Home Administration ଜୁନ୍‍ ୧ ଯାଏ ଲକ୍‍ଡାଉନ ବଢିଲା

ଜୁନ୍‍ ୧ ଯାଏ ଲକ୍‍ଡାଉନ ବଢିଲା

ଭୁବନେଶ୍ୱର : ରାଜ୍ୟରେ ଜାରି ଲକଡାଉନ୍‍ ଅବଧିକୁ ସରକାର ଆଜି ବୃଦ୍ଧି କରିଛନ୍ତି । ତଦନୁଯାୟୀ ଜୁନ୍‍ ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏଥି ସହିତ ପୂର୍ବରୁ ଜାରି ସପ୍ତାହନ୍ତ ସଟ୍‍ଡାଉନ୍‍ ଲାଗୁ ହେବବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି ଓ କେତେକ ଜିଲ୍ଲାରେ ଏହା ହ୍ରାସ ପାଉଛି, ତଥାପି ଏହା ଦୈନିକ ୧୦ହଜାର ଉପରେ ରହିଛି । ଏହାକୁ ଆହୁରି ହ୍ରାସ କରିବାପାଇଁ ସରକାର ଲକଡାଉନ୍‍ ଅବଧିକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଲକ୍‍ଡାଉନ୍‍ ଅବଧି ବୃଦ୍ଧି ସହିତ କଟକଣାକୁ କଡାକଡି କରିବାପାଇଁ ନିୟମରେ କେତେକ ପରିବର୍ତ୍ତନ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଖରିଦ ପାଇଁ ଲୋକେ ଏଣିକି ଦୈନିକ ୪ଘଣ୍ଟା ଅର୍ଥାତ୍‍ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ସମୟ ପାଇବେ । ପୂର୍ବରୁ ସପ୍ତାହରେ ୫ଦିନ ପାଇଁ ଏହି ସମୟ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଥିଲା । ନୂଆ ନିୟମରେ ଲୋକେ କେବଳ ଚାଲିକରି ଯାଇ ସାମଗ୍ରୀ କିଣିବାକୁ କୁହାଯାଇଛି ।

ସେହିଭଳି ବାହାଘର ପାଇଁ ପୂର୍ବରୁ ୫୦ଜଣଙ୍କ ବଦଳରେ ଏଣିକି ୨୫ଜଣଙ୍କୁ ଅନୁମତି ମିଳିବ । ତେବେ କୌଣସି ଠାରେ ଲୋକେ ବସିକି ଖାଇପାରିବେ ନାହିଁ । ଯଦି କେହି ଚାହିଁବେ ଲୋକଙ୍କୁ ଖାଦ୍ୟ ପୁଡିଆ ଦେଇପାରିବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତଭୋଜି ଯୋଗୁଁ ରାଜ୍ୟରେ କରୋନା ବୃଦ୍ଧି ପାଉଥିବା ମୁଖ୍ୟ ସଚିବ କହିଛନ୍ତି ।

ତେବେ ପୂର୍ବଭଳି ମାଲପରିବହନ, ଟିକାଦାନ, କରୋନା ପରୀକ୍ଷା ଆଦିକୁ କଟକଣାମୁକ୍ତ କରାଯାଇଛି । ଲକଡାଉନ୍‍ ସମୟରେ ଏଥିପାଇଁ ଆବଶ୍ୟକ ବ୍ୟକ୍ତି ଓ ଯାନବାହାନ ଚଳାଚଳ କରିପାରିବ । ତେବେ ଆନ୍ତଃରାଜ୍ୟ ବସ୍‍ ଚଳାଚଳ, ଶିକ୍ଷାନୁଷ୍ଠାନ, ପ୍ରଦର୍ଶନୀ, ମେଳା, ସିନେମାହଲ, ମଲ୍‍, ମାର୍କେଟ କମ୍ପେ୍ଲକ୍ସ, ସାଲୁନ,ସ୍ପା, ବିୟୁଟିପାର୍ଲର, ଧର୍ମାନୁଷ୍ଠାନ ଆଦି ପୂର୍ବଭଳି ବନ୍ଦ ରହିବ ।

ଲକଡାଉନ୍‍ ସମୟରେ ଓମଫେଡ ପାର୍ଲରଗୁଡିକ ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ସେମାନେ ଏହି ସମୟରେ ଚା’ କିମ୍ବା କଫି ଆଦି ପାନୀୟ ବିକ୍ରି କରିପାରିବେ ନାହିଁ । ତେବେ ଅନ୍ୟ ସମୟରେ ଦୁଗ୍ଧ, ବ୍ରେଡ୍‍ ଓ ଦୁଗ୍ଧଜାତି ସାମଗ୍ରୀର ଘରେ ପହଞ୍ଚାଇବାପାଇଁ ଅନୁମତି ଦିଆଯାଇଛି ।