Home Energy ଟିପିସିଓଡିଏଲ୍‍ର ସବୁଜ ଅଭିଯାନ

ଟିପିସିଓଡିଏଲ୍‍ର ସବୁଜ ଅଭିଯାନ

ଭୁବନେଶ୍ୱର: ସବୁଜ ଓ ସ୍ୱଚ୍ଛ ଦୁନିଆ ଗଠନ କରିବା ଲାଗି ଟାଟା ଗ୍ରୁପ୍‌ର ରହିଥିବା ମୂଲ୍ୟବୋଧ ଅନୁସାରେ ଟିପିସିଓଡିଏଲ୍‍ ପକ୍ଷରୁ ଟାଟା ପାୱାରର ଉଚ୍ଚ ପ୍ରଶଂସିତ କ୍ଲବ୍ ଏନର୍ଜି ଓ ବୃକ୍ଷ ମିତ୍ର (ଟ୍ରି ମିତ୍ର) କାର୍ଯ୍ୟକ୍ରମକୁ ଏହାର କାର୍ଯ୍ୟକ୍ଷେତ୍ରରେ ଶୁଭାରମ୍ଭ କରାଯାଇଛି ।

କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାରର ସମ୍ବଳ ଓ ଶକ୍ତି ସଂରକ୍ଷଣ ଅଭିଯାନ ଯେଉଁଥିରେ ସ୍କୁଲ ପିଲାମାନଙ୍କୁ ଶକ୍ତି ସଂରକ୍ଷଣର ମୌଳିକ କିନ୍ତୁ ଆବଶ୍ୟକ ଉପାୟ ବିଷୟରେ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ସୁରକ୍ଷା ଓ ମୂଲ୍ୟବୋଧକୁ ନେଇ ସେମାନଙ୍କ ମଧ୍ୟରେ ଚେତନା ବୃଦ୍ଧି କରାଯାଉଛି ।

ଛାତ୍ରଛାତ୍ରୀ, ପ୍ରିନ୍ସିପାଲ୍‌, ଶିକ୍ଷକ, ଅଭିଭାବକ ଓ ସହଯୋଗୀଙ୍କ ସହାୟତାରେ ଏହି ଅଭିଯାନକୁ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି ଯାହା ଟାଟା ପାୱାରକୁ ୫୩୩ରୁ ଅଧିକ ସ୍କୁଲରେ ପହଂଚିବା, ୨୯ ନିୟୁତରୁ ଅଧିକ ନାଗରିକଙ୍କୁ ସଚେତନ କରିବା ଏବଂ ୩୩ ନିୟୁୁତ ୟୁନିଟ୍ ଶକ୍ତି ସଂଚୟ କରିବାରେ ଟାଟା ପାୱାର ପାଇଁ ସହାୟକ ହୋଇଛି ।

ଏହି ଅଭିଯାନର ପ୍ରସାର କରିବା ଲାଗି, ଟିପିସିଓଡିଏଲ୍ ପକ୍ଷରୁ ଜବାହାର ନବୋଦୟ ବିଦ୍ୟାଳୟ, ମୁଣ୍ଡୁଳି ଓ କେନ୍ଦ୍ରୀୟ ବିଦ୍ୟାଳୟ-୨, କଟକ ଭଳି ଦୁଇଟି ସ୍କୁଲ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଓ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ଶକ୍ତି ସଂରକ୍ଷଣ ମଡ୍ୟୁଲ୍ ଉପରେ ଭର୍ଚ୍ରୁଆଲ୍ ଅଧିବେଶନ ଆୟୋଜନ କରାଯାଇଛି । ସାରା ରାଜ୍ୟରେ ସମାନ ଧରଣର ପ୍ରଭାବ ଲାଗି ଓଡ଼ିଶା ସାରାରେ ଥିବା ସ୍କୁଲ୍‌ଗୁଡ଼ିକ ସହିତ ଏହି ସବୁଜ ସହଯୋଗିତା ସ୍ଥାପନ କରିବା କାର୍ଯ୍ୟ ଜାରି ରହିବ ।

ଏହି ଅଧିବେଶନରେ ବର୍ଣ୍ଣନା କରାଯାଇଥିବା ବିଷୟବସ୍ତୁ ପିଲାମାନଙ୍କ ମଧ୍ୟରେ ଜୀବଜଗତକୁ ନେଇ ଏକ ମାନସିକତା ସୃଷ୍ଟି କରିବା ଏବଂ ସଂପ୍ରତି ପରିବେଶ ଆହ୍ୱାନଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ ଅତିକ୍ରମ କରିବା ଲାଗି ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଅଭିଯାନ ଜରିଆରେ ପିଲାମାନେ ଏକ ଉଜ୍ଜ୍ୱଳ ଓ ସବୁଜ ଭବିଷ୍ୟତର ପଥ ପ୍ରଦର୍ଶନ କରିପାରିବେ ।

ଟ୍ରି ମିତ୍ର ବା ବୃକ୍ଷ ମିତ୍ର ହେଉଛି ଆଉ ଏକ ସବୁଜ ଅଭିଯାନ ଯାହାକୁ କଂପାନି ୪୦ ବର୍ଷ ଧରି ପାଳନ କରୁଛି । ଏହି ଅଭିଯାନରେ ଗ୍ରୁପ୍‌ର ବିଭିନ୍ନ ସ୍ଥାନରେ ୧୦୦ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି । ବର୍ତମାନ ସୁଦ୍ଧା, ଟିପିସିଓଡିଏଲ୍ ପକ୍ଷରୁ ନୟାଗଡ଼ ଓ ଅନୁଗୁଳ ବିଦ୍ୟୁତ ଡିଭିଜନ୍‌ରେ ପ୍ରାୟ ୭୦୦ ଚାରା ରୋପଣ କରାଯାଇଛି ଯେଉଁଠାରେ ଏହାର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି ଏବଂ ରୋପଣ କରାଯାଇଥିବା ଚାରାର ଦାୟିତ୍ୱ ନେବା ଲାଗି ଶପଥ ଗ୍ରହଣ କରିଛନ୍ତି । ଏହି ଅଭିଯାନକୁ ରାଜ୍ୟରେ ଥିବା ସମସ୍ତ ବିଦ୍ୟୁତ ଡିଭିଜନ୍‌ରେ ଶ୍ରେଷ୍ଠ ଉତ୍ସାହ ସହ ରାଜ୍ୟରେ ସବୁଜ ବଳୟ ବୃଦ୍ଧି ଲାଗି କାର୍ଯ୍ୟକାରୀ କରାଯିବ ।

ଏହି ଅଭିଯାନ ସମ୍ପର୍କରେ ଏମ୍ ସେନ୍‌ବାଗମ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିସିଓଡିଏଲ୍ କହିଛନ୍ତି ଯେ, “ରାଜ୍ୟ ଜଙ୍ଗଲ ବିଭାଗ ସହଯୋଗରେ ଟ୍ରି ମିତ୍ର ଅଭିଯାନକୁ କାର୍ଯ୍ୟକାରୀ କରିବା ଆମକୁ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଛି । ଆମ ସମାଜ, ସହର ଏବଂ ସମ୍ପୂର୍ଣ୍ଣ ଗ୍ରହ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଟ୍ରି ମିତ୍ର ଓ କ୍ଲବ୍ ଏନର୍ଜି ସବୁଜ ଅଭିଯାନ । ଆମର ବିଶ୍ୱାସ ରହିଛି ଯେ ସଚେତନତା ସୃଷ୍ଟି କରିବାର ଶ୍ରେଷ୍ଠ ସ୍ଥାନ ହେଉଛି ସ୍କୁଲ୍ ଯାହା ବ୍ୟକ୍ତିର ମୂଳଦୁଆ ପକାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତେଣୁ ଏହି କ୍ଷେତ୍ରରେ ଯେକୌଣସି ହସ୍ତକ୍ଷେପ ଉତ୍ତମ ଭବିଷ୍ୟତ ଲାଗି ବହୁ ପରିମାଣ ଫଳ ପ୍ରଦାନ କରିବ ।’’