Home Health ଟିକାକରଣ ପାଇଁ ରକ୍ତସଙ୍କଟ ଆଶଙ୍କା

ଟିକାକରଣ ପାଇଁ ରକ୍ତସଙ୍କଟ ଆଶଙ୍କା

98
0

ଭୁବନେଶ୍ୱର : ମଇ ପହିଲାରୁ ଯୁବ ବର୍ଗଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତିପର୍ବ ଚାଲିଥିବାବେଳେ ଏଥିଯୋଗୁଁ ରକ୍ତ ସଙ୍କଟ ପଡିବାର ଆଶଙ୍କା ସୃଷ୍ଟିହେଲାଣି । କାରଣ ଏହି ଟିକା ନେବାର ମାସେ ପର୍ଯ୍ୟନ୍ତ ରକ୍ତଦାନ ପାଇଁ ବାରଣ କରାଯାଇଥିବାରୁ ଏଭଳି ଆଶଙ୍କା ଉପୁଜିଛି ।

ଆସନ୍ତା ମାସ ପହିଲାରୁ ରାଜ୍ୟର ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦେବାପାଇଁ ଘୋଷଣା ହୋଇଛି । ଏଥିପାଇଁ ଚଳିତମାସ ୨୮ତାରିଖରୁ ଅନ୍‍ଲାଇନ୍‍ ପଞ୍ଜିକରଣ ଆରମ୍ଭ ହେବ । ତେବେ ରକ୍ତଦାନର ପ୍ରମୁଖ ସେନାପତି ସାଜିଥିବା ଯୁବ ଗୋଷ୍ଠି ଟିକା ନେବାର ମାସକ ପର୍ଯ୍ୟନ୍ତ ଆଉ ରକ୍ତଦାନ କରିପାରିବେ ନାହିଁ । ଏଥିଯୋଗୁଁ ରକ୍ତ ସଂଗ୍ରହ ପ୍ରକ୍ରିୟା ଧିମେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ରକ୍ତଭଣ୍ଡାର କର୍ମଚାରୀଙ୍କ କହିବାକଥା ଯେ ଗୋଟିଏ ପଟେ କରୋନା ସଂକ୍ରମଣ ଓ ଅନ୍ୟପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ କମ୍‍ ପରିମାଣରେ ରକ୍ତସଂଗ୍ରହ ହେଉଛି । ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବଗୋଷ୍ଠି । ଏମାନେ ଟିକା ନେବା ଆରମ୍ଭ କରିବା ପରେ ପରେ ରକ୍ତ ସଂଗ୍ରହ ପ୍ରକ୍ରିୟା ଆହୁରି ଧିମେଇ ଯିବ ।

କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରାଜ୍ୟ ରକ୍ତଭଣ୍ଡାରରେ ମଧ୍ୟ ରକ୍ତ ସଂଗ୍ରହ ହ୍ରାସ ଆଙ୍କା ଉପୁଜିଲାଣି । ଏହି ରକ୍ତଭଣ୍ଡାରରେ ସାଧାରଣ ସମୟରେ ମାସକୁ ୨୩୦୦ ରୁ ୨୪୦୦ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଥିବାବେଳେ ଖରାଦିନେ ଏହା ହ୍ରାସ ପାଇଥାଏ । ବର୍ତ୍ତମାନ ଖରା ସାଙ୍ଗକୁ କରୋନା ସଂକ୍ରମଣ ଯୋଗୁଁ ଏହା ୧୧ଶହ ୧୨ଶହକୁ ହ୍ରାସ ପାଇଯାଇଛି । ଅବଶ୍ୟ ନିକଟରେ ବିଜୁ ଜନତାଦଳ ପକ୍ଷରୁ ଆୟୋଜିତ ୫/୬ଟି ଜୀବନବିନ୍ଦୁ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଯୋଗୁଁ କିଛି ପରିମାଣରେ ରକ୍ତ ମହଜୁଦ ରହିଛି ।

ଆସନ୍ତା ମାସରୁ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେଲେ ଯୁବବର୍ଗ ପ୍ରଥମ ଡୋଜ୍‍ ନେବାର ୨୮ଦିନ ପରେ ଦ୍ୱିତୀୟ ଡୋଜ୍‍ନେବେ । ତେଣୁ ଦ୍ୱିତୀୟ ଡୋଜ୍‍ ନେବାର ମାସକ ପର୍ଯ୍ୟନ୍ତ ସେମାନେ ଆଉ ରକ୍ତ ଦେଇପାରିବେ ନାହିଁ । ଏଥିଯୋଗୁଁ କେବଳ କ୍ୟାପିଟାଲ ରକ୍ତଭଣ୍ଡାର ନୁହେଁ ସମଗ୍ର ରାଜ୍ୟରେ ରକ୍ତ ସଙ୍କଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି ।

ତେଣୁ ଏଭଳି ସଙ୍କଟକୁ ଟାଳିବାପାଇଁ ମଇ ପହିଲା ପୂର୍ବରୁ ମେଗା ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ବିଭନ୍ନ ରକ୍ତଭଣ୍ଡାରରେ ରକ୍ତ ମହୁଜଦ କରି ରଖିବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଗ୍ରୀଷ୍ମଋତୁରେ ଗୁରୁତର ରକ୍ତସଙ୍କଟ ଦେଖାଦେବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here