Home Health ଜିନମ ସିକ୍ୱେନ୍ସିଂ ପରୀକ୍ଷା ପାଇଁ ଗୋଟିଏ କେନ୍ଦ୍ର

ଜିନମ ସିକ୍ୱେନ୍ସିଂ ପରୀକ୍ଷା ପାଇଁ ଗୋଟିଏ କେନ୍ଦ୍ର

ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦକୁ ଆଖି ଆଗରେ ରଖି ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ ଜିନମ ସିକ୍ୱେନ୍ସିଂ ପରୀକ୍ଷା କିନ୍ତୁ ସମସ୍ୟା ସୃଷ୍ଟି କରିପାରେ । ଏବେ କେବଳ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ଜିନମ ସିକ୍ୱେନ୍ସିଂ ପରୀକ୍ଷା ବ୍ୟବସ୍ଥା ରହିଛି ।

ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି ଯେ ଚଳିତ ମାସର ଦ୍ୱିତୀୟ ପର୍ଯ୍ୟାୟରୁ ଓମିକ୍ରନଜନିତ କରୋନା ସଂକ୍ରମଣ ହାର ଭୟଙ୍କର ଭାବେ ବୃଦ୍ଧି ପାଇପାରେ । ଏମିତିକି ଦେଶରେ ଦୈନିକ ସଂକ୍ରମଣ ୪ଲକ୍ଷରୁ ଅଧିକ ହେବା ଆଶଙ୍କା ଥିବାବେଳେ ରାଜ୍ୟରେ ବି ଲୋକେ ସତର୍କ ନହେଲେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ହୋଇପାରେ ।

କରୋନା ଆରମ୍ଭ ହେବା ବେଳେ ପ୍ରଥମେ କେବଳ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ କରୋନା ଭୂତାଣୁ ଚିହ୍ନଟ ପାଇଁ ବ୍ୟବସ୍ଥା ଥିଲା । ପରେ ଜୀବ ବିଜ୍ଞାନ ସଂସ୍ଥାନ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପରୀକ୍ଷଣ କିଟ୍‍ ଉପଲବ୍ଧ ହେବା ପରେ ପରୀକ୍ଷଣ ମାତ୍ରା ବୃଦ୍ଧି ପାଇଥିଲା ।

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରାଜ୍ୟର ସରକାରମାନେ ଶିକ୍ଷାନୁଷ୍ଠାନ ବନ୍ଦ ସହିତ ଅନେକ କଟକଣା ଜାରି କରୁଥିବା ବେଳେ ଓଡ଼ିଶାର ରାଜଧାନୀରେ ସମସ୍ତଙ୍କ ଆଖିଆଗରେ ଶିଶିର ସରସ ମେଳାରେ ଯେଭଳି ଭୟଙ୍କର ଗହଳି ହେଉଛି ତାହା କରୋନା ବଣ୍ଟନରେ ସହାୟକ ହେବ ବୋଲି ବିଭିନ୍ନ ମହଲ ଆରୋପ କରୁଛନ୍ତି ।

ଗୋଟିଏପଟେ ସରକାର ଗହଳି ଏଡାଇ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଆଦି ଲାଗି ଜନସଚେତନତା ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶିର ସରସ ମେଳା ଚାଲିଛି ଏବଂ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଅନୁମତି ଦେଇନଥିଲେ ମଧ୍ୟ ଭିଡକୁ ଦେଖି ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତ୍ତେ ନିରବରେ ବସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥିଲାଗି ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଶଯ୍ୟା ବ୍ୟବସ୍ଥା କରାଯିବା ସହ ଔଷଧ ଓ ଅକ୍ସିଜେନ ଆଦି ମହଜୁଦ ରଖାଯାଉଛି ।

ବରିଷ୍ଠ ଚିକିତ୍ସକମାନେ କହୁଛନ୍ତି ଯେ କରୋନାର ଆରଟିପିସିଆର ଟେଷ୍ଟ ଲାଗି ବ୍ୟାପକ ସୁଯୋଗ ଅଛି । କିନ୍ତୁ ଓମିକ୍ରନ ଭୂତାଣୁ ଚିହ୍ନଟ ଲାଗି ଜିନମ ସିକ୍ୱେନ୍ସିଂ ଟେଷ୍ଟର ଆବଶ୍ୟକତା ପଡୁଥିବା ବେଳେ ଏବେ ଓଡ଼ିଶାରେ କେବଳ ଭୁବନେଶ୍ୱରସ୍ଥିତ ଜୀବନ ବିଜ୍ଞାନ ପ୍ରତିଷ୍ଠାନରେ ଏହି ପରୀକ୍ଷା ସୁଯୋଗ ରହିଛି । କରୋନା ବ୍ୟାପିବା ପୂର୍ବରୁ ପ୍ରତି ଜିଲ୍ଲା ବିଶେଷକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଜିନମ ସିକ୍ୱେନ୍ସିଂ ପରୀକ୍ଷାର ବ୍ୟବସ୍ଥା କରାନଗଲେ ଯଦି ସଂକ୍ରମଣ ହାର ବୃଦ୍ଧି ପାଏ, ତେବେ ପ୍ରଶାସନ ଓ ସାଧାରଣ ଲୋକଙ୍କୁ ନାକେଦମ ହେବାକୁ ପଡିବ ।

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ସପ୍ତାହେ ହେବ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖିଆଗରେ ରଖି ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ନେଇଥିବା ନିଷ୍ପତ୍ତି ବଦଳାଇଛନ୍ତି । ଏବେ ପ୍ରଥମ ଲହର ଭଳି କ୍ୱାରେଣ୍ଟାଇନ କେନ୍ଦ୍ର ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନ ଖୋଲି କରୋନା ରୋଗୀଙ୍କୁ ପୃଥକ୍‍ କରି ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ବିଶେଷକରି ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏବେଠାରୁ କଠୋର ପଦକ୍ଷେପ ନ ନେଲେ ସେତେବେଳକୁ ସ୍ଥିତି ବିଗିଡି ଯାଇପାରେ । (ତଥ୍ୟ)