Home Health ଟିକାକୁ ନେଇ ଆରୋପ ପ୍ରତିଆରୋପ

ଟିକାକୁ ନେଇ ଆରୋପ ପ୍ରତିଆରୋପ

ଭୁବନେଶ୍ୱର : କରୋନା ପ୍ରତିଷେଧକ ଟିକା ଆସିବା ପରେ ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ୫ କୋଟିରୁ ଅଧିକ ଲୋକ ବିଭିନ୍ନ ସଂସ୍ଥା ଦ୍ୱାରା ବିକଶିତ ଏହି ଟିକା ନେଇସାରିଲେଣି । ଆମ ରାଜ୍ୟ ଓ ଦେଶରେ ଏହି ଟିକାକରଣ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ସୀମିତ ଲୋକଙ୍କ ମଧ୍ୟରେ ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ଲୋକ ଏହି ଟିକା ନେବେ । କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ନେତାମାନେ ଯେଭଳି ଟିକାକୁ ନେଇ ଆରୋପ ପ୍ରତିଆରୋପ କରୁଛନ୍ତି ସେଥିରେ ପ୍ରଭାବିତ ନ ହୋଇ ବୈଜ୍ଞାନିକ ଓ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଏହା ନେବାଲାଗି ମତପ୍ରକାଶ ପାଉଛି ।

ଏବେ ଆମେରିକାରେ ମଡେର୍ଣ୍ଣା ଓ ଫାଇଜରର ଟିକା ବେଶ୍‍ ଲୋକପ୍ରିୟ ହୋଇଥିବା ବେଳେ ଇଂଲଣ୍ଡରେ ଅକ୍ସଫୋର୍ଡ ଟିକାର ଚାହିଦା ବଢ଼ିଛି । ସେହିଭଳି ଚୀନ୍‍, ରୁଷିଆ ଭଳି ଦେଶମାନେ ବିକଶିତ କରିଥିବା ଟିକା ମଧ୍ୟ ସେଠାକାର ଲୋକଙ୍କୁ ଦିଆଯାଉଥିବା ବେଳେ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ବିଦେଶରୁ ଟିକା ଆମଦାନୀ କରି ବ୍ୟବହାର କରୁଛନ୍ତି ।

ଭାରତରେ ଅକ୍ସଫୋର୍ଡ ବିକଶିତ କରିଥିବା ଟିକା ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ପ୍ରସ୍ତୁତ କରି ଯୋଗାଣ ଆରମ୍ଭ କରିଛି । ଏହାଛଡ଼ା ଆମ ଦେଶର ସ୍ୱଦେଶୀ ଟିକା ଭାରତ ବାୟୋଟେକ୍‍ କମ୍ପାନୀ ମଧ୍ୟ ବିକଶିତ କରୁଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଏହି ଟିକା ମାଗଣାରେ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ଯୋଗାଇଛନ୍ତି ଯେଉଁଥିରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଆଦିଙ୍କୁ ଏହା ଦେବା ଲାଗି ଡାଟାବେଶ୍‍ ପ୍ରସ୍ତୁତ ହେବା ସହ କିଏ କେଉଁଦିନ କେଉଁଠି ଟିକା ନେବେ ସେ ସଂକ୍ରାନ୍ତରେ ବି ତାଲିକା ପ୍ରସ୍ତୁତ ହୋଇଛି । ତେବେ ଏହି ଟିକାକରଣକୁ ଇଚ୍ଛାଧୀନ ରଖାଯାଇଛି । ଏଥିଲାଗି କାହାକୁ ବାଧ୍ୟ କରାଯାଇପାରିବ ନାହିଁ ।

ଏବେ ସାମାଜିକ ଗଣମାଧ୍ୟମ ସମେତ ଉଭୟ ବିଦ୍ୟୁତ୍‍ ଓ ଛପା ଗଣମାଧ୍ୟମରେ କରୋନା ପ୍ରତିଷେଧକ ଟିକା ସପକ୍ଷରେ ଓ ବିପକ୍ଷରେ ମତପ୍ରକାଶ ପାଉଛି । ଦେଖାଯାଉଛି ଯେ ଯେଉଁମାନଙ୍କର ଟିକା ସମ୍ପର୍କରେ ବିଜ୍ଞାନ ଗବେଷଣା ଏବଂ ଡାକ୍ତରୀ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଡିଗ୍ରୀ ଓ ଅଭିଜ୍ଞତା ନାହିଁ ସେଭଳି ଲୋକେ ଅଧିକ ଗୁଜବ ପ୍ରସାର କରୁଛନ୍ତି । ବିଶେଷକରି ଟିକା ନେଲେ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେବା ଘେନି ଏମାନେ ଏକପ୍ରକାର ଆତଙ୍କ ଖେଳାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୁହାକୁ ତୁହା ଟିକାକରଣ ସପକ୍ଷରେ ପ୍ରଚାର ହେଉଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ମଡେର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ଲାଗି ପ୍ରାୟ ୮ ମାସ ଧରି ଗବେଷଣା କରି ସଫଳତା ହାସଲ କରିଥିବା ଏବଂ ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଚାଲିଥିବା କରୋନା ଟିକାର ପରବର୍ତ୍ତୀ ସମୟ ଉପରେ ଗବେଷଣା ଜାରି ରଖିଥିବା ଓଡ଼ିଆ ଯୁବ ବୈଜ୍ଞାନିକ ଡ. ସ୍ୱୟମ୍‍ ପ୍ରକାଶଙ୍କ ମତରେ ଅନ୍ୟ କାହାଦ୍ୱାରା ପ୍ରଭାବିତ ନ ହୋଇ ଏ ସମ୍ପର୍କରେ ଲୋକେ ବୈଜ୍ଞାନିକ ଓ ଡାକ୍ତରମାନଙ୍କ ପରାମର୍ଶ ନେବା ଆବଶ୍ୟକ ।

କେଉଁମାନେ ଟିକା ନେଇପାରିବେ ଓ କାହାଙ୍କୁ ଟିକା ଦିଆଯିବ ନାହିଁ ସେ ସମ୍ପର୍କରେ କେବଳ ବିଶେଷଜ୍ଞ ହିଁ ନିଷ୍ପତ୍ତି ନେଇପାରନ୍ତି । ଦୁର୍ଘଟଣା ହେବ ବୋଲି ଘରୁ ନ ବାହାରିବା ଯାହା ପ୍ରତିକ୍ରିୟା ଗୁଜବ ଆଶଙ୍କାରେ ଟିକା ନ ନେବା ତାହା ବୋଲି ସେ ଉଲ୍ଲେଖ କରି ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ ବ୍ୟାପକ ପରୀକ୍ଷା ନିରୀକ୍ଷା କରି ଟିକା କାଢ଼ୁଥିବା ବେଳେ ଏହାକୁ ହାଲୁକା ଭାବେ ନିଆଯିବା ଉଚିତ୍‍ ନୁହେଁ ବୋଲି ସେ କହିଛନ୍ତି ।

ବର୍ଷକ ମଧ୍ୟରେ ସମଗ୍ର ବିଶ୍ୱରେ ପ୍ରାୟ ସାଢ଼େ ୯ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଛନ୍ତି ଓ ପ୍ରାୟ ୬ କୋଟି ୭୦ ଲକ୍ଷ ସୁସ୍ଥ ହୋଇଥିବା ବେଳେ ଏବେ ବି ପାଖାପାଖି ଅଢ଼େଇ କୋଟି ଲୋକ କରୋନାରୁ ବର୍ତ୍ତିବା ପାଇଁ ଚିକିତ୍ସାଧୀନ ଥିବା ଡ. ସ୍ୱୟମ୍‍ ପ୍ରକାଶ କହିଛନ୍ତି ।