Home Administration ଠିକଣା ସମୟରେ ହେବ ପଞ୍ଚାୟତ ନିର୍ବାଚନ

ଠିକଣା ସମୟରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ନିର୍ବାଚିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ୫ ବର୍ଷର କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ଶେଷ ହେବାକୁ ଯାଉଛି ଓ ସମ୍ବିଧାନର ଧାରା ୨୪୩ ଅନୁସାରେ ତା ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ଆବଶ୍ୟକ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକରେ ମତ ପ୍ରକାଶ କରିଛନ୍ତି । ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ଶ୍ରୀ ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ।

ତେବେ ବିରୋଧିଦଳ ପକ୍ଷରୁ ବଢୁଥିବା କୋଭିଡ ସଂକ୍ରମଣ ଏବଂ ସଂରକ୍ଷଣରେ ଦେଖା ଦେଇଥିବା ଅନିୟମିତତାର ସମାଧାନ ପାଇଁ ଆଗାମୀ ୩ମାସ ପର୍ଯ୍ୟନ୍ତ ନିର୍ବାଚନ ନକରିବାକୁ ଅନୁରୋଧ କରାଯାଇଥିଲା ।

ଆଜିର ବୈଠକରେ କମିଶନର କହିଥିଲେ ଯେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୂସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍ ଦାଖଲ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଥିଲେ ଓ ସଂପୃକ୍ତ ଜାତି ସାର୍ଟିଫିକେଟ୍ ଗୁଡିକ ଓଡିଶା ରାଜ୍ୟର କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ ବୋଲି କମିଶନ ବୈଠକରେ ସ୍ପଷ୍ଟ କରିଥିଲେ । ଏଥର ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବୃଦ୍ଧି କରାଯାଇଛି ।

ପଂଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତିସଭ୍ୟ ଓ ସରପଂଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ସର୍ବଦଳୀୟ ବୈଠକରେ ପ୍ରକାଶ କରିଥିଲେ । ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ, ସମିତିସଭ୍ୟ ଓ ସରପଂଚ ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ମାନଙ୍କ କ୍ଷେତ୍ରରେ ସ୍ୱଲିଖିତ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ବାଚନ କମିଶନର ମତ ପ୍ରକାଶ କରିଥିଲେ ।

ପ୍ରଥମଥର କରି ପଂଚାୟତ ନିର୍ବାଚନର ଭୋଟ ଗଣତି ବ୍ଳକ ସ୍ତରରେ ତିିନି ଧରି ଜିଲ୍ଲା ପରିଷଦ ୱାରି ଗଣନା କରାଯିବ ବୋଲି ନିର୍ବାଚନ କମିଶନର ସର୍ବ ଦଳୀୟ ବୈଠକରେ ପ୍ରକାଶ କରିଥିଲେ । ନିର୍ବାଚନ ଘୋଷଣା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି । ତ୍ରି- ସ୍ତରୀୟ ପଂଚାୟତ ନିର୍ବାଚନରେ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବହାର କରାଯିବ । ୱାର୍ଡ ମେମ୍ବର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ, ସରପଂଚ ପ୍ରାର୍ଥୀ ମାନଙ୍କ ପାଇଁ ଗୋଲାପୀ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ଧଳା ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଛନ୍ତି ।

ଅବାଧ, ସ୍ୱଚ୍ଛ ଓ ନିରାପଦ ନିର୍ବାଚନ ନିମନ୍ତେ ସବୁ ଜିଲ୍ଲା ପାଇଁ ଜଣେ ଓ ବଡ ଜିଲ୍ଲାପାଇଁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ ବୋଲି ନିର୍ବାଚନ କମିଶନର କରିଛନ୍ତି । ରାଜ୍ୟରେ କୋଭିଡର ଦୃତ ସଂକ୍ରମଣ ବେଳେ ନିର୍ବାଚନ ହେବାକୁ ଥିବାରୁ ଭାରତ ନିର୍ବାଚନ ଆୟୋଗ (ଋଉଓ) ଦ୍ୱାରା ସଦ୍ୟ ଜାରି କରାଯାଇଥିବା କୋଭିଡ ନିୟମାବଳୀକୁ ଅନୁସରଣ କରି ସମସ୍ତଙ୍କ ପାଇଁ ଅନୁରୂପ କୋଭିଡ ନର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ ବୋଲି କମିଶନର ପ୍ରକାଶ କରିଛନ୍ତି ।

ପଂଚାୟତ ନିର୍ବାଚନରେ ମତଦାନ ସମୟରେ ଭୋଟରଙ୍କ ପରିଚୟ ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ଆଉ ୧୨ ଗୋଟି ବିକଳ୍ପ ପରିଚୟ ପତ୍ର ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସର ଗଣେଶ୍ୱର ବେହେରା ଓ ଶିବାନନ୍ଦ ରାୟ, ଭାରତୀୟ ଜନତା ପାର୍ଟିର ମୋହନ ଚରଣ ମାଝୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରମେଶ ଚନ୍ଦ୍ର ପାଢୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏମ୍ ର ଦୁଷ୍ମନ୍ତ କୁମାର ପାଢୀ, ବିଜୁ ଜନତା ଦଳର ଡଃ ଅମର ପଟ୍ଟନାୟକ, ସାମନ୍ତକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାମଚନ୍ଦ୍ର ହାଂସଦ, ଏନ୍‌.ବି.ଏନ୍‌.ଏସ୍‌.ପି ପାର୍ଟିର ଜଳଧର ନାୟକ, ଭିଲେର୍ଜସ୍ ଇଣ୍ଡିଆ ପାର୍ଟିର ସୁଧାଂଶୁବାଳ ମିଶ୍ର, ଆମ୍ ଆଦମି ପାର୍ଟିର ସୌମ୍ୟ ରଂଜନ ସ୍ୱାଇଁ, କଳିଙ୍ଗସେନା ଦଳର ହେମନ୍ତ ରଥ, ବହୁଜନ ସମାଜବାଦୀ ପାର୍ଟିର ମଧୁସୂଦନ ଯାଦବ, ସୁପ୍ରିମ ଜିରୋପାର୍ଟି ଅଫ୍ ଭାରତର ଶାନ୍ତିଲତା ରାଉତ, ସମୃଦ୍ଧ ଓଡିଶା ପାର୍ଟିରେ ନିରାକାର ବେହେରା, ରାଷ୍ଟ୍ରିୟ ଜନତା ଦଳର ହେମନ୍ତ କର, ବହୁଜନ ମୁକ୍ତି ପାର୍ଟିର ଭରତ ଚନ୍ଦ୍ର ସିଂହ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକର ଜ୍ୟୋତି ରଂଜନ ମହାପାତ୍ର, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ବିଜୟ କୁମାର ବେହେରା, ଓଡିଶା ଜନତା ପାର୍ଟିର ତଥାଗତ ସ୍ୱାଇଁ, ଏସ୍‌.ୟୁ.ସି.ଆଇ ର ସୁବାଷ ନାୟକଙ୍କ ସମେତ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବିନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ, ଶ୍ରୀ ରଘୁରାମ ଆର୍ ଆୟାର୍‌, ଉପ ସଚିବ ଶ୍ରୀ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ଓ ଆଇନ୍ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here