Home General ଝାରସୁଗୁଡା ଜଙ୍କସନ୍‍ରୁ ନିୟନ୍ତ୍ରିତ ହେବ ତିନି ଡିଭିଜନ

ଝାରସୁଗୁଡା ଜଙ୍କସନ୍‍ରୁ ନିୟନ୍ତ୍ରିତ ହେବ ତିନି ଡିଭିଜନ

ଭୁବନେଶ୍ୱର : ଝାରସୁଗୁଡା ଓ ଏହାର ଆଖପାଖରେ ଥିବା ତିନିଟି ରେଳ ଡିଭିଜନର ରେଲଲାଇନ୍‍ ଝାରସୁଗୁଡା ଜଙ୍କସନ୍‍ରୁ ନିୟନ୍ତ୍ରିତ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥିପାଇଁ ରାଜି ହୋଇଛନ୍ତି ।

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଝାରସୁଗୁଡା ଗସ୍ତରେ ଆସିଥିବାବେଳେ ତାଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ ଯେ ଝାରସୁଗୁଡା ଓ ଏହାର ଆଖପାଖରେ ତିନିଟି ରେଳ ଡିଭିଜନ ଯଥା ବିଳାସପୁର, ସମ୍ବଲପୁର ଓ ଚକ୍ରଧରପୁର ରହିଛି । ଏହାର ନିୟନ୍ତ୍ରଣ ଝାରସୁଗୁଡା ଜଙ୍କସନରେ ରଖିବାକୁ ଶ୍ରୀ ତ୍ରିପାଠୀ ଦାବି କରିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଏଥିପାଇଁ ସବୁଜ ସଙ୍କେତ ଦେଇଥିବା ଜଣାଯାଇଛି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ନିକଟରେ ଝାରସୁଗୁଡା ଠାରେ ୧୮୯୨ ମସିହାର ବ୍ରିଟିଶ ଅମଳରୁ ଥିବା ଡାକ ବିଭାଗର ପୁରୁଣା କୋଠାର ନବୀକରଣ ସହିତ ଏହାକୁ ଏକ ଐତିହ୍ୟ କିର୍ତ୍ତୀ ଭାବେ ଘୋଷଣା କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଥିଲେ । ଏଥି ସହିତ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଝାରସୁଗୁଡା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଡିଭିଜନ ସହିତ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ କୋଲକତା ଜୋନ୍‍ର ଜେନେରାଲ ମ୍ୟାନେଜର ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ସମ୍ବଲପୁର ଓ ବରଗଡର ସାଂସଦଙ୍କ ସହିତ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି ।