Home Covid ଟିକାଦାନ ସ୍ଥଳ ବିଶୃଙ୍ଖଳାର କେନ୍ଦ୍ରବିନ୍ଦୁ

ଟିକାଦାନ ସ୍ଥଳ ବିଶୃଙ୍ଖଳାର କେନ୍ଦ୍ରବିନ୍ଦୁ

ଭୁବନେଶ୍ୱର : କରେନା କାଳରେ ସଂକ୍ରମଣ ରୋକିବାପାଇଁ ଟିକା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱଆରୋପ କରୁଥିବାବେଳେ ସଂଖ୍ୟାଧିକ ଟିକାକରଣ କେନ୍ଦ୍ରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଠାରୁ କରୋନା ସଂକ୍ରମଣ ବୃଦ୍ଧିପାଇବା ଘେନି ଆଶଙ୍କା ଉପୁଜୁଛି । ରାସ୍ତାଘାଟରେ ଅମାନିଆନେ ଯେମିତି ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ସତ୍ୱେ ବିଶୃଙ୍ଖଳା ଆଚରଣ କରୁଛନ୍ତି ସେହିପରି ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଟିକାକରଣ କେନ୍ଦ୍ରଗୁଡିକ ବିଶୃଙ୍ଖଳାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଟିକାକରଣକୁ ସୁବ୍ୟବସ୍ଥିତ କରିବାପାଇଁ ଅନ୍‍ଲାଇନ୍‍ରେ ସ୍ଳଟ୍‍ ବୁକିଂ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଏବଂ ଟିକା ଅପେକ୍ଷାରେ ଥିବା ଲୋକେ ବି ଆଗ୍ରହପ୍ରକାଶ କରି ନିର୍ଦ୍ଦିଷ୍ଟ ଦିନର ଯେଉଁ ସମୟରେ ଟିକା ନେବେ ସେଥିପାଇଁ ସ୍ଲଟ ବୁକିଂ କରୁଛନ୍ତି । ସ୍ଲଟ ବୁକିଂର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଯେଉଁ ସମୟରେ ଟିକା ନେବାକୁ ସ୍ଲଟ ମିଳିଛି ସେମାନଙ୍କୁ ସେହି ସମୟରେ ହିଁ ଟିକା ଦିଆଯିବ । ଏହା ଫଳରେ ଟିକାଦାନ କେନ୍ଦ୍ରଗୁଡିକରେ ଗହଳି ନହେବା ସହିତ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ ଏବଂ କାହାର ବି ସମୟ ବରବାଦ ହେବନାହିଁ ।

କିନ୍ତୁ ଅନେକ ଟିକାଦାନ କେନ୍ଦ୍ରରେ ବିଶୃଙ୍ଖଳା ଏଭଳି ହେଉଛି ଯେ ୭୦/୮୦ବର୍ଷର ଲୋକ ଏମିତିକି ବିଭିନ୍ନ ରୋଗରେ ପୀଡିତ ଏବଂ ଗୋଡହାତ ଭାଙ୍ଗିଥିବା ଲୋକଙ୍କୁ ପ୍ରବଳ ଧସ୍ତାଧସ୍ତି ମଧ୍ୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।

ରାଜ୍ୟ ସରକାର ଏବେ ଟିକା ଗ୍ରହିତାମାନଙ୍କୁ ତିନିଟି ଗୋଷ୍ଠିରେ ବିଭକ୍ତ କରିଛନ୍ତି । ୧୮ରୁ ୪୪ବର୍ଷ ପର୍ଯ୍ୟନ୍ତ ଗୋଷ୍ଠିଙ୍କୁ ସ୍ଲଟ ବୁକିଂ ଅନୁଯାୟୀ ସକାଳ ବେଳା ଟିକା ଦେବାର ବ୍ୟବସ୍ଥା ଥିବାବେଳେ ଏମାନଙ୍କ ଭିତରେ ଥିବା ମହିଳା, ଅନ୍ୟ ରୋଗୀ ଓ ଶାରିରୀକ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ହେଉନାହିଁ ।

ସେହିପରି ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନଙ୍କ ଲାଗି ତିନିଟି ସ୍ଲଟ୍‍ରେ ଟିକା ଦିଆଯିବାର ବ୍ୟବସ୍ଥା ଅଛି । ଏମାନଙ୍କ ମଧ୍ୟରେ ଯେଉଁମାନେ ଦ୍ୱିତୀୟ ଡୋଜ୍‍ ଟିକା ନେବେ ସେମାନଙ୍କୁ ପ୍ରାଥମିକତା ଦେବାକୁ କୁହାଯାଉଥିବାବେଳେ ସଂଖ୍ୟାଧିକ ଟିକାକରଣ କେନ୍ଦ୍ରରେ କିନ୍ତୁ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଆଶାୟୀଙ୍କୁ ଛିଡାକରି ରଖାଯାଉଥିବାରୁ ବହୁ କ୍ଷେତ୍ରରେ ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଟିକାପାଇଁ ଯେଉଁମାନଙ୍କୁ ସ୍ଲଟ ଦିଆହୋଇଛି ସେମାନେ ବି ୬ଟା ପର୍ଯ୍ୟନ୍ତ ଛିଡାହୋଇ ରହୁଛନ୍ତି । ଏମାନଙ୍କ କ୍ଷେତ୍ରରେ ବି ମହିଳା, ଭିନ୍ନକ୍ଷମ ଓ ରୋଗୀମାନଙ୍କ ଲାଗି ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ନାହିଁ । ବିନା ସ୍ଲଟ ରେଜିଷ୍ଟ୍ରସନରେ ବଣ୍ଟା ଯାଉଥିବା ଟୋକନ ଅନେକ କେନ୍ଦ୍ରରେ ବିଶୃଙ୍ଖଳାର ମୁଖ୍ୟ କାରଣ ହେଉଛି ।

ଟିକାଦାନ କେନ୍ଦ୍ର ଦାୟିତ୍ୱରେ ଥିବା ଅନେକ ଡାକ୍ତର ଓ କର୍ମଚାରୀ କହୁଛନ୍ତି ଯେ ଲୋକସଂଖ୍ୟାକୁ ଦେଖି ଅଧିକ ସଂଖ୍ୟକ ଟିକା ଦେବା ନର୍ସ, ଫମାସିଷ୍ଟ ଓ ଡାକ୍ତର ନିୟୋଜିତ ରହିବାକଥା । ଏହାଛଡା ପଞ୍ଜିକରଣ ପାଇଁ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଗୁରୁତର ବିଭ୍ରାଟ ରହୁଛି । ଫଳରେ ଅନେକ କ୍ଷେତ୍ରରେ ସରଗରମ ପରିସ୍ଥିତି ଉପୁଜୁଛି । ବିଶୃଙ୍ଖଳା ଯୋଗୁଁ ଟିକା ଦେଉଥିବା କର୍ମଚାରୀମାନଙ୍କୁ ବି ଢେର ଅଧିକ ସମୟ ଡ୍ୟୁଟି କରିବାକୁ ପଡୁଛି ।

ଗୋଟିଏ ଗୋଟିଏ କେନ୍ଦ୍ର ପାଇଁ ସ୍ଲଟ୍‍ରେ ଯେତିକି ଲୋକଙ୍କର ବୁକିଂ ରହୁଛି ସେହି ସମୟ ମଧ୍ୟରେ କେବଳ ସେହିମାନଙ୍କୁ ଡାକି ପରିସରରେ ନିର୍ଦ୍ଦିଷ୍ଟ ଦୂରତାରେ ଚଉକିରେ ବସାଇ ପଞ୍ଜିକରଣ ସହ ଜଣ ଜଣଙ୍କର ନାଁ ଡାକି ଟିକା ଦେଲେ ଏଭଳି ସମସ୍ୟା ହୁଅନ୍ତା ନାହିଁ କିମ୍ବା ଧସ୍ତାଧସ୍ତି ଯୋଗୁଁ ଟିକାଦାନ କେନ୍ଦ୍ରରୁ କରୋନା ବଣ୍ଟନ ଭଳି ସାଂଘାତିକ ଅବସ୍ଥା ଉପୁଜନ୍ତା ନାହିଁ ବୋଲି ବିଶେଷଜ୍ଞ ଡାକ୍ତରମାନେ କହୁଛନ୍ତି । (ତଥ୍ୟ)