Home Health ଟୀକା ଦାନ ପାଇଁ ତିନିଟି କକ୍ଷ

ଟୀକା ଦାନ ପାଇଁ ତିନିଟି କକ୍ଷ

ଭୁବନେଶ୍ୱର: କୋଭିଡ ଟୀକାଦାନ ପାଇଁ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏବେ ପ୍ରତ୍ୟେକ ଟୀକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ । ପ୍ରତୀକ୍ଷା କକ୍ଷ, ଟୀକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ । ଏହି ଠାରେ ହିଁ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଟୀକାଦାନ କରିବେ ।

ଭୋଟଦାନ ଭଳି ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ଟୀକାଦାନ ପାଇଁ ଯାଉଥିବା ଲୋକେ ପ୍ରଥମେ ପ୍ରତୀକ୍ଷା କକ୍ଷରେ ପହଞ୍ଚିବେ । ଏଠାରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯିବ । ସେହି ଅନୁଯାୟୀ ସେଠାରେ ଆସନ ପକାଯିବ । ଏହା ପରେ ଜଣ ଜଣ କରି ଟୀକା ଦିଆଯାଉଥିବା କୋଠରୀକୁ ପ୍ରବେଶ କରିବେ ।

ଟୀକାଦାନ କୋଠରୀରେ ଟୀକା ଫୋଡିବାପାଇଁ ତାଲିମପ୍ରାପ୍ତ ଏମ୍‍ବିବିଏସ୍‍ କିମ୍ବା ବିଡିଏସ୍‍ ଡାକ୍ତର, ଷ୍ଟାର୍ଫ ନର୍ସ, ଫର୍ମାସିଷ୍ଟ, ଏଏନ୍‍ଏମ୍‍, ଏଲଏଚ୍‍ଭି ରହିବେ । କେନ୍ଦ୍ରୀୟ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତିଦିନ ଏଠାରେ ୧୦୦ ଜଣଙ୍କୁ ଟୀକାକରଣ ପାଇଁ ସ୍ଥିର ହୋଇଛି । ଦାୟିତ୍ୱରେ ଥିବା ପ୍ରଥମ ଅଧିକାରୀ, ଯିଏକି ପୁଲିସ୍‍, ହୋମ୍‍ଗାର୍ଡ, ସିଭିଲଡିଫେନ୍ସ, ଏନ୍‍ସିସି, ଏନ୍‍ଏସ୍‍ଏସ୍‍ କିମ୍ବା ଏନ୍‍ୱାଇକେ ରୁ ଆସିଥିବେ ସେମାନେ ହିତାଧିକାରୀଙ୍କ ପଞ୍ଜିକରଣ ସ୍ଥିତି ଯାଞ୍ଚ କରିବେ । ଏହାପରେ ଦ୍ୱିତୀୟ ଅଧିକାରୀ ଯିଏକି ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ସରକାରୀ ବିଭାଗକୁ ଆସିଥିବେ ସିଏ ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରିବେ ।

ଟୀକାଦାନ କେନ୍ଦ୍ରରେ ଯେଭଳି ଗହଳି ନହେବ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବା । ଏପରିକି ଟୀକା ନେବାକୁ ଆସିଥିବା ବ୍ୟକ୍ତି ଯେଭଳି ଟୀକା ନେଲାପରେ ନିରୀକ୍ଷଣ ଗୃହରେ ଅତି କମ୍‍ରେ ୩୦ ମିନିଟ୍‍ ରହିବେ ତାହା ନିଶ୍ଚିତ କରାଯିବ । ଏଥି ସହିତ ଟୀକା ନେବାକୁ ଥିବା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ସୂଚନା ଦିଆଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆସନ୍ତା ମାସ ପ୍ରାରମ୍ଭରୁ ଟୀକାକରଣ ପାଇଁ ପ୍ରସ୍ତୁତିକାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ପାଇଲା ପରେ ରାଜ୍ୟ ସରକାର ଟୀକାଦାନ ପାଇଁ ୩୮୯୮ ସ୍ୱାସ୍ଥ୍ୟ କେନ୍ଦ୍ରର ୩,୧୭,୬୯୨ଜଣ ସ୍ୱାସ୍ଥ୍ୟସେବା କର୍ମୀଙ୍କଡାଟା ବେସ୍‍ ପ୍ରସ୍ତୁତ କରିଛନ୍ତି । ଏହି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ନିକଟରେ ଟୀକାଦାନ ପାଇଁ ସ୍ଥାନ ଚିହ୍ନଟ ସରିଥିବାବେଳେ ଏବେ ଟୀକାଦାନର ପ୍ରସ୍ତୁତି ପର୍ବ ପ୍ରାୟତଃ ଚୂଡାନ୍ତ ହୋଇଛି ।

ଏବେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହେବାକୁ ଯଉଥିିବା ଟୀକା ସମେତ ଆମେରିକା, ଇଂଲଣ୍ଡ, ରୁଷିଆ ଆଦି ଆଉ କେତେକ ଦେଶ ପ୍ରସ୍ତୁତ କରୁଥିବା ଟୀକା ଉପରେ ନଜର ରଖିଛି । ତେବେ ଏଯାବତ୍‍ ବିଦେଶରୁ ଗୋଟିଏ ହେଲେ ଟୀକାର ଡୋଜ୍‍ ଆସିନାହିଁ କିମ୍ବା ଦେଶୀୟ ଟୀକାର ଚୂଡ଼ାନ୍ତ ପରୀକ୍ଷଣ ମଧ୍ୟ ସରିନାହିଁ । ତେବେ କିଛି ସପ୍ତାହ ମଧ୍ୟରେ ଟୀକା ମିଳିଯିବ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।