Home General ଡିଜିଟାଲ ଦୁନିଆରୁ ପିଲାଙ୍କୁ ସୁରକ୍ଷିତ ରଖ

ଡିଜିଟାଲ ଦୁନିଆରୁ ପିଲାଙ୍କୁ ସୁରକ୍ଷିତ ରଖ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି । ସ୍କୁଲ ବନ୍ଦ ଓ ଅନଲାଇନ ପାଠପଢା ଲକ୍ଷ ଲକ୍ଷ ଶିଶୁ ମାନଙ୍କୁ ଅସୁରକ୍ଷିତ ଡିଜିଟାଲ ଦୁନିଆକୁ ନେଇ ଯାଉଛି ।

ପିଲାମାନଙ୍କୁ ଡିଜିଟାଲ ଦୁନିଆରେ ସୁରକ୍ଷିତ ରଖିବା ଏକ ବଡ ସମସ୍ୟା ଓ ଏଥି ପାଇଁ ଜନସଚେତନତା ର ଆବଶ୍ୟକତା ରହିଛି ବୋଲି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ) ଓ ଫ୍ଲୋରାଦ୍ରାଲୋସା ବାର୍ନର ସହଯୋଗ ଏବଂ ଖୋର୍ଦ୍ଧା ପୋଲିସ ଓ ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟର ସହଭାଗିତାରେ ଖୋର୍ଦ୍ଧା ଠାରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳାରେ ମତପ୍ରକାଶ ପାଇଛି ।

ଏହି କର୍ମଶାଳାରେ ପିକକର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହାର ଉଦ୍ଦେଶ୍ୟ ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶିଶୁ ମାନଙ୍କର ସୁରକ୍ଷା ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ନିଜର ମତ ରଖିଥିଲେ । ପିକକର ଅଧକ୍ଷା ଡଃ ମିନାକ୍ଷୀ ପଣ୍ଡା ଏହି କର୍ମଶାଳାରେ ଅଧକ୍ଷତା କରିଥିଲେ ।

କର୍ମଶାଳାରେ ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଏସ୍‍ପି ରାଜକିଶୋର ଦୋରା ଯୋଗ ଦେଇ କହିଥିଲେ ପିତା ମାତାଙ୍କ ଶିକ୍ଷା ଓ ସଚେତନତା ପିଲାମାନଙ୍କୁ ଅନଲାଇନରେ ସୁରକ୍ଷା ଦେଇପାରିବ । ଅତିରିକ୍ତ ଏସ୍‍ପି ସୁରେଶ କୁମାର ଦାସ ପିତାମାତା ଓ ଅଭିଭବକ ମାନଙ୍କୁ ସଜାଗ ରହିବାକୁ ଉପଦେଶ ଦେଇଥିଲେ । ଅନ୍ୟ ବକ୍ତା ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ପିଲାମାନଙ୍କର ଦୀର୍ଘ ସମୟ ଧରି ଅନଲାଇନ ରେ ରହିବା ଯୋଗୁଁ ଶିଶୁ ଚାଲାଣ ପରି ଅପରାଧ ବଢି ଚାଲିଛି ଓ ଏହକୁ ରୋକିବା ପାଇଁ ହେଲେ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ ବୋଲି କହିଥିଲେ । ଆଡପସନସେଣ୍ଟ୍ରମର ଦେଶ ନିର୍ଦ୍ଦେଶିକା ରୁବି ରାଉତ ପିଲାମାନଙ୍କୁ ଅନଲାଇନ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେବା ପିତାମାତା ମାନଙ୍କର ଦାୟିତ୍ୱ ବୋଲି କହିଥିଲେ ।

ଏନ୍‍ଆଇସିର ପୁର୍ବତନ ବୈଷୟିକ ନିର୍ଦ୍ଦେଶକ ଡଃ ରବିନ୍ଦ୍ର ନାରାୟଣ ବେହେରା ଏହି କର୍ମଶାଳାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଏହାର ନିରାକରଣ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ବିଚାରପତି ଏଲ କେ ବିଶ୍ୱାଳ ଏ ସଂକ୍ରାନ୍ତୀୟ ଆଇନ ଓ ଏହାର ଉପଯୁକ୍ତ ଉପଯୋଗ ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସାଇବର ଅପରାଧ ଓ ଶିଶୁ ମାନଙ୍କୁ ଏହାର କବଳରୁ ରକ୍ଷା କରିବା ନିମନ୍ତେ ଥିବା ବିଭିନ୍ନ ଆଇନ ଉପରେ ବିଶେଷ ଆଲୋଚନା କରାଯାଇ ଥିଲା ।

ଜନ ସଚେତନତା, ପିତାମାତା ଓ ଅଭିଭାବକ ମାନଙ୍କର ଉପଯୁକ୍ତ ତତ୍ୱାବଧାନ, ଶିକ୍ଷକ, ଅଙ୍ଗନବାଡି କର୍ମୀ, ପୋଲିସ ଅଧିକାରୀ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଉପଯୁକ୍ତ ତାଲିମ୍‌, ଆଞ୍ଚଳିକ ଭାଷାରେ ପ୍ରଶିକ୍ଷଣ ସାମଗ୍ରୀର ପ୍ରସ୍ତୁତି, ବିଶେଷ ଭାବରେ ପୋଲିସ ଅଧିକାରୀ ମାନଙ୍କୁ ସାଇବର ଅପରାଧ ମାମଲାକୁ ତଦନ୍ତ କରିବାର ତାଲିମ୍‌, ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ଆଇନର କଠୋର ପରିଚାଳନା ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଦୋଲି ଏହି କର୍ମଶାଳାରେ ମତବ୍ୟକ୍ତ କରାଯାଇଥିଲା ।

କର୍ମଶାଳାରେ ୧୦୦ ରୁ ଉର୍ଦ୍ଧ୍ୱ ପୋଲିସ୍‌, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ୍‌, ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବ ଶେଷରେ ପିକକର ଅଲ୍ପନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପିକକର ବିନୋଦ ଦାଶ୍‌, ଦେବାଶିଷ ମହାପାତ୍ର, ଉପମା ମହାନ୍ତି, ପ୍ରିୟଦର୍ଶୀନି ସ୍ୱାଇଁ, ଉର୍ମିଳା ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।