Home Covid ଟିକାକରଣ ପାଇଁ ନୂଆ ସୂଚୀ

ଟିକାକରଣ ପାଇଁ ନୂଆ ସୂଚୀ

ରାଉରକେଲା : ରାଉରକେଲା ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସେହିପରି ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକା ବୁଧବାରଠାରୁ ଦିଆଯିବ । ସୁବ୍ୟବସ୍ଥିତ ଭାବେ ଟିକାଦାନ ପାଇଁ ଏହି ଦୁଇଟି ବର୍ଗ ଲାଗି ଦିନେ ଛଡ଼ା ଦିନେ ସୂଚୀ ଧାର୍ଯ୍ୟ କରାଯାଇଛି ।

“୧୮ ବର୍ଷରୁ ଅଧିକ ବର୍ଗର ଟିକାକରଣ ଆରମ୍ଭ ହେବାକୁ ଯାଉଛି । ତା’ସହିତ ୪୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍‌ର ଟିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଦୁଇଟି ବିଷୟକୁ ଆଖି ଆଗରେ ରଖି ଆମେ ଉଭୟ ବର୍ଗର ସୁବିଧା ପାଇଁ ଦିନେ ଛଡ଼ା ଦିନେ ଟିକାକରଣ ସୂଚୀ ପ୍ରସ୍ତୁତ କରିଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଟିକାଦାନ ସମୟରେ ସମସ୍ତେ ମୁହଁରେ ଭଲଭାବରେ ମାସ୍କ ପିନ୍ଧିବା ସହିତ କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଶାସନ ପକ୍ଷରୁ ୧୧ ମେ’ରୁ ୨୨ ତାରିଖ ପର୍ଯ୍ୟନ୍ତ ସୂଚୀ ଜାରି କରାଯାଇଛି । ଏଥିରେ ରବିବାର ଦିନ ଟିକାକରଣ କାର୍ଯ୍ୟ ବନ୍ଦ ରହିବ । ସେହିପରି ବର୍ତ୍ତମାନ କେବଳ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଟିକାଦାନ ଚାଲିବ । ତେଣୁ ୧୮ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ଉଭୟ ବର୍ଗର ହିତାଧିକାରୀମାନେ ପାଳି ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସିବାକୁ ପ୍ରଶାସନ ଅନୁରୋଧ କରିଛି ।

୪୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କୁ ବର୍ତ୍ତମାନ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ତେବେ ଏଥିପାଇଁ କାହାକୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ହିତାଧିକାରୀମାନେ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଆସି ସେଠାରେ ପଞ୍ଜୀକରଣ କରିପାରିବେ ।

୧୮ ବର୍ଷ ବୟସରୁ ଅଧିକ ବର୍ଗର ନାଗରିକଙ୍କୁ ଟିକା ନେବା ପାଇଁ ଅନଲାଇନରେ ନିଶ୍ଚିତ ପଞ୍ଜୀକରଣ କରିବାକୁ ପଡ଼ିବ । ବିନା ପଞ୍ଜୀକରଣରେ କେହି ଟିକାଦାନ କେନ୍ଦ୍ରକୁ ନଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ବ୍ୟକ୍ତିମାନେ ଏଥିପାଇଁ ପଞ୍ଜୀକରଣ କରି ସାରିଛନ୍ତି ସେମାନେ ନିଜ ପସନ୍ଦ ଅନୁଯାୟୀ ସ୍ଲଟ୍ ବୁକ୍ କରିବାକୁ ହେବ ।

ରାଉରକେଲା ସହରରେ କୋଭିଡ୍ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି । ସେଗୁଡ଼ିକ ହେଲା: ଆଇଜିଏଚ୍‌, ଆରଜିଏଚ୍‌, ୟୁସିଏଚ୍‌ସି ପାନପୋଷ, ରେଲୱେ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ୍ ହେଲ୍‌ଥ ସେଣ୍ଟର ଫର୍ଟିଲାଇଜର ଟାଉନସିପ୍‌, ସେକ୍ଟର-୬ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍‌ଆଇ ହସ୍ପିଟାଲ ।

ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ସେହିପରି ଲୋକଙ୍କ ସୁବିଧା ପାଇଁ ବସିବା ବ୍ୟବସ୍ଥା, ପିଇବା ପାଣି ଏବଂ ଆବଶ୍ୟକ ଘୋଷଣା ପାଇଁ ମାଇକ୍ ଆଦି ବ୍ୟବସ୍ଥା କରାଯାଉଛି । କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧/ ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ।