Home General ଝାରସୁଗୁଡାରେ ଗଡୁଛି ବଡ ମୁଣ୍ଡ

ଝାରସୁଗୁଡାରେ ଗଡୁଛି ବଡ ମୁଣ୍ଡ

ଭୁବନେଶ୍ୱର : ବ୍ରଜରାଜନଗର ଓ ଝାରସୁଗୁଡା ଅଞ୍ଚଳରେ ନିଶା କାରବାର ସହିତ ଖଣିଜ ସାମଗ୍ରୀ ପରିବହନକୁ ନେଇ ଲଗାତର ଭାବରେ ବିବାଦ ଲାଗି ରହୁଥିବାରୁ ଏହି ଅଞ୍ଚଳରେ ବାରମ୍ବାର ହିଂସାକାଣ୍ଡମାନ ଘଟି ବଡ଼ ବଡ଼ ମୁଣ୍ଡ ଗଡ଼ିବାରେ ଲାଗିଛି । ଏହାଛଡା ମାଫିଆମାନେ ଯେତେବେଳେ ଯାହାକୁ ଚାହୁଁଛନ୍ତି ତାକୁ ମଧ୍ୟ ଆକ୍ରମଣ କରୁଥିବାର ଅଭିଯୋଗ ବିଭିନ୍ନ ମହଲରୁ ଆସୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ପ୍ରତ୍ୟେକ୍ଷ ଦିବାଲୋକରେ ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ଜଣେ ପୁଲିସ କର୍ମଚାରୀ ସର୍ବସମ୍ମୁଖରେ ଗୁଳିମାରି ହତ୍ୟା କରିବା ପଛର ନିର୍ଦ୍ଧିଷ୍ଟ କାରଣ ଏଯାବତ୍‍ ଜଣାପଡିନଥିବାବେଳେ ସରକାରୀ ଓ ବେସରକାରୀସ୍ତରରେ କାରଣ ଖୋଜା ଚାଲିଛି ।

ଗତ କିଛିବର୍ଷ ମଧ୍ୟରେ ଏ ଅଞ୍ଚଳରେ ରାଜନୈତିକ ଓ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଠାରୁ ଆରମ୍ଭ କରି ମାଫିଆମାନଙ୍କ ଗ୍ୟାଙ୍ଗୱାର୍‍ ବଢିଚାଲିଛି । ଅତିତରେ କୋଇଲା ଖଣି ଠିକା କାମକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ବ୍ରଜରାଜନଗର ସହର କଂଗ୍ରେସ ସଭାପତି ବୁଲି ଦାସଙ୍କୁ ହତ୍ୟା କରାଯାଇଥିଲା ଓ ଅନ୍ୟଜଣେ ନେତା କାନ୍ତା ଦାସଙ୍କ ଉପରକୁ ଗୁଳିମାଡ ହୋଇଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ।

ସ୍ଥାନୀୟ ଲୋକେ କହୁଛନ୍ତି ଯେ ସେତେବେଳର ଜିଲ୍ଲା କଂଗ୍ରେସ ସଭାପତି ତଥା ଜଣାଶୁଣା କୋଇଲା ବ୍ୟବସାୟୀ ସାମୁ କେଡିଆଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ଏବଂ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କାନ୍ତା ଦାସଙ୍କୁ ଗିରଫ କରାଯାଇଥିଲା । ତେବେ କାନ୍ତାଙ୍କୁ ଝାରସୁଗୁଡାର ସବ୍‍ଡିଭିଜିନାଲ୍‍ ଜୁଡିସିଆଲ ମାଜିଷ୍ଟ୍ରେଟ ହାଜର କରିବା ପାଇଁ କଡା ପୁଲିସ ସୁରକ୍ଷା ମଧ୍ୟରେ ଅଣାଯାଉଥିବାବେଳେ ତାଙ୍କୁ ବି ବୋମା ଫିଙ୍ଗି ପୂର୍ବରୁ ହତ୍ୟା କରାଯାଇଥିବାର ନଜିର ରହିଛି । କାନ୍ତାଙ୍କୁ ହତ୍ୟା କରାଯିବା ଫଳରେ ସାମୁ କେଡିଆ ହତ୍ୟାକାଣ୍ଡର ବହୁ ରହସ୍ୟ ଉନ୍ମୋଚିତ ହୋଇପାରିଲାନାହିଁ ।

ପୁରୁଖା ଲୋକମାନେ କୁହନ୍ତି ଯେ ସାମୁ କେଡିଆ ହତ୍ୟା ପାଇଁ କେଉଁମାନଙ୍କୁ ସୁପାରି ଦିଆଯାଇଥିଲା ତାହା କାନ୍ତା ଜାଣିଥିଲେ । ତେଣୁ କାନ୍ତାଙ୍କୁ ହତ୍ୟା କରାଯିବା ଫଳରେ ଏହି ଅଧ୍ୟାୟର ପୂର୍ଣ୍ଣଛେଦ ପଡିଯାଇଥିଲା । କେବଳ ସେତିକି ନୁହେଁ କାନ୍ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣଙ୍କୁ ସେ ସମୟରେ ପୁଲିସ ମଧ୍ୟ ଏନ୍‍କାଉଣ୍ଟର କରି ମାରିଥିଲା । ପୁଲିସ ଏନ୍‍କାଉଣ୍ଟରରେ ଯେଉଁ ୨ଜଣ ମଲେ ସେମାନଙ୍କ ପରିଚୟ ନ ମିଳିବାରୁ କାନ୍ତାଙ୍କୁ ହତ୍ୟା କରିବା ପାଇଁ ଯେଉଁମାନେ ସୁପାରି ଦେଇଥିଲେ ସେମାନେ ଖସିଗଲେ ବୋଲି କୁହାଯାଏ ।

ସେହିପରି ଆଉଏକ ଚର୍ଚ୍ଚିତ ଘଟଣା ହେଉଛି ସ୍ୱରୂପ ଦାସ ହତ୍ୟାକାଣ୍ଡ । ସ୍ୱରୂପ କୁଆଡେ ଜଣେ ପୁଲିସ ଅଧିକାରୀଙ୍କ ସମ୍ପର୍କୀୟ ଓ ସେ କୋଇଲା ବ୍ୟବସାୟରେ ମଧ୍ୟ ଜଡିତ ଥିଲେ । ବ୍ରଜରାଜନଗରରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁଇଜଣ ପେଷାଦାର ଅପରାଧୀ ଗୁଳି ଚଳାଇ ସ୍ୱରୂପଙ୍କୁ ମାରିଥିଲେ । ଏହା ପରେ ପରେ ଅନ୍ୟଜଣେ କୋଇଲା ବ୍ୟବସାୟୀ ଅର୍ଜୁନ ସିଂଙ୍କୁ ମଧ୍ୟ ବ୍ରଜରାଜନଗରରେ ହତ୍ୟା କରାଯାଇଥିଲା ।

ତିନି ଚାରି ବର୍ଷ ତଳେ ଅମିତ୍‍ ଧଳ ନାମକ ଜଣେ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ମଧ୍ୟ ଗୁଳି କରାଯାଇଥିଲା । ଏହି ଘଟଣାରେ ଗୋଟିଏ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ସହ ଜଡିତ କିଛି ଅପରାଧୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ସେହିଭଳି ଅନ୍ୟଜଣେ ଜଣାଶୁଣା ଆସାମୀ ସୋନୁ ଘୋଷ୍‍ର ଭାଇଙ୍କୁ ବ୍ରଜରାଜନଗର ରେଳ ଷ୍ଟେସନ ନିକଟରେ ଥିବା ଏକ ହୋଟେଲ୍‍ କାଉଣ୍ଟରରେ ହତ୍ୟା କରାଯାଇଥିଲା । ଅମିତ୍‍ ଧଳ ହତ୍ୟାର ପ୍ରତିଶୋଧ ନେବାପାଇଁ ଏଭଳି ହତ୍ୟାକାଣ୍ଡ ଘଟାଯାଇଥିବା ଶୁଣାଯାଏ ।

କଳା ହୀରାର ସହର ବ୍ରଜରାଜନଗର ବାରମ୍ବାର ମଣିଷ ରକ୍ତରେ ଲାଲ୍‍ ହେଉଥିବାବେଳେ ଏବେ ସେଠାରେ ରାଜ୍ୟର କ୍ୟାବିନେଟ୍‍ ମନ୍ତ୍ରୀ ତଥା ଜଣାଶୁଣା ନେତା ଓ ବ୍ୟବସାୟୀ ନବକିଶୋର ଦାସଙ୍କୁ ଜଣେ ପୁଲିସ କର୍ମଚାରୀ ଗୁଳିମାରି ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ନେଇ ରାଜନୈତିକ, ପ୍ରଶାସନିକ ଓ ପୁଲିସ ମହଲରେ ଉଷ୍ମତା ସୃଷ୍ଟି ହୋଇଥିବାବେଳେ ଆଜି ବାଲି ମାଫିଆମାନେ ପ୍ରତ୍ୟେକ୍ଷ ଦିବାଲୋକରେ ବାଲେଶ୍ୱରର ଉପଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭରଙ୍କ ଉପରେ ସାଂଘାତିକ ଆକ୍ରମଣ କରିବାରୁ ଚିକିତ୍ସା ଲାଗି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ତଥ୍ୟ)