Home General ଜୋର ଧରିଲା ଘୋଡା ରାଜନୀତି

ଜୋର ଧରିଲା ଘୋଡା ରାଜନୀତି

ଭୁବନେଶ୍ୱର : ରାଜଧାନୀ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡା ପ୍ରତିମୂର୍ତ୍ତିକୁ ନେଇ ରାଜନୀତି ଏବେ ଜୋର ଧରିଛି । ସ୍ମାର୍ଟସିଟି ରାସ୍ତାକାମ ପାଇଁ ଏହି ପଥର ଘୋଡାକୁ ରାଜଭବନ ସମ୍ମୁଖକୁ ହଟାଇବାପାଇଁ ନିଷ୍ପତ୍ତି ନିଆଯିବାର ଖବର ପାଇବାପରେ ଉଭୟ କଂଗ୍ରେସ ଓ ବିଜେପି ଆଜି ଦଳ ବଳ ସହ ଘୋଡାକୁ ସେହି ସ୍ଥାନରେ ରଖିବାପାଇଁ ଅଣ୍ଟା ଭିଡିଛନ୍ତି ।

ଏଭଳି ନିଷ୍ପତ୍ତିକୁ କଂଗ୍ରେସ ବିଧାୟକ ଦୃଢ଼ ନିନ୍ଦା କରି ଆଜି ମାଷ୍ଟରକ୍ୟାଣ୍ଟିନର ଯୋଦ୍ଧା ଘୋଡ଼ା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ଏହି ପ୍ରତିମୂର୍ତିକୁ ସ୍ଥପତି ରଘୁନାଥ ମହାପାତ୍ର ନିର୍ମାଣ କରିଥିବା ବେଳେ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରୀୟ ମହାନ୍ତି, ନୀଳମଣି ରାଉତରାୟ ଓ ଚିନ୍ତାମଣି ପାଣିଗ୍ରାହୀଙ୍କ କ୍ରମାଗତ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି ।

ଏଠାରେ ସ୍ଥାପିତ ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ । ସଚ୍ଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ । ଏହି ପ୍ରତିମୂର୍ତିକୁ ହଟାନଯାଇ ସ୍ମାର୍ଟସିଟି କାର୍ଯ୍ୟକାରୀ ଯୋଜନା ଶ୍ରୀ ରାଉତରାୟ ଦାବି କରିଛନ୍ତି । ଯଦି ସରକାର ତାଙ୍କ ନିଷ୍ପତିର ପୁନଃ ବିଚାର ନକରନ୍ତି ଶ୍ରୀ ରାଉତରାୟ ଜନଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି ।

ସେହିଭଳି ବିଜେପି ମଧ୍ୟ ଏଠାକୁ ଘୋଡା ମୂର୍ତ୍ତି ସ୍ଥାନାନ୍ତରକୁ କଡା ବିରୋଧ କରିଛି । ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ଆଜି ଶତାଧିକ ବିଜେପି କର୍ମୀ ମାଷ୍ଟରକ୍ୟାଣ୍ଟିନର ଘୋଡା ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତ୍ତିମୂତ୍ତି ହଟାଇଲେ ବିଜେପି ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବ ବୋଲି ସେମାନନେ ଚେତାବନୀ ଦେଇଛନ୍ତି ।

ଉଭୟ ରାଜନୈତିକଦଳ ସ୍ମାଟସିଟି ପ୍ରକଳ୍ପ ସପକ୍ଷରେ ମତଦେବା ସହିତ ରାଜଧାନୀର ଐତିହ୍ୟ ବହନ କରୁଥିବା ଏହି ମୂର୍ତ୍ତିକୁ ଏଠାରୁ ସ୍ଥାନାନ୍ତର ନକରି ନିର୍ମାଣ କାର୍ଯ୍ୟ ଚଳାଇବାକୁ ମତ ଦେଇଛନ୍ତି । ତେବେ ଘୋଡା ମୂର୍ତ୍ତି ସଂରକ୍ଷଣରେ ଉଭୟ ବିଜେପି ଓ କଂଗ୍ରେସ ଯେଭଳି ଅଣ୍ଟା ଭିଡିଛନ୍ତି ତାହା ଆଗାମୀ ଦିନରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରରୁ ରକ୍ଷା କରିବ କି ନାହିଁ ତାହାଉପରେ ଏବେ ସମସ୍ତଙ୍କ ନଜର ।