Home Health ଟୀକାକରଣ ଲାଗି ପ୍ରସ୍ତୁତ ରୁହ

ଟୀକାକରଣ ଲାଗି ପ୍ରସ୍ତୁତ ରୁହ

ଭୁବନେଶ୍ୱର : କୋଭିଡ ଟୀକାକରଣ ନିମନ୍ତେ ପ୍ରସ୍ତୁତ ହୋଇ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କୋଭିଡ ଟୀକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୀକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଓ ଏହି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଠିକ୍‍ ଭାବେ ତାଲିମ ଦେବା ଓ ଆବଶ୍ୟକ ହେଲେ ବିଭିନ୍ନ ବ୍ଲକ ଗୁଡିକୁ ଯାଇ ସମୟୋଚିତ ପଦକ୍ଷେପ ଟୀକାକରଣ ପ୍ରସ୍ତୁତିକୁ ଅନୁଧ୍ୟାନ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ସଠିକ ରୂପାୟନ କିପରି ହୋଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ଲାଗି ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀଙ୍କୁ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକ ସମ୍ପର୍କରେ ବୁଝାଇଥିଲେ । ଏହାଛଡା ଯେକୌଣସି ପାଶ୍ୱର୍ ପ୍ରତିକ୍ରିୟାକୁ ଦକ୍ଷତାର ସହ କିପରି ମୁକାବିଲା କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

କୋଭିଡ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧା ତଥା ୫୦ବର୍ଷରୁ ଉର୍ଧ ବ୍ୟକ୍ତି ଏବଂ ୫୦ବର୍ଷରୁ କମ୍‍ ଅଣସଂକ୍ରାମକ ରୋଗୀଙ୍କୁ ଚିହ୍ନଟ କରିବା ଓ ଟୀକାକରଣ ସମ୍ବନ୍ଧୀୟ ସ୍ଥାନ କିପରି ନିରୂପଣ କରାଯିବ ତାହାର ମାର୍ଗଦର୍ଶିକା ସଂକ୍ରାନ୍ତରେ ଶ୍ରୀମତୀ ପଣ୍ଡିତ ଆଲୋକପାତ କରିଥିଲେ ।

ଓସ୍ୱାନ ପ୍ଲାଟଫର୍ମ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦ୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।