Home Covid ଟୀକା ନେଇ ନାହାନ୍ତି ୪୧ଲକ୍ଷ

ଟୀକା ନେଇ ନାହାନ୍ତି ୪୧ଲକ୍ଷ

ଭୁବନଶ୍ୱର : ଓମିକ୍ରନ ଭୂତାଣୁ ଆସି ଓଡିଶା ସୀମାରେ ପହଞ୍ଚିଥିବାବେଳେ ରାଜ୍ୟରେ ଏବେ ବି ୪୧ଲକ୍ଷ ଲୋକ କୋଭିଡ ଟୀକା ଠାରୁ ଦୂରରେ ରହିଛନ୍ତି । ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏଥି ସହିତ ଲୋକେ ତୁରନ୍ତ ନିଜଆଡୁ ଆସି ଟୀକା ନେବାକୁ ବି ଅନୁରୋଧ କରିଛନ୍ତି ।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ପ୍ରତିଶତ ଲୋକେ କୋଭିଡ ଟୀକାର ପ୍ରଥମ ଡୋଜ୍‍ ନେଇଛନ୍ତି । ଆଦୌ ଟିକା ନେଇନଥିବା ଅବଶିଷ୍ଟ ୧୩ ପ୍ରତିଶତଙ୍କ ସଂଖ୍ୟା ପ୍ରାୟ ୪୧ଲକ୍ଷ । ଏମାନଙ୍କ ମଧ୍ୟରେ ସର୍ବାଧିକ ମୟୁରଭଞ୍ଜ, କେନ୍ଦୁଝର ଓ କଟକ ଜିଲ୍ଲାର ରହିଛନ୍ତି ।

କୋଭିଡ ଟୀକାର ଦୁଇଟି ଯାକ ଡୋଜ୍‍ ନେଇଥିବା ଲୋକଙ୍କ ସଂଖ୍ୟା ୫୪ ପ୍ରତିଶତ ରହିଛି । ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ଟୀକା ନେବାପାଇଁ ଯୋଗ୍ୟ ସମସ୍ତ ଲୋକଙ୍କୁ ପ୍ରଥମ ଡୋଜ୍‍ କୋଭିଡ ଟୀକା ଦେବାକୁ ଲକ୍ଷ୍ୟ ରଖିଥିବାରୁ ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ତୁରନ୍ତ ଆସି ଟୀକା ନେବାକୁ ଶ୍ରୀ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।

ଉଲ୍ଲେଖନୀୟ ଯେ ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସରକାର କୋଭିଡ ଟିକାର ଦୁଇଟି ଡୋଜ୍‍ ଦେଉଛନ୍ତି । ପ୍ରଥମ ଡୋଜ୍‍ ନେବାର ୨୮ଦିନ ପରେ ଦ୍ୱିତୀୟ ଡୋଜ୍‍ ନେବାକୁ ଅନୁମତି ମିଳୁଛି । ଲୋକେ କିଭଳି ସହଜରେ ଆସି ଟୀକା ନେବେ ସରକାର ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ସହିତ ଟୀକାଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି ।

ଏହା ବାଦ୍‍ ବି ଲୋକେ ଟୀକା ନେବାକୁ ଅରାଜି ହେବା ଏବେ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । କାରଣ ଏବେ ବି ରାଜ୍ୟରେ ଦୈନିକ ଦେଢ ଶହରୁ ଉର୍ଧ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ବିଶ୍ୱର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ବ୍ରିଟେନରେ ହୋଇଥିବା ନେଇ ସେଠାକାର ସରକାର ସ୍ପଷ୍ଟ କରିଛନ୍ତି ।