Home Covid ଟିକା ପାଇଁ ଡହଳ ବିକଳ…..

ଟିକା ପାଇଁ ଡହଳ ବିକଳ…..

ଭୁବନେଶ୍ୱର : ଓଡିଶାରେ ଏବେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ ଟିକା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ଜଣ ଚିହ୍ନିତ ହୋଇଥିବାବେଳେ କୋଭିଡ ମୃତ୍ୟୁସଂଖ୍ୟା ୨୦୪୩ରେ ପହଞ୍ଚିଛି ।

ଗତକାଲିର ସୂଚନା ଅନୁଯାୟୀ ଓଡିଶାରେ ୫୭,୭୧୦ଜଣ କରୋନା ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ଆଜି ଏହି ସଂଖ୍ୟା ୬୧,୬୯୮କୁ ବୃଦ୍ଧିପାଇଛି । ତେବେ ସଂଖ୍ୟାଧିକ କରୋନା ସଂକ୍ରମିତ ଡାକ୍ତରଖାନା ନଆସି ସଂଗେରୋଧରେ ଚିକିତ୍ସିତ ହେଉଥିବା ଦୃଷ୍ଟିରୁ ଅନେକ ସ୍ଥାନରେ କୋଭିଡ ଡାକ୍ତରଖାନାରେ ଶଯ୍ୟା ଖାଲିପଡିଛି । ତେବେ ଖୋରଧା, କଟକ, ପୁରୀ ସମେତ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ କିନ୍ତୁ କୋଭିଡ ଡାକ୍ତରଖାନାଗୁଡିକରେ ସଂଖ୍ୟାଧିକ ଶଯ୍ୟାରେ ରୋଗୀ ଭର୍ତ୍ତି ହୋଇଛନ୍ତି ।

କୋଭିଡ ନିୟନ୍ତ୍ରଣ ପାଇଁ ଚାଲିଥିବା ଟିକାକରଣ ଅଭିଯାନ ଏବେ ଏକପ୍ରକାର ଅଚଳାବସ୍ଥାରେ ପହଞ୍ଚିଛି । ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟକୁ ମାଗଣାରେ ଟିକା ଯୋଗାଇଦେବା ଫଳରେ ତିନିଟି ପର୍ଯ୍ୟାୟରେ ପାଖାପାଖି ୫୮ଲକ୍ଷ ଡୋଜ୍‍ ଟିକା ଦିଆଯାଇଥିଲା । ଏଥି ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ଅର୍ନ୍ତଭୁକ୍ତ । ପ୍ରଥମ ଡୋଜ୍‍ ଟିକା ନେଇଥିବା ଲୋକଙ୍କ ଭିତରୁ ପାଖାପାଖି ସାଢେ ୬ଲକ୍ଷ ଲାକ ଦ୍ୱିତୀୟ ଡୋଜ୍‍ ଟିକା ଅପେକ୍ଷାରେ ଥିବାବେଳେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଅତି ବେଶିରେ ଲକ୍ଷେ ଡୋଜ୍‍ ଟିକା ଥିବା କୁହାଯାଉଛି ।

ଟିକା ଯୋଗାଣକୁ ସୁନିଶ୍ଚିତ ନକରି କେନ୍ଦ୍ର ସରକାର ମଇ ପହିଲାରୁ ୧୮ବର୍ଷରୁ ଉର୍ଧ ଲୋକଙ୍କୁ ଟିକା ଦେବାପାଇଁ ଘୋଷଣା କରିବା ସହ ରାଜ୍ୟ ସରକାରମାନେ ଟିକା କିଣି ନିଜ ଖର୍ଚ୍ଚରେ ଦେବାକୁ କହିଥିଲେ । ଏହା ପରେ ପରେ ଟିକା ପ୍ରସ୍ତୁତ କରୁଥିବା ସେରମ ଓ ଭାରତ ବାୟୋଟକ ସଂସ୍ଥା ଟିକା ଦର ବୃଦ୍ଧି କରିଥିଲେ । କେନ୍ଦ୍ର ସରକାରଙ୍କୁ ଏମାନେ ୧୫୦ ଟଙ୍କାରେ ଟିକା ବିକିବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ରୁ ୬୦୦ ଓ ବେସରକାରୀ ସଂସ୍ଥାଙ୍କ ପାଇଁ ୧୨୦୦ ଟଙ୍କା ଓ ତଦୁର୍ଧ ଦରରେ ଯୋଗାଇବାକୁ ଘୋଷଣା କରିଥିଲେ । ପରେ ସେରମ ଇନଷ୍ଟିଟ୍ୟୁଟ ୧୦୦ ଟଙ୍କା ଓ ଭାରତ ବାୟୋଟେକ ୨୦୦ ଟଙ୍କାକରି ଦର ରାଜ୍ୟ ସରକାରଙ୍କ ଟିକା କ୍ଷେତ୍ରରେ କମାଇଛନ୍ତି ।

ଇତି ମଧ୍ୟରେ ଓଡିଶା ସରକାର ଉଭୟ ସଂସ୍ଥାରୁ ଟିକା କିଣିବାପାଇଁ ବରାଦ ଦେଇଛନ୍ତି ଏବଂ ୨୦୦୦ କୋଟି ଟଙ୍କା ଖର୍ଚ୍ଚକରି ରାଜ୍ୟ ସରକାର ମାଗଣାରେ ଟିକା ଡୋଜ୍‍ ଯୋଗାଇଦେବେ ବୋଲି କହିଛନ୍ତି । ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଅନେକ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି । ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦେବାପାଇଁ ନାମ ପଞ୍ଜିକରଣ ଚାଲିଥିବାବେଳେ ସେମାନଙ୍କ ଲାଗି ଟିକା ନାହିଁ ।

ପୂର୍ବରୁ ପ୍ରଥମ ଡୋଜ୍‍ ଟିକା ନେଇସାରିଥିବା ପ୍ରାୟ ସାଢେ ୬ଲକ୍ଷ ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍‍ ଟିକା କିପରି ଦିଆଯିବ ସେଥିଘେନି ପ୍ରଶ୍ନବାଚୀ ଉଠିଛି । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବେସରକାରୀ ଡାକ୍ତରଖାନାଗୁଡିକ ୨୫୦ଟଙ୍କାର ସର୍ଭିସ ଚାର୍ଜ ପାଇ ଟିକା ଦେଉଥିଲେ । ଏବେ ସେମାନେ କେତେ ଦରରେ ଟିକା ଦେବେ ସେଥିଘେନି ସରକାରୀ ସ୍ତରରେ କିଛି ସ୍ଥିର ହୋଇନଥିବାବେଳେ ଯେଉଁମାନେ ଏହି ଘରୋଇ ସଂସ୍ଥାରେ ପ୍ରଥମ ଡୋଜ୍‍ ଟିକା ନେଇଥିଲେ ସେମାନେ ଦ୍ୱନ୍ଦରେ ପଡିଛନ୍ତି । (ତଥ୍ୟ)