Home Agriculture ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ କେବେ ?

ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ କେବେ ?

ଭୁବନେଶ୍ୱର : ଖାଇବା ତେଲ ପରେ ଏବେ ଡାଲିର ଦରବୃଦ୍ଧି ଖାଉଟିଙ୍କୁ ବାଧୁଥିବାବେଳେ କୃଷି ପ୍ରଧାନ ରାଜ୍ୟ ଓଡିଶା କିନ୍ତୁ ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରୁ ନାହିଁ । ରାଜ୍ୟରେ ବର୍ଷକୁ ୧୦ଲକ୍ଷ ଟନ୍‍ରୁ ଅଧିକ ଡାଲି ଆବଶ୍ୟକ କରୁଥିବାବେଳେ ସବୁ କିସମର ଡାଲି ଉତ୍ପାଦନ ମିଶି ବି ଆବଶ୍ୟକ ପୂରଣ ହୋଇପାରୁନାହିଁ ।

ସରକାରୀ ହିସାବରେ ଆମ ରାଜ୍ୟରେ ବର୍ଷକୁ ୧୦ଲକ୍ଷ ୭୦ହଜାର ମେଟ୍ରିକ ଟନ୍‍ ଡାଲି ଆବଶ୍ୟକ । ଏହାର ସିଂହଭାଗ ହେଉଛି ହରଡ ଡାଲି । ହେଲେ ଆମ ରାଜ୍ୟରେ ବର୍ଷକୁ ପାଖାପାଖି ଦେଢ ଲକ୍ଷ ମେଟ୍ରିକ ଟନ୍‍ ହରଡ ଉତ୍ପାଦନ ହେଉଛି । ଏହି ହରଡ ମଧ୍ୟରୁ ଅଧିକାଂଶ ଉତ୍ପାଦନ ପରେ ପରେ ପ୍ରକ୍ରିୟାକରଣ ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛି ।

ବ୍ୟବସାୟୀମାନେ ଓଡିଶାରୁ ଗୋଟା ହରଡ ସଂଗ୍ରହ କରି ତାହାକୁ ନେଇ ପ୍ରକ୍ରିୟାକରଣ କରି ପୁଣି ଓଡିଶା ପଠାଇଥାନ୍ତି । ଓଡିଶାରେ ଆବଶ୍ୟକ ମୁତାପକ ହରଡ ଉତ୍ପାଦନ ହେଉନଥିବାରୁ ବର୍ଷ ସାରା ଅନ୍ୟ ରାଜ୍ୟରୁ ଓଡିଶାକୁ ହରଡ ଡାଲି ଆସିଥାଏ । ଏ ବାବଦରେ ଓଡିଶାବାସୀଙ୍କର କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ନିକଟକୁ ଚାଲିଯାଏ ।

ହରଡ ବ୍ୟତିତ ଓଡିଶାରେ ୪ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ମୁଗ ଓ ୨ଲକ୍ଷ ଟନ୍‍ରୁ ଅଧିକ ବିରି ଉତ୍ପାଦନ ହୋଇଥାଏ । ତେବେ ହରଡ ଭଳି ଏହା ବି ଅନ୍ୟ ରାଜ୍ୟକୁ ଚାଲାଣ ହୋଇଥାଏ । ଓଡିଶାରେ ଅତ୍ୟାଧୁନିକ ଡାଲି ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏହାକୁ ସଂଗ୍ରହ କରି ନେଇଥାନ୍ତି । ଚାଷୀମାନେ ଅମଳ ସମୟରେ କିଲୋ ପ୍ରତି ୪୦/୫୦ ଟଙ୍କାରେ ବିକ୍ରି କରି ପରବର୍ତ୍ତୀ ସମୟରେ ଚୋପାଛଡା ବିରି, ମୁଗ ଡାଲିକୁ କିଲୋ ପ୍ରତି ୧୦୦ ଟଙ୍କାରେ କିଣିଥାନ୍ତି ।

ସେହିଭଳି ରାଜ୍ୟରେ କୋଳଥ, ମସୁର, ବୁଟ ଓ ମଟର ଆଦି ଡାଲି ଉତ୍ପାଦନ ହେଉଥିଲେ ମଧ୍ୟ ଏହାର ପରିମାଣ ଅତ୍ୟନ୍ତ ନଗଣ୍ୟ । ରାଜ୍ୟକୁ ବର୍ଷକୁ ଏକ ଲକ୍ଷ ଟନ୍‍ରୁ ସାମାନ୍ୟ ଅଧିକ କୋଳଥ ଉତ୍ପାଦନ ହେଉଥିବାବେଳେ ପାଖପାଖି ୫ହଜାର ଟନ୍‍ ମସୁର, ୨୧ହଜାର ଟନ୍‍ ବୁଟ ଓ ୨୫ହଜାର ଟନ୍‍ ମଟର ଉତ୍ପାଦନ ହୋଇଥାଏ । ତେବେ ରାଜ୍ୟର ଚାହିଦା ମେଣ୍ଟାଇବାପାଇଁ ଏହା ବି କୁଳାଉ ନାହିଁ । ବର୍ଷ ସାରା ଅନ୍ୟ ରାଜ୍ୟରୁ ବୁଟ, ମଟର ଓ ମସୁର ଡାଲି ଆସିଲେ ଓଡିଶାର ଖାଉଟିମାନେ ତାହା ପାଇଥାନ୍ତି ।

ରାଜ୍ୟରେ ଡାଲି ଜାତୀୟ ଫସଲ ପାଇଁ ଉଭୟ ଜଳବାୟୁ ଓ ମୃତ୍ତିକା ଅନୁକୂଳ ଥିଲେ ମଧ୍ୟ ଚାଷୀମାନେ ଉତ୍ପାଦିତ ସାମଗ୍ରୀକୁ ଠିକଣାଭାବେ ବିକ୍ରି କରିପାରୁନଥିବାରୁ ତାହା ଚାଷ କରିବାକୁ ପଛାଉଛନ୍ତି । ଗୋଟିଏ ପଟେ ପ୍ରକ୍ରିୟାକରଣର ଅଭାବ ଓ ଅନ୍ୟପଟେ ସରକାର ସମସ୍ତ ଉତ୍ପାଦିତ ଡାଲି ଖରିଦ କରୁନଥିବାରୁ ଚାଷୀମାନେ ଡାଲିଜାତୀୟ ଫସଲ ଅପେକ୍ଷା ଧାନ ଚାଷରେ ଅଧିକ ମନ ଦେଉଛନ୍ତି ।

ଏହା ଫଳରେ ବର୍ଷ ବର୍ଷ ଓଡିଶା ଡାଲି ପାଇଁ ଅନ୍ୟ ରାଜ୍ୟରେ ଉପରେ ନିର୍ଭରଶୀଳ । ବର୍ତ୍ତମାନ ବଜାରରେ ଖାଇବା ତେଲ ଲିଟର ୧୭୦ ଟଙ୍କା ଉପରେ ରହିଥିବାବେଳେ ହରଡଡାଲି କିଲୋ ସର୍ବନିମ୍ନ ୧୧୫ ଟଙ୍କା ରହିଛି । ଅନ୍ୟ ଡାଲିର ଦାମ୍‍ ବି ଶହେ ଟଙ୍କା ଆଖପାଖରେ ଥିବାରୁ ଖାଉଟିଙ୍କ ପାଇଁ ଏକ ପ୍ରକାର ବେଡି ଉପରେ କୋରଡା ଭଳି ହୋଇଛି । (ତଥ୍ୟ)