Home Covid ଡରେଇଲାଣି ଡେଲଟା ପ୍ଲସ

ଡରେଇଲାଣି ଡେଲଟା ପ୍ଲସ

ଭୁବନେଶ୍ୱର : କରୋନା ଭୂତାଣୁର ଡେଲଟା ପ୍ଲସ ଭାରିଆଣ୍ଟ ଏବେ ଡରାଇବା ଆରମ୍ଭ କଲାଣି । ବିଶେଷକରି ଆଜି କେନ୍ଦ୍ର ସରକାର ଦେଶର ତିନିଟି ରାଜ୍ୟକୁ ଏ ନେଇ ସତର୍କ କରିବା ପରେ ଓଡିଶା ସମେତ ଅନ୍ୟ ରାଜ୍ୟମାନେ କରୋନାର ଏହି ପରବର୍ତ୍ତିତ ରୂପ ନେଇ ଆତଙ୍କିତ ହୋଇପଡିଛନ୍ତି ।

ବର୍ତ୍ତମାନ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ କରୋନାର ଡେଲଟା ଭାରିଆଣ୍ଟରେ ସଂଖ୍ୟାଧିକ ଲୋକ ସଂକ୍ରମିତ ହେଉଥିବାବେଳେ ଡେଲଟା ପ୍ଲସ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଓ ତାମିଲନାଡୁରେ ଦେଖା ଦେଇଛି । ଏହି ୪ଟି ରାଜ୍ୟରେ ଡେଲଟା ପ୍ଲସରେ ୪୦ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି ।

ଡେଲଟା ଠାରୁ ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ଭୟଙ୍କର ବୋଲି ବିଶେଷଜ୍ଞମାନେ ମତ ଦେଉଥିବାବେଳେ ଏହାର ସଂକ୍ରମଣ ଓ ପ୍ରତିକାର ନେଇ ଏବେ ବି ଅନୁଧ୍ୟାନ ଚାଲିଛି । ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଏହାର ଗତିବିଧି ସଂକ୍ରାନ୍ତାରେ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦେଇପାରୁ ନାହାନ୍ତି । ତେବେ ଡେଲଟା ପ୍ଲସ ସଂକ୍ରମଣ ବୃଦ୍ଧିପାଇଲେ କରୋନାର ତୃତୀୟ ଲହର ଖୁବ୍‍ଶୀଘ୍ର ଆସିଯିବ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ କିଛି ବିଶେଷଜ୍ଞଙ୍କ ମତରେ ଡେଲଟା ପ୍ଲସ ଭାରିଆଣ୍ଟର ସଂକ୍ରମଣ ତୀବ୍ରତା ଡେଲଟା ତୁଳନାରେ ଅଧିକ । ଏପରିକି ଏହି ଭାରିଆଣ୍ଟରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ନିକଟ ଦେଇ ବିନା ମାସ୍କରେ ଅନ୍ୟଜଣେ ବ୍ୟକ୍ତି ଚାଲିଗଲେ ବି ସେ ସଂକ୍ରମିତ ହୋଇଯିବାର ସମ୍ଭାବନା ରହିଛି । ସେହିଭଳି ଡେଲଟା ପ୍ଲସ ଖୁବ୍‍ଶୀଘ୍ର ଫୁସ୍‍ଫୁସ୍‍କୁ ସଂକ୍ରମିତ କରିବା ସହିତ ସ୍ନାୟୁ ଉପରେ ବି ପ୍ରତିକୂଳ ପ୍ରଭାବ ପକାଇବାର ଅନୁମାନ କରାଯାଉଛି ।

ତେବେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇନଥିବା ରାଜ୍ୟ ଡିଏମ୍‍ଇଟି ସିବିକେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ଏହି କରୋନାର ଏହି ଭରିଆଣ୍ଟ ଉପରେ ଅନୁଧ୍ୟାନ କରାଯାଉଛି । ଡେଲଟା ପ୍ଲସକୁ ଭାରତୀୟ ଟିକା ଅଟକାଇ ପାରିବ କି ନାହିଁ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ଜଣାପଡିନଥିଲେ ବି ଯେହେତୁ ବର୍ତ୍ତମାନ ଦିଆଯାଉଥିବା ଟିକା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ କାର୍ଯ୍ୟ କରୁଛି ତେଣୁ ଏହା ଡେଲଟା ପ୍ଲସକୁ ରୋକିପାରିବ ବୋଲି ଚିକିତ୍ସକମାନେ ଆଶା କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶର ୪ଟି ରାଜ୍ୟରେ ଭୟଙ୍କର ଡେଲଟା ପ୍ଲସ ଠାବ ହେବା ଏବଂ କେନ୍ଦ୍ର ସରକାର ତିନି ରାଜ୍ୟକୁ ସତର୍କ କରିବାପରେ ଓଡିଶାରେ ମଧ୍ୟ ଏହାକୁ ନେଇ ଭୟ ବଢିବାରେ ଲାଗିଛି । ଗୋଟିଏ ପଟେ ବିଶେଷଜ୍ଞମାନେ ତୃତୀୟ ଲହରର ସୂଚନା ଦେଉଥିବାବେଳେ ଡେଲଟା ପ୍ଲସ ଭାରିଆଣ୍ଟ ଏବେ ନୂଆ ବିପଦ ହୋଇ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here