Home Administration ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଉପରେ ନଜର

ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଉପରେ ନଜର

ଭୁବନେଶ୍ୱର : ରାଜ୍ୟ ସରକାର କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ପଦବୀ ପୂରଣ କରିବାକୁ ଯାଉଥିବାବେଳେ ପ୍ରତ୍ୟେକ ବିଭାଗକୁ ଖାଲିଥିବା ପଦବୀ ଓ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରଙ୍କ ସଂକ୍ରାନ୍ତରେ ତଥ୍ୟ ମାଗିଛନ୍ତି । ତେବେ ଏହି ନିଯୁକ୍ତି ସମୟରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟ ଆଉଟସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରାଯିବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ବିଭିନ୍ନ ବିଭାଗରେ ୨୩୨ଟି ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅଦାଲତଙ୍କ ରାୟ ଅନୁଯାୟୀ ଏଥିରେ ଦୀର୍ଘଦିନରୁ କାର୍ଯ୍ୟରତ ୭୮ଜଣ ଆଉଟସୋର୍ସିଂ ପିଲାଙ୍କୁ ସାମିଲ କରାଯିକା କଥା । ହେଲେ ଚଳିତବର୍ଷ ଜାନୁୟାରୀ ମାସରେ ରାଜ୍ୟ ସରକାର ପୁଣିଥରେ ୭୮ଟି କନିଷ୍ଠ ଡାଟା ଏଣ୍ଟ୍ରି ପଦବୀ ସୃଷ୍ଟି କରିଥିବାରୁ ଏଥିନେଇ ସନ୍ଦେହ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଜଣାଯାଏ ଯେ ରାଜ୍ୟ ସରକାର ଲୋକସେବାଭବନ ସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟରମାନେ ସେମାନଙ୍କୁ ସ୍ଥାୟୀ କରିବା ଦାବିରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରଥମେ ଏହି ମାମଲା ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)ରେ ହୋଇଥିଲା । ସେତେବେଳେ ସ୍ୟାଟ୍‍ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟ ସରକାର ନୂତନ ପଦବୀରେ ନିଯୁକ୍ତି ସମୟରେ ସେଥିରେ ଏହି ୭୮ଜଣଙ୍କ କଥା ବିଚାରକୁ ନେବେ । ସରକାର ବି ସେତେବେଳେ ସମ୍ମତି ପ୍ରକାଶ କରିଥିଲେ ।

ଏହା ପରେ ୨୩୨ଟି କନିଷ୍ଠ ଡାଟା ଏଣ୍ଟ୍ରି ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଚୟନ ପରୀକ୍ଷା ଓ ସାକ୍ଷାତକାର ଆଦି ସରିଥିବାବେଳେ ନିଯୁକ୍ତିପତ୍ର ଦେବା ବାକି ରହିଛି । ଯେହେତୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ଦୀର୍ଘଦିନରୁ ସରକାରରେ କାର୍ଯ୍ୟରତ ୭୮ଜଣ ଡାଟା ଏଣ୍ଟ୍ରି ଅପରେଟର ସ୍ଥାୟୀ ହେବାନେଇ ଆଶାବାନ୍ଧି ବସିଛନ୍ତି ।

ତେବେ ହଠାତ୍‍ ଚଳିତବର୍ଷ ଜାନୁୟାରୀ ମାସରେ ଓଡିଶା ସଚିବାଳୟ ଡାଟା ଏଣ୍ଟ୍ରି କ୍ୟାଡରରେ ନୂତନ ଭାବେ ୭୮ଟି ପଦବୀ ସୃଷ୍ଟି ହୋଇଛି । ସରକାରଙ୍କ ଏଭଳି ତରବରିଆ ପଦବୀ ସୃଷ୍ଟିରେ ସନ୍ଦେହକରି ଡାଟାଏଣ୍ଟ୍ରି କର୍ମଚାରୀମାନେ ପୁର୍ନବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସରକାର ଖୁବ୍‍ଶୀଘ୍ର ସ୍ଥାୟୀ ଡାଟା ଏଣ୍ଟ୍ରି ନିଯୁକ୍ତି କରିବାକୁ ଯାଉଥିବାରୁ ସେଥିରେ ୭୮ଜଣଙ୍କୁ ସ୍ଥାନ ଦେବେ ନା ନୂଆ ପଦବୀ ସୃଷ୍ଟିର ଆଳ ଦେଖାଇ ସେମାନଙ୍କ ପାଇଁ ପୁଣି ସମୟ ନେବେ ତାହାକୁ ନେଇ ଅନେକ କର୍ମଚାରୀ ଏବେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଲୋକସେବାଭବନରେ ଦୀର୍ଘଦିନ ହେଲା ବହୁ କର୍ମଚାରୀ ଆଉଟସୋର୍ସିଂ ଜରିଆରେ ଅତି ଅଳ୍ପ ପାଉଣାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ନିଯୁକ୍ତି ବୟସ ଗଡିଗଲାଣି । ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଥିବାବେଳେ ସ୍ୟାଟ୍‍ ବି ଏମାନଙ୍କ ସପକ୍ଷରେ ମତ ଦେଇଥିଲେ । ତେବେ ୨୩୨ ପଦବୀରେ ଏମାନଙ୍କୁ ସ୍ଥାନ ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)