Home General ଟଙ୍କିକିଆ ଚାଉଳ ଅପେକ୍ଷାରେ ଦେଢ ଲକ୍ଷ

ଟଙ୍କିକିଆ ଚାଉଳ ଅପେକ୍ଷାରେ ଦେଢ ଲକ୍ଷ

ଭୁବନେଶ୍ୱର : ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଓଡିଶାରେ ଏବେ ୩କୋଟି ୩୩ଲକ୍ଷରୁ ଅଧିକ ଲୋକ ଟଙ୍କିକିଆ ଚାଉଳ ଖାଉଛନ୍ତି ଏବଂ ଏହି ସୁବିଧା ପାଇବାକୁ ଦେଢ ଲକ୍ଷରୁ ଅଧିକ ଲୋକ ଅପେକ୍ଷାରେ ରହିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ କିଲୋପ୍ରତି ଏକ ଟଙ୍କା ଦରରେ ଚାଉଳ ଓ ଗହମ ଯୋଗାଯାଉଛି । ସୂଚନା ଅନୁଯାୟୀ ଏବେ ରାଜ୍ୟରେ ୩,୩୩,୨୭,୪୫୪ ଜଣ ହିତାଧିକାରୀ ଏହି ସୁବିଧା ପାଉଛନ୍ତି । ଏମାନଙ୍କ ମଧ୍ୟରେ ୩,୨୫,୧୮,୪୫୫ ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ଥିବାବେଳେ ୮,୦୯,୦୦୧ ଜଣ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଅଛନ୍ତି ।

ଏହି ଟଙ୍କକିଆ ଚାଉଳ/ଗହମ ଯୋଜନାର ସର୍ବଧିକ ହିତାଧିକାରୀ ୨୬,୭୩,୧୫୯ ଜଣ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଦ୍ୱିତୀୟ ସର୍ବାଧିକ ୨୧,୨୯,୩୯୨ଜଣ ମୟୁରଭଞ୍ଜ ଜିଲ୍ଲାରେ ରହିଛନ୍ତି । ସବୁଠାରୁ କମ୍‍ ୨,୬୬,୨୩୧ ଜଣ ଦେବଗଡ ଜିଲ୍ଲାରେ ଅଛନ୍ତି ।

ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ୍‍ ୯୧,୨୧୭ଜଣ ନୂଆ ହିତାଧିକାରୀ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ୬୧,୫୫୦ଜଣ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୯,୬୬୭ଜଣ ସାମିଲ ହୋଇଛନ୍ତି । ସବୁଠାରୁ ଅଧିକ ୧୨,୨୨୯ ଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲାରେ ସାମିଲ ହୋଇଥିବାବେଳେ ସୁବର୍ଣ୍ଣପୁରରେ ଦ୍ୱିତୀୟ ସର୍ବାଧିକ ୧୧,୩୯୩ ଜଣ ରହିଛନ୍ତି । ଭଦ୍ରକ, ବୌଦ, ନୟାଗଡ ଜିଲ୍ଲାରେ ଜଣେ ହେଲେ ବ୍ୟକ୍ତି ଏଥିରେ ସାମିଲ ହୋଇନାହାନ୍ତି ।

ଏତେ ସଂଖ୍ୟାରେ ବ୍ୟକ୍ତି ଟଙ୍କିକିଆ ଚାଉଳ/ଗହମ ହିତାଧିକାରୀ ହେବାପରେ ବି ଆହୁରି ୧,୫୭,୪୬୯ଜଣ ଅର୍ନ୍ତଭୁକ୍ତ ହେବାକୁ ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୫୯,୧୩୪ ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି । ଏହା ପଛକୁ ୧୧,୦୮୫ ଜଣ ମୟୁରଭଞ୍ଜ ଜିଲ୍ଲାରୁ ଥିବାବେଳେ ପୁରୀରୁ ତୃତୀୟ ସର୍ବାଧିକ ୧୦,୮୭୧ଜଣ ଅପେକ୍ଷା ତାଲିକାରେ ରହିଛନ୍ତି ।

ତେବେ ଏହି ଅପେକ୍ଷାରତ ବ୍ୟକ୍ତିମାନେ କିଭଳି ତୁରନ୍ତ ଟଙ୍କିକିଆ ଯୋଜନାରେ ସାମିଲ ହେବେ ସେଥିପାଇଁ ସେମାନଙ୍କ ଅଞ୍ଚଳର ବିଧାୟକମାନେ ସରକାରଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରୁଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ହିତାଧିକାରୀ ଚୟନରେ ସାମାନ୍ୟ ବିଳମ୍ବ ହୋଇଥିବାବେଳେ ଖୁବ୍‍ଶୀଘ୍ର ଆବେଦନକାରୀଙ୍କ ସଂକ୍ରାନ୍ତରେ ତଦନ୍ତ କରାଯାଇ ସାମିଲ ହେବେ ବୋଲି ସରକାର କହିଛନ୍ତି ।

ରାଜ୍ୟରେ ଏହି ଦୁଇ ଯୋଜନା ଯଥା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକେ ଶସ୍ତା ଚାଉଳ/ଗହମ ପାଉଥିବାବେଳେ ଇତିମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ୯,୨୭,୩୯୯ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ତାଲିକାକୁ ଯାଇଛନ୍ତି । ଏହି ପରିବାରରେ ଥିବା ଜନସଂଖ୍ୟା ହେଉଛି ୨୯,୨୬,୩୮୯ଜଣ । (ତଥ୍ୟ)