Home General ଝାରସୁଗୁଡାକୁ ରେଳ ଡିଭିଜନ ପାଇଁ ଦାବି

ଝାରସୁଗୁଡାକୁ ରେଳ ଡିଭିଜନ ପାଇଁ ଦାବି

ନୂଆଦିଲ୍ଲୀ : ଝାରସୁଗୁଡାରେ ସ୍ୱତନ୍ତ୍ର ରେଳ ଡିଭିଜନ ପାଇଁ ଦାବି କରିଛନ୍ତି ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଶ୍ରୀ ତ୍ରିପାଠୀ ଏଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଝାରସୁଗୁଡା ଓ ବ୍ରଜରାଜନଗର ରେଳଷ୍ଟେସନର ଉନ୍ନତି ସହିତ ଅନ୍ୟାନ୍ୟ କାର୍ଯ୍ୟ ନେଇ ଦାବିପତ୍ର ଦେଇଛନ୍ତି ।

ଦାବିପତ୍ରରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୫ଟି ବ୍ଲକ ଯଥା କିରିମିରା, କୋଲାବିରା, ଲୋଇକିରା, ଲଖନପୁର ଏବଂ ଝାରସୁଗୁଡା ରହିଛି । ଏହା ସୁନ୍ଦରଗଡ ଜିଲ୍ଲାର ନିକଟବର୍ତ୍ତୀ ହୋଇଥିବାବେଳେ ଏଠାରେ ପ୍ରାୟ ୮ଲକ୍ଷ ଲୋକ ବସବାସ କରୁଛନ୍ତି ।

ଏହି ଲୋକମାନେ ସାଧାରଣତଃ ଗରିବ ଶ୍ରେଣୀର ହୋଇଥିବାରୁ ଏମାନେ ଯାତାୟତପାଇଁ ସାଧାରଣତଃ ରେଳ ଉପରେ ଉପରେ ନିର୍ଭର କରିଥାନ୍ତି । ୬୦ ପ୍ରତିଶତ ଲୋକେ ଅନ୍ୟ ପରିବହନରେ ଯିବାପାଇଁ ଖର୍ଚ୍ଚ କରିବାକୁ ଅକ୍ଷମ । ଏଥି ସହିତ ଝାରସୁଗୁଡା ହେଉଛି ଓଡିଶାର ଅନ୍ୟତମ ବାଣିଜ୍ୟ ପେଣ୍ଠ । ସମସ୍ତ ପ୍ରକାର ସାମାଜିକ, ଆର୍ଥିକ କାରବାର ଏହି ଠାରୁ ହିଁ ହୋଇଥାଏ ।

ଝାରସୁଗୁଡା ରେଳ ଷ୍ଟେସନଟି ୧୮୯୫ ମସିହାରୁ କାର୍ଯ୍ୟକ୍ଷମ ରହିଛି । ଏହା ଯାତାୟତର କେନ୍ଦ୍ରସ୍ଥଳ ହୋଇଥିବାରୁ ଶ୍ରୀ ତ୍ରିପାଠୀ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ କେତେଗୁଡିଏ ଦାବି ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରେ ଝାରସୁଗୁଡାକୁ ସ୍ୱତନ୍ତ୍ର ଡିଭିଜନ ସହିତ ଚୌକିପଡା ଓ ବାଲିଜୋରି ଠାରେ ରେଳ ଓଭରବ୍ରିଜ ନିର୍ମାଣ, ଝାରସୁଗୁଡା ରେଳଷ୍ଟେସନର ଉନ୍ନତିକରଣ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ରେଳବାଇର ଡମ୍ପିଂୟାର୍ଡ ନିର୍ମାଣ ।

ସେହିଭଳି ସୁନ୍ଦରଗଡ ଦେଇ ଯିବାକୁ ଥିବା ଝାରସୁଗୁଡାରୁ ଅମ୍ବିକାପୁର ପର୍ଯ୍ୟନ୍ତ ରେଳଲାଇନ୍‍ର ସର୍ଭେ କାର୍ଯ୍ୟ ଇତି ମଧ୍ୟରେ ସରିଯାଇଛି । ଏହି ରେଳପଥ କାର୍ଯ୍ୟକାରୀ ହେଲେ ଓଡିଶାର ଦୁଇ ଜିଲ୍ଲା ଝାରସୁଗୁଡା ଓ ସୁନ୍ଦରଗଡ ସମେତ ଛତିଶଗଡର ରାଇଘର ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।