Home Election ଜିଲ୍ଲା ପରିଷଦ ମଇଦାନରେ ୩୪୦୭ ପ୍ରାର୍ଥୀ

ଜିଲ୍ଲା ପରିଷଦ ମଇଦାନରେ ୩୪୦୭ ପ୍ରାର୍ଥୀ

ଭୁବନେଶ୍ୱର : ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟରୁ ଗୋଟିକରେ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ଗୋଟିକରେ ପ୍ରଚାର ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ଏହାଛଡା ଅନ୍ୟ ୮୫୧ଟି ଜୋନ୍‍ରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନୀ ଲଢେଇ ଦଳୀୟ ଭିତ୍ତିରେ ଘମାଘୋଟ ହେଉଛି ।

ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକର ଦୁଇ ନମ୍ବର ଜେନ୍‍ରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‍ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କର ଅକାଳ ମୃତ୍ୟୁ ହେବା ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ଅବଶ୍ୟ ଏହି ଅଞ୍ଚଳରେ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ ଏବଂ ପରବର୍ତ୍ତୀ ସମୟରେ ସାନି ନିର୍ବାଚନ ଲାଗି କମିଶନ ବିଜ୍ଞପ୍ତି ପ୍ରକାଶ କରିବେ ।

ନିର୍ବାଚନ ମଇଦାନରେ ଏବେ ୩୪୦୭ ଜଣ ପ୍ରାର୍ଥୀ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‍ରୁ ରହିଛନ୍ତି । ତିନି ଟି ଜିଲ୍ଲା ପରିଷଦ ଜୋନ୍‍ରେ ୯ଜଣ ଲେଖାଁଏ ପ୍ରାର୍ଥୀ ଥିବାବେଳେ ୫ଟି ଜୋନ୍‍ରେ ୮ଜଣ ଓ ୨୦ଟି ଜୋନ୍‍ରେ ୭ଜଣ ଲେଖାଁଏ ପ୍ରାର୍ଥୀ ଅଛନ୍ତି । ଏହାଛଡା ୫୨ଟି ଜୋନ୍‍ରେ ୬ଜଣ କରି ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ହେବାପାଇଁ ଲଢୁଥିବାବେଳେ ୧୩୯ଟି ଜୋନ୍‍ରେ ୫ଜଣ ଓ ୨୮୭ଟି ଜୋନ୍‍ରେ ୪ଜଣ କରି ରହିଛନ୍ତି ।

ତେବେ ୩୪୧ଟି ଜିଲ୍ଲା ପରିଷଦ ଜୋନ୍‍ରେ ୩ଜଣ କରି ପ୍ରାର୍ଥୀ ଲଢୁଛନ୍ତି । ଏଥିରୁ ସଂଖ୍ୟାଧିକ ଆସନରେ ବହୁକୋଣୀୟ ପ୍ରତିଦ୍ୱନ୍ଦିତା ହେବା ନିଶ୍ଚିତ । ଏମିତିକି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ରାୟଗଡା ଆଦି ଜିଲ୍ଲାରେ ଗୋଟିଏ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‍ରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଲଢୁଛନ୍ତି ।

ଏବେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୩୦ଟି ଜିଲ୍ଲାର ୮୫୧ଟି ଯାକ ଆସନରୁ ୮୫୦ଟିରେ ବିଜେଡିର ପ୍ରାର୍ଥୀ ଅଛନ୍ତି । କୋଟିଆ ଅଞ୍ଚଳରେ ସର୍ବଦଳୀୟ ସ୍ୱାଧୀନ ପ୍ରାର୍ଥୀ ଦିଆଯାଇଥିବାରୁ ସେଠାରେ ବିଜେଡି ଜିଲ୍ଲା ପରିଷଦ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କୁ ଛିଡା କରିନାହିଁ ।

ବିଜେପି ୮୪୮ଟି ଜିଲ୍ଲା ପରିଷଦ ଜୋନ୍‍ରେ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ୮୩୬, ବହୁଜନ ସମାଜପାର୍ଟି ୧୫୯ ଓ ଆମ୍‍ ଆଦମୀ ପାର୍ଟି ୧୪୧ଟି ଆସନରେ ପ୍ରାର୍ଥୀ ଦେଇଛି । ସିପିଆଇ ୩୮ଟି ଜୋନ୍‍ରେ ନିର୍ବାଚନ ଲଢୁଥିବାବେଳେ ସିପିଏମ୍‍ ୭୨ଟି, ଜେଏମଏମ୍‍ ୪୭ଟି, ଆଜସୁ ୧୨ଟି ଓ ଅନ୍ୟ ଦଳମାନେ ୨୧୪ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ଛଡା ଆଉ ୨୯୮ଜଣ ସ୍ୱାଧୀନ ପ୍ରାର୍ଥୀ ସଂଖ୍ୟାଧିକ ଦଳୀୟ ପ୍ରାର୍ଥୀଙ୍କ ହୋସ୍‍ ଉଡାଇ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଦଳୀୟ ଚିହ୍ନରେ ନିର୍ବାଚନ ହୋଇଥାଏ ଏବଂ ର୍ନିଦଳୀୟ ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରତି ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ସୀମା ଧାର୍ଯ୍ୟ କରାଯାଇଛି ଏବଂ ଏହାର ତଦାରଖ ପାଇଁ ମଧ୍ୟ ବହୁ ସଂଖ୍ୟକ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ।

ଜଣେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ବାଧିକ ୫ଟି ୪ଚକିଆ ଯାନ ଓ ୧୦ଟି ଦୁଇ ଚକିଆ ଯାନ ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେ ଏବଂ ଜଣେ ପ୍ରାର୍ଥୀଙ୍କ ସହିତ ଅତି ବେଶିରେ ୫ଜଣ ପ୍ରଚାର ଅଭିଯାନରେ ସାମିଲ ହେବାକଥା । ଏବେ କିନ୍ତୁ ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଚାରିଆଡେ ଏସବୁ କଟକଣାର ଖୋଲା ଉଲ୍ଲଙ୍ଘନ ଚାଲିଛି । ବିଭିନ୍ନ ଦଳ, ମନ୍ତ୍ରୀ, ବିଧାୟକ, ସାଂସଦ ଓ ସାଂଗଠନିକ ଅଧିକାରୀମାନଙ୍କ ଏହା ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବାରୁ ଯେ କୌଣସି ପ୍ରକାରେ ଜିଲ୍ଲା ପରିଷଦ ଦଖଲ ପାଇଁ ସମସ୍ତେ ଲାଗି ପଡିଛନ୍ତି । (ତଥ୍ୟ)