Home News in Odia ଜିଲ୍ଲା ପରିଷଦ ଓ ବ୍ଲକ୍‍ ଅଧ୍ୟକ୍ଷ ଚିନ୍ତାରେ ନେତା

ଜିଲ୍ଲା ପରିଷଦ ଓ ବ୍ଲକ୍‍ ଅଧ୍ୟକ୍ଷ ଚିନ୍ତାରେ ନେତା

ଭୁବନେଶ୍ୱର : ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତ ଗ୍ରହଣର ୧୫ଦିନ ପରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବାକୁ କାର୍ଯ୍ୟକ୍ରମ ରହିଛି । ଏହି ପଦବୀଗୁଡିକରୁ ପ୍ରାୟ ଅଧା ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି । ଏଥିପାଇଁ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ଦଳୀୟ ନେତାମାନଙ୍କର ଏବେ ମୁଣ୍ଡବିନ୍ଧା ବଢ଼ି ଯାଇଛି ।

ବିକ୍ଷିପ୍ତ ହିଂସାକାଣ୍ଡ ମଧ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୨୪ରେ ଶେଷ ହୋଇଥିବା ବେଳେ ଆଉ କେତେକ ବୁଥରେ ପୁନଃ ମତଗ୍ରହଣ କରାଯିବାର ଅଛି । ଏହାପରେ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବ୍ଲକ୍‍ ସ୍ତରରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଲାଗି ଭୋଟ ଗଣତି ହେବ । ମାର୍ଚ୍ଚ ୩ ତାରିଖରେ ବିଜିତ ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଦସ୍ୟମାନଙ୍କର ନାମ ଜିଲ୍ଲାପାଳମାନେ ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିବେ ।

ବିଜୟୀ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ନାମ ମାର୍ଚ୍ଚ ୪ ତାରିଖରେ ଘୋଷିତ ହେବ ଏବଂ ଜିଲ୍ଲା ପରିଷଦ ସଭାପତି ପଦବୀ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ୧୩ ତାରିଖରେ ନିର୍ବାଚନ କରାଯିବ । ଏହାପରେ ୧୭ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୫ ତାରିଖରେ ନିର୍ବାଚନ ହେବ । ସେହିଭଳି ମାର୍ଚ୍ଚ ୪ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୧୨ ତାରିଖରେ ଏବଂ ମାର୍ଚ୍ଚ ୧୫ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୩ ତାରିଖରେ ନିର୍ବାଚନ କରିବା ଲାଗି କାର୍ଯ୍ୟକ୍ରମ ରହିଛି ।

ଦଳୀୟ ଭିତ୍ତିରେ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ କେଉଁ ଦଳ କବ୍‍ଜାରେ କେଉଁ କେଉଁ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ଆସନ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଏହି ନିର୍ବାଚନରେ ଦଳୀୟ ଟିକେଟରେ ଜିଣି ଯେଉଁ ଜିଲ୍ଲା ପରିଷଦ ସଦସ୍ୟମାନେ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ସଭାପତି ଓ ଉପସଭାପତି ପଦବୀ ପାଇଁ ଭୋଟ ଦେବେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବାର ସମ୍ଭାବନା ଥିବାରୁ ଏ କ୍ଷେତ୍ରରେ ଘୋଡା ବେପାର ହୋଇପାରିବ ନାହିଁ ।

ତେବେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଅପହରଣ କରିବା କିମ୍ବା ମତଦାନ ପାଇଁ ନ ଛାଡିବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ନିରାପତ୍ତା ଏବେ ପ୍ରମୁଖ ପ୍ରସଙ୍ଗ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ୮୫୩ଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ଥିବାବେଳେ ସେଥିରୁ ଗୋଟିକରେ ବିଜେଡି ନିନ୍ଦ୍ୱର୍ନ୍ଦରେ ଜିଣିଛି ଓ ଅନ୍ୟଗୋଟି ଆସନରେ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଅବଶିଷ୍ଟ ୮୫୧ଟି ଆସନ ଲାଗି ଭୋଟ ନିଆ ସରିଛି ।

ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ଏବେଠାରୁ ଜୋରଦାର ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଦଳୀୟ ଭିତ୍ତିରେ ସମିତି ସଦସ୍ୟ ନିର୍ବାଚନ ହୋଇନଥିବାରୁ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଜିଣାଇବା ପାଇଁ ସ୍ଥଳବିଶେଷରେ ନିର୍ବାଚିତ ସମିତି ସଦସ୍ୟମାନଙ୍କ ଉପରେ ପ୍ରବଳ ଚାପ ପଡିପାରେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯେଭଳି ବ୍ୟାପକ ହିଂସାକାଣ୍ଡ ଘଟିଛି ସେଥିରୁ ଏହି ଆଶଙ୍କାକୁ ଏଡାଇ ଦେଇହେବ ନାହିଁ ।

ଏ ପରିପ୍ରେକ୍ଷୀରେ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ସମର୍ଥିତ ସମିତି ସଦସ୍ୟ ପ୍ରାର୍ଥୀମାନଙ୍କୁ ଏବେଠାରୁ ଗୋପନୀୟ ସ୍ଥାନରେ ରଖିବା ଆରମ୍ଭ କରିଛନ୍ତି । ମୋଟାମୋଟି ଭାବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପାଇଁ ଗଣ ଭୋଟ ହୋଇସାରିଥିଲେ ମଧ୍ୟ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଆଉ ପ୍ରାୟ ମାସେ କାଳ ସରଗରମ ବାତାବରଣ ଲାଗି ରହିପାରେ । (ତଥ୍ୟ)