Home Administration ଠିକଣା ଭାବେ କାର୍ଯ୍ୟକରୁନି ପୁରସ୍କୃତ ସଫ୍ଟୱର

ଠିକଣା ଭାବେ କାର୍ଯ୍ୟକରୁନି ପୁରସ୍କୃତ ସଫ୍ଟୱର

ଭୁବନେଶ୍ୱର : ଯେଉଁ ସଫ୍ଟୱରକୁ ନେଇ ଓଡିଶା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ଓ ଯାହାକୁ ଅନ୍ୟ ରାଜ୍ୟ ଓଡିଶାରୁ ଖରିଦ କରିଛନ୍ତି ସେହି ସଫ୍ଟୱର ଏବେ ଓଡିଶାରେ ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଏହାକୁ ଚଳାଇବାପାଇଁ ମାଳ ମାଳ କର୍ମଚାରୀ ତାଲିମ ନେଇଥିଲେ ବି ଏଥିରେ ଚିଠିଟିଏ ଅପ୍‍ଲୋଡ ହୋଇପାରୁ ନାହିଁ ।

ଏହି ସଫ୍ଟୱରଟି ହେଉଛି ଓଡିଶା ଆଇଟି ବିଭାଗର ନିଜସ୍ୱ ପ୍ରସ୍ତୁତ ‘ଇ-ଡେସ୍‍ପାଚ୍‍’ । ୨୦୧୧ ମସିହାରେ ଓଡିଶାରେ ଏହା ଆରମ୍ଭ ହୋଇଥିବାବେଳେ ସବୁ ସ୍ତରରୁ ଏହାକୁ ଭୁରି ଭୁରି ପ୍ରଶଂସା ମିଳିଥିଲା । ଏହା ଜରିଆରେ ସମସ୍ତ ସରକାରୀ ଚିଠିକୁ ସାଧାରଣ ଲୋକେ ଦେଖିପାରିଥିଲେ । ଦେଶରେ ଏଭଳି ଏକ ସଫ୍ଟୱର କାର୍ଯ୍ୟକାରୀ କରି ଓଡିଶା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାବେଳେ ହିମାଚଳପ୍ରଦେଶ ଭଳି ରାଜ୍ୟ ଓଡିଶାରୁ ଏହାକୁ ଖରିଦ କରିଛନ୍ତି ।

ତେବେ ୧୧ ବର୍ଷରେ ପଦାର୍ପଣ କରିଥିବା ଏହି ସଫ୍ଟୱର ତାହାର ଗୌରବ ହରାଇ ବସିଛି । ଅଧିକାଂଶ ବିଭାଗ ଏଥିରେ ଆଉ ନିଜ ଚିଠି ଅପ୍‍ଲୋଡ କରୁନାହାନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ଆଇଟି ବିଭାଗ ଏହାର ପ୍ରସ୍ତୁତକର୍ତ୍ତା ସେହି ବିଭାଗ ସହିତ ଏହା ଅଧିନରେ ଥିବା ଓକାକ୍‍ର ଗୋଟିଏ ହେଲେ ଚିଠି ଏଥିରେ ଅପଲୋଡ୍‍ ହେଉ ନାହିଁ । ସେହିଭଳି ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ହେଲେ ଚିଠି ନଥିବାବେଳେ ମିଶନ ଶକ୍ତି ବିଭାଗ ଚିଠି ଅପଲୋଡ୍‍ ସ୍ଥାନରେ ‘ଶୂନ’ ଟିଏ ଲେଖି ଦେଇଛନ୍ତି ।

ତେବେ ଆଉ କିଛି ବିଭାଗ ବର୍ଷ ବର୍ଷ ଧରି ଗୋଟିଏ ହେଲେ ଚିଠି ପକାଉ ନାହାନ୍ତି । କରୋନା ସମୟରେ ବହୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠିପତ୍ର ଖୋଜିବାପାଇଁ ଇ-ଡେସପାଚ୍‍କୁ ଗଲେ ସେଠାରେ ଶେଷ ଚିଠିଟି ୨୦୧୮ ମସିହା ଅକ୍ଟୋବର ୩ତାରିଖରେ ଅପଲୋଡ୍‍ ହୋଇଥିବା ଦେଖିବାକୁ ମିଳୁଛି । ସେହିଭଳି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ସେମାନଙ୍କର ଶେଷ ଚିଠି ୨୦୧୮ ମସିହା ଡିସେମ୍ବରରେ ଅପ୍‍ଲୋଡ କରିଛନ୍ତି । ଶିଳ୍ପ ବିଭାଗ ୨୦୨୧ ମସିହା ମାର୍ଚ୍ଚ ୩ତାରିଖ ପରେ ଆଉ କୌଣସି ଚିଠି ଇ-ଡେସପାଚ୍‍ରେ ଅପ୍‍ଲୋଡ କରିନାହିଁ ।

ତେବେ ଇ-ଡେସ୍‍ପାଚରେ ଚିଠି ଅପ୍‍ଲୋଡ ପାଇଁ ବିଭିନ୍ନ ବିଭାଗର ଏକାଧିକ କର୍ମଚାରୀଙ୍କୁ ନିୟମିତ ଭାବେ ତାଲିମ ପ୍ରଦାନ କରାଯାଉଥିବାବେଳେ ସେମାନଙ୍କୁ ନିଜ ନିଜ ବିଭାଗ ପାଇଁ ‘ୟୁଜର ଆଇଡି’ ଓ ‘ପାସ୍‍ ୱାର୍ଡ’ ପ୍ରଦାନ କରାଯାଉଛି । ହେଲେ ସେମାନେ ଗୋଟିଏ ହେଲେ ଚିଠି ଅପଲୋଡ୍‍ କରିବାକୁ ଉଚିତ୍‍ ମଣୁ ନାହାନ୍ତି । ହେଲେ ବାଣିଜ୍ୟ ଓ ପରିବହନ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଭଳି କେତେକ ବିଭାଗ ନିୟମିତ ଭାବେ ନିଜ ନିଜର ଦୈନନ୍ଦିନ ଚିଠି ଅପ୍‍ଲୋଡ କରୁଛନ୍ତି । ତେବେ ଅନ୍ୟ ବିଭାଗଗୁଡିକ କାହିଁକି ବର୍ଷ ବର୍ଷ ଧରି ଇ-ଡେସପାଚ୍‍କୁ ଅଣଦେଖା କରୁଛନ୍ତି ଓ ତାଲିମ ନେଇଥିବା କର୍ମଚାରୀମାନେ କି କାର୍ଯ୍ୟ କରୁଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here