Home Election ଟିପ ଚିହ୍ନ ଦେଉଛନ୍ତି ପାଠୁଆ ମତଦାତା

ଟିପ ଚିହ୍ନ ଦେଉଛନ୍ତି ପାଠୁଆ ମତଦାତା

ଭୁବନେଶ୍ୱର : ତ୍ରିସ୍ତରୀୟ ନିର୍ବାଚନର ଦୁଇ ପର୍ଯ୍ୟାୟରେ ୮୦ ପ୍ରତିଶତ ପାଖାପାଖି ମତଦାନ ଦେଉଥିବାବେଳେ ମତଦାତାମାନେ କିନ୍ତୁ ଅତି ନିରକ୍ଷର ଭାବେ ସେମାନଙ୍କର ସନ୍ତକ ଦେଉଛନ୍ତି । ସମୟର ଆଳ ଦେଖାଇ ସ୍ନାତକୋତ୍ତର ଓ ସ୍ନାତକ ଡିଗ୍ରୀଧାରୀମାନଙ୍କ ଠାରୁ ବି ଭୋଟଗ୍ରହଣ କେନ୍ଦ୍ରରେ ବାଲାଟ ପେପର ଉପରେ ଟିପଚିହ୍ନ ନିଆଯାଉଛି । ଏଭଳି ବିଚିତ୍ର ଘଟଣା ଦେଖାଯାଇଛି ଜଗତ୍‍ସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତର ଗୋଟିଏ ମତଦାନକେନ୍ଦ୍ର ସମେତ ଆଉ କେତେକ ସ୍ଥାନରେ ।

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟ ମତଦାନ ସରିଛି । ଭୋଟଗ୍ରହଣ ଦିନ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ମତଦାନ ହେଉଛି । ତେବେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସୁଥିବା ମତଦାତମାନେ ବାଲାଟପେପରରେ ଦସ୍ତଖତ କରିବା ବଦଳରେ ଟିପଚିହ୍ନ ଦେଉଛନ୍ତି । ପାଠୁଆ ଭୋଟରମାନେ ଯେ ସ୍ୱଇଚ୍ଛାରେ ଟିପଚିହ୍ନ ଦେଉଛନ୍ତି ତାହା ନୁହେଁ, ଅତି କମ୍‍ରେ ୪ଟି ବାଲାଟପେପରରେ ଦସ୍ତଖତ କଲେ ଅଧିକ ସମୟ ଲାଗିବାର ଆଳ ଦେଖାଇ ଭୋଟ ଦାୟିତ୍ୱରେ ଥିବା କର୍ମଚାରୀମାନେ ଲୋକଙ୍କୁ ଟିପ ଦେବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ।

ଯେହେତୁ ସରକାରୀ ବାବୁମାନେ ଟିପ ଦେବାକୁ କହୁଛନ୍ତି ଓ କାଳ ବିଳମ୍ବ ନକରି ଲୋକଙ୍କ ଆଙ୍ଗୁଠିକୁ ନେଇ କାଳିରେ ବୁଡାଇ ଟିପ ଦେଉଛନ୍ତି, ତେଣୁ ଗାଁ ଗହଳର ଲୋକେ ଏହାର ପ୍ରତିବାଦ କରିବାର ସାହସ କୁଳାଇ ପାରୁନାହାନ୍ତି । ଯଦି କେହି ଟିପ ଦେବାକୁ ଥତମତ ଦେଉଛି ତାକୁ ସେହି ବୁଥ୍‍ ଭିତରେ ବିଭିନ୍ନଦଳର ଏଜେଣ୍ଟ ସାଜିଥିବା ଲୋକେ ସମୟ ନାହିଁ ଟିପ ଦେଇଦିଅ ବୋଲି କହୁଛନ୍ତି । ଏହା ପରେ ବି ଯଦି କୌଣସି ଶିକ୍ଷିତ ବ୍ୟକ୍ତି ଅଡି ବସୁଛନ୍ତି ତେବେ ତାଙ୍କୁ ବାଲାଟପେପରରେ ଦସ୍ତଖତ କରିବାର ସୁଯୋଗ ମିଳୁଛି । ତେବେ ଏହି ସୁଯୋଗ ଅଧିକାଂଶ ମତଦାନ କେନ୍ଦ୍ରରେ ସମସ୍ତଙ୍କୁ ମିଳୁନାହିଁ ।

ଉଲ୍ଲେଖନୀୟ ଯେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ମତଦାତାମାନେ ଏକକାଳୀନ ୪ଜଣ ପ୍ରାର୍ଥୀଙ୍କୁ ବାଲାଟପେପରରେ ମୋହରମାରି ର୍ନିବାଚିତ କରୁଛନ୍ତି । ସେମାନେ ହେଲେ ଜିଲ୍ଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର । ଏଥିପାଇଁ ୪ଟି ବିଭିନ୍ନ ରଙ୍ଗର ବାଲାଟପେପର ରହିଛି ଓ ପ୍ରତି କାଗଜରେ ମତଦାତାଙ୍କ ସନ୍ତକ ଆବଶ୍ୟକ ବାଧ୍ୟତାମୂଳକ । ତେବେ ମତଦାନ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ପୂର୍ବରୁ ବାଲାଟ ପେପରରେ ନିଜେ ଦସ୍ତଖତ କରୁଥିବାବେଳେ ମତଦାତାଙ୍କ ଠାରୁ କିନ୍ତୁ ଟିପଚିହ୍ନ ନେଉଛନ୍ତି ।

ଚଳିତ ନିର୍ବାଚନରେ ଗାଁ ଗହଳରେ ଶିକ୍ଷା ଓ ବୟସ ନିର୍ବିଶେଷରେ ଉଭୟ ଯୁବବର୍ଗ ଓ ବୟସ୍କମାନେ ଯେଭଳି ଟିପଚିହ୍ନ ଦେଉଛନ୍ତି ତାହାକୁ ଯଦି ସାକ୍ଷରତାର ମାନଦଣ୍ଡ ହିସାବରେ ଗଣାଯିବ ତେବେ ବହୁ ଗାଁରେ ଲୋକେ ଶତପ୍ରତିଶତ ନିରକ୍ଷର ବୋଲି ପ୍ରମାଣିତ ହୋଇଯିବ । ତେଣୁ ସମୟ ଅବଧି ବୃଦ୍ଧି ହେଉ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥାକରି ସାକ୍ଷର ଲୋକଙ୍କ ଠାରୁ ଟିପଚିହ୍ନ ନେବା ବଦଳରେ ସେମାନଙ୍କୁ ଦସ୍ତଖତ କରିବାର ସୁଯୋଗ ଦେବାପାଇଁ ମତପ୍ରକାଶ ପାଉଛି ।

ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସରଙ୍କ ସମେତ ଅନ୍ୟ ଅଧିକାରୀମାନେ ଦସ୍ତଖତ କରୁଛନ୍ତ । ସେହିଭଳି ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିୟୋଜିତ ପୁଲିଂ ଏଜେଣ୍ଟମାନଙ୍କ ଦସ୍ତଖତ ନିର୍ଦ୍ଧାରିତ ଫର୍ମରେ ନିଆଯିବା ସହିତ ବାଲାଟ ବକ୍ସ ସିଲ୍‍ କରାଯିବାବେଳେ ବି ଏମାନଙ୍କ ଦସ୍ତଖତ ରହୁଛି । ଅଥଚ ଭୋଟରମାନଙ୍କୁ ଜୋର ଜବରଦସ୍ତ ଟିପ ଚିହ୍ନ ଦେବାକୁ କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ନିରକ୍ଷର ଲୋକ ପ୍ରାର୍ଥୀ ହୋଇପାରିବେ ନାହିଁ, ଅଥଚ ସାକ୍ଷର ଲୋକଙ୍କୁ ନିରକ୍ଷର ବନାଇ ଭୋଟ ନିଆଯାଉଛି । (ତଥ୍ୟ)