Home News in Odia ଟିକଟ କାଟ୍‍ ଆଶଙ୍କାରେ ପ୍ରାର୍ଥୀ

ଟିକଟ କାଟ୍‍ ଆଶଙ୍କାରେ ପ୍ରାର୍ଥୀ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ ଏବେ ବି ଅନେକ ପ୍ରାର୍ଥୀ ଆସନ ବଦଳ ଏବଂ ଟିକଟ କଟିବା ଆଶଙ୍କାରେ ରହିଛନ୍ତି । ରାଜ୍ୟର ତିନି ପ୍ରମୁଖ ଦଳ ଏଭଳି ପଦକ୍ଷେପ ନେଇଥିବାରୁ ଅନେକ ପ୍ରାର୍ଥୀ ନିଶ୍ଚିତ ହୋଇପାରୁ ନାହାନ୍ତି ।

ଇତି ମଧ୍ୟରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ଆଉ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି । ବିଜେଡି ଏବେ ବି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ବିଜେପି ୧୬ଟି ଏବଂ କଂଗ୍ରେସ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ । ତେବେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଟିକଟ ନେଇଥିବା କେତେକ ପ୍ରାର୍ଥୀ ଏବେ ବି ନିଜ ନିଜର ଆସନ ବଦଳିଯିବା ଓ ଟିକଟ କଟିଯିବା ଭୟରେ ରହିଛନ୍ତି ।

ବିଜେଡି ତାହାର ଦୁଇଜଣ ପ୍ରାର୍ଥୀଙ୍କ ଆସନରେ ପରିବର୍ତ୍ତନ କରିଛି । ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକଟ ପାଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ଅସନ୍ତୋଷ ପ୍ରକଟ କରିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ରେଢାଖୋଲ ଆସନରୁ ପ୍ରାର୍ଥୀ କରାଯାଇଛି । ସେହିଭଳି ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରାଗଲା ।

ସେହଭଳି ବିଜେପି ମଧ୍ୟ ତାହାର ପ୍ରାର୍ଥୀ ବଦଳାଇ ଦେଇଛି । ରଣପୁର ବିଧାନସଭା ପାଇଁ ବିଜେପି ପ୍ରଥମେ ତାପସ ରଞ୍ଜନ ମାର୍ଥାଙ୍କ ନାମ ଘୋଷଣା କରିଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ସମୟରେ ମାର୍ଥାଙ୍କ ଟିକଟ କାଟି ଦଳ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ନିଜର ଟିକଟ କଟିବା ପରେ ସୁରମା ଅସନ୍ତୋଷ ବ୍ୟକ୍ତ କରିବା ସହିତ ନିଜର ଶକ୍ତି ପ୍ରଦର୍ଶନ କରି ଦଳ ଉପରେ ଚାପ ଦେଇଥିଲେ ।

କଂଗ୍ରେସ ମଧ୍ୟ ଏହି ତାଲିକାରେ ରହିଛି । ଦଳ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ଶ୍ରୀଧର ଦେବଙ୍କୁ ବଦଳାଇଛି । ଶ୍ରୀଧର ଟିକଟ ପାଇବାର ୧୧ଦିନ ପରେ ଦଳ ତାଙ୍କ ଟିକଟ କଟିବା ସହିତ ସେଠାରୁ ସୁଜିତ କୁମାରଙ୍କୁ ସେଠାରୁ ପ୍ରାର୍ଥୀ କରିଛି ।

ଏବେ ବି ଏହି ତିନି ଦଳର ଟିକଟ ପାଇନଥିବା ଅନେକ ନେତା ନିଜ ନିଜର କର୍ମୀଙ୍କୁ ନେଇ ଶକ୍ତିପ୍ରଦର୍ଶନ ଜାରି ରଖିବା ସହିତ ଦଳ ଉପରେ ଚାପ ଦେଉଛନ୍ତି । କେତେକ ଅସନ୍ତୁଷ୍ଟ ରାଜ୍ୟ କାର୍ଯ୍ୟାଳୟରେ ଆସି ଗଣ୍ଡଗୋଳ କରିବାକୁ ପଛାଉ ନାହାନ୍ତି । ଏପରିକି ଟିକଟ ପାଇଥିବା ନେତାଙ୍କୁ ବି ନିଜ ଅଞ୍ଚଳରେ ହଲାପଟା କରୁଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ଆଗାମୀ ଦିନରେ କେତେକ ନେତାଙ୍କର ଟିକଟ ବଦଳ ସହିତ ଆଉ କିଛି ନେତାଙ୍କର ଟିକଟ କଟିଯିବାର ଚର୍ଚ୍ଚା ଜୋର ଧରିବା ଫଳରେ କେତେକ ପ୍ରାର୍ଥୀ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି । (ତଥ୍ୟ)