Home Education ଠିକଣା ସମୟରେ ହୋଇପାରିବନି ପରୀକ୍ଷା

ଠିକଣା ସମୟରେ ହୋଇପାରିବନି ପରୀକ୍ଷା

ମାଟ୍ରିକରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ କୌଣସି ବୋର୍ଡ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ଚଳିତ ଶିକ୍ଷାବର୍ଷରେ ଠିକଣା ସମୟରେ ହୋଇପାରିବ ନାହିଁ ।

କରୋନା ସଂକ୍ରମଣ ଜନିତ ଅବସ୍ଥା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡିକ ପ୍ରାୟ ୮ମାସ ଧରି ବନ୍ଦ ରହିଥିବାବେଳେ ଏବେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏଗୁଡିକ ଖୋଲିବନାହିଁ । ତେବେ ଜାନୁୟାରୀମାସରେ ସ୍ଥିତିକୁ ଦେଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନଖୋଲିବା ଘେନି ପଦକ୍ଷେପ ନିଆଯିବ ।

ସାଧାରଣତଃ ଫେବୃୟାରୀ-ମାର୍ଚ୍ଚ ମାସରୁ ମାଧ୍ୟମିକ ଶିକ୍ଷାବୋର୍ଡ, ସିବିଏସ୍‍ଇ ଓ ଆଇସିଏସ୍‍ଇ ଆଦି ପାଠ୍ୟକ୍ରମର ଦଶମ ଓ ଦ୍ୱାଦଶ ପରୀକ୍ଷା ହୋଇଥାଏ । ତେବେ ଚଳିତବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ଦିନକ ପାଇଁ ବି ଶ୍ରେଣୀଗୃହକୁ ଆସିନାହାନ୍ତି । ଅବଶ୍ୟ ଅନ୍‍ଲାଇନ୍‍ରେ ପାଠପଢା ବ୍ୟବସ୍ଥା କରାଯାଇଛି । ତେବେ ବହୁ ସ୍ଥାନରେ ଇଣ୍ଟରନେଟ୍‍ ଓ ବିଦ୍ୟୁତ୍‍ ସମସ୍ୟା ଯୋଗୁଁ ସ୍ମାର୍ଟଫୋନ୍‍ ଓ କମ୍ପ୍ୟୁଟର ମାଧ୍ୟମରେ ସଂଖ୍ୟାଧିକ ପିଲା ଠିକଣାଭାବେ ପାଠପଢି ପାରୁନାହାନ୍ତି ।

ଓଡିଆ ମାଧ୍ୟମ ବିଦ୍ୟାଳୟର ୬୦ପ୍ରତିଶତରୁ ଅଧିକ ପିଲାଙ୍କ ପାଇଁ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‍ ସୁବିଧା ନାହିଁ । ଏ ପରିପ୍ରେକ୍ଷୀରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରର ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କ ପାଠପଢାରେ ଏକ ପ୍ରକାର ଡୋରିବନ୍ଧା ସରିଥିବାବେଳେ ସେମାନେ କେବେ ବୃତ୍ତି ପରୀକ୍ଷା ଦେବେ ସେଥିଘେନି ବି ଦ୍ୱନ୍ଦରେ ଅଛନ୍ତି ।

ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷାବୋର୍ଡ ବିଜ୍ଞପ୍ତି ପ୍ରକାଶ କରିବାପରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହେବାରୁ ଶେଷରେ କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିନେଇଛନ୍ତି । ତେଣୁ ମାଟ୍ରିକ ପରୀକ୍ଷା କେବେ ହେବ ସେକଥା କହିବା ମୁସ୍କିଲ । କିନ୍ତୁ ଅନ୍ୟ ପକ୍ଷରେ ସିବିଏସ୍‍ଇ ଓ ଆଇସିଏସ୍‍ଇର ବୋର୍ଡ ପରୀକ୍ଷା ଲାଗି କିନ୍ତୁ ପ୍ରାଥମିକ ପ୍ରସ୍ତୁତି ଚାଲିଛି ।

ଯୁକ୍ତ ଦୁଇ ପରୀକ୍ଷା ଲାଗି ଡିସେମ୍ବର ମାସରେ ଫର୍ମ ପୂରଣ କରାଯାଇଥାଏ । ସାଧାରଣତଃ ଏହି ପରୀକ୍ଷାଫଳ ମଇମାସ ସୁଦ୍ଧା ବାହାରିଥାଏ । ଏବର୍ଷ କିନ୍ତୁ କରୋନା ଗଣ୍ଡଗୋଳ ଯୋଗୁଁ ଉଭୟ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାଫଳ ଦୁଇ ତିନିମାସ ବିଳମ୍ବରେ ପ୍ରକାଶ ପାଇଛି । ଏ ପରିପ୍ରେକ୍ଷୀରେ ଦ୍ୱାଦଶ ଶ୍ରେଣୀପାଇଁ ଚଳିତ ଶିକ୍ଷାବର୍ଷରେ ଦିନକ ପାଇଁ ବି ଶ୍ରେଣୀରେ ପାଠପଢା ହୋଇନଥିବାବେଳେ ପରୀକ୍ଷାର୍ଥୀମାନେ କିଭଳି ପରୀକ୍ଷା ଦେବେ ଓ ପ୍ରାକ୍ଟିକାଲ କରିବେ ସେଥିଘେନି ଦ୍ୱନ୍ଦରେ ଅଛନ୍ତି ।

ଯୁକ୍ତ ତିନି ଓ ସ୍ନାତକୋତ୍ତର କ୍ଷେତ୍ରରେ ବି ଅନୁରୂପ ସମସ୍ୟା ଲାଗି ରହିଛି । ତେବେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ବଡ ପିଲାଙ୍କ ଭିତରୁ ଅନେକ ଅନ୍‍ଲାଇନ୍‍ ପାଠପଢା ଚଳାଇଥିବାବେଳେ ପ୍ରାକ୍ଟିିକାଲ କିନ୍ତୁ କରିପାରୁ ନାହାନ୍ତି । ଛାତ୍ରାବାସ ବନ୍ଦ ଥିବାରୁ ଗାଁକୁ ଫେରିଯାଇଥିବା ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଭିତରୁ ଅଧିକାଂଶ ନେଟ୍‍ ସମସ୍ୟା ଯୋଗୁଁ ବି ପାଠପଢାରେ ପଛରେ ଅଛନ୍ତି ।

ଇତି ମଧ୍ୟରେ କର୍ତ୍ତୃପକ୍ଷ ବିଭିନ୍ନ ଶ୍ରେଣୀ ପାଇଁ ସିଲାବସ୍‍ ପ୍ରାୟ ୩୦ ପ୍ରତିଶତ କମାଇଥିଲେ ବି ଅବଶିଷ୍ଟ ୭୦ ପ୍ରତିଶତର ସେମାନେ କିପରି ପରୀକ୍ଷା ଦେବେ ତାହା କେବଳ ଛାତ୍ରଛାତ୍ରୀ ନୁହନ୍ତି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।