୟମ ସଂକ୍ରାନ୍ତରେ ରାଜ୍ୟ ସରକାର ଏକାଧିକ ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ କାଁ ଭାଁ ପାଳନ କରାଯାଉଛି । ତେବେ କୌଣସି କ୍ଷେତ୍ରରେ ୬୫ ଡେସିବେଲରୁ ଅଧିକ ଶବ୍ଦକୁ ଅନୁମତି ନାହିଁ । ସ୍ଥାନୀୟ ଥାନାର ବିନାନୁମତିରେ କେହି ବି ଡିଜେ କିମ୍ବା ମାଇକ୍‍ ବଜାଇ ପାରିବେ ନାହିଁ । କେବଳ ଶବ୍ଦ ଲିମିଟର ସହିତ କମ୍‍ ଶବ୍ଦଯୁକ୍ତ ଯନ୍ତ୍ରପାତିକୁ ଅନୁମତି ମିଳିଥାଏ ।

ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପରିବେଶ ବୋର୍ଡର ସଦସ୍ୟ ସଚିବ ନିର୍ଦ୍ଦିଷ୍ଟ ଭାବେ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । କାର୍ଯାଷ୍ଠାନ ଗ୍ରହଣର ସୂଚନା ଚାରି ସପ୍ତାହ ମଧ୍ୟରେ ମୁଖ୍ୟ ସଚିବଙ୍କୁ ଅବଗତ କରିବାପାଇଁ ଡକ୍ଟର ମୁରୁଗେସାନ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କୁ କହିଛନ୍ତି ।