Home Finance ଜିଏସ୍‍ଟି ଆଦାୟ ୨୦ ପ୍ରତିଶତ ବଢିଛି

ଜିଏସ୍‍ଟି ଆଦାୟ ୨୦ ପ୍ରତିଶତ ବଢିଛି

ଭୁବନେଶ୍ୱର : ଓଡିଶାରେ ଜିଏସ୍‍ଟି ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଡିସେମ୍ବର ମାସରେ ଏହି ବୃଦ୍ଧି ଘଟିଥିବାବେଳେ ସର୍ବଭାରତୀୟ ସ୍ତରରେ ଏହି ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ମାସର ଜିଏସ୍‍ଟି ଆଦାୟ ନେଇ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ତୁଳନାରେ ଓଡିଶାର ଅଭିବୃଦ୍ଧି ସର୍ବାଧିକ ରହିଛି । ୨୦୧୯ ଡିସେମ୍ବର ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କାର ଜିଏସ୍‍ଟି ଆଦାୟ ହୋଇଥିବାବେଳେ ଚଳିତବର୍ଷ ଏହା ୨୮୬୦କୋଟି ଟଙ୍କା ରହିଛି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହି ସମୟ ମଧ୍ୟରେ ଜିଏସ୍‍ଟି ଆଦାୟ ଅଭିବୃଦ୍ଧି ୧୪ ପ୍ରତିଶତ ଥିବାବେଳେ ଝାଡଖଣ୍ଡରେ ୧୧ ଓ ପଶ୍ଚିମବଙ୍ଗରେ ୧୦ ପ୍ରତିଶତ ରହିଛି । ତେବେ ଦେଶର ଅନ୍ୟ ରାଜ୍ୟମାନେ ବି ଓଡିଶା ଭଳି ଡିସେମ୍ବରରେ ପ୍ରଦର୍ଶନ କରିପାରିନଥିବା ଜଣାଯାଇଛି ।

ଡିସେମ୍ବର ମାସରେ ମୋଟ୍‍ ୧,୧୫,୧୭୪କୋଟି ଟଙ୍କାର ଜିଏସ୍‍ଟି ଆଦାୟ ହୋଇଥିବାବେଳେ ଏଥିରେ ସିଜିଏସ୍‍ଟି ପରିମାଣ୨୧,୩୬୫, ଏସ୍‍ଜିଏସ୍‍ଟିର ପରିମାଣ ୨୭,୮୦୪, ଆଇଜିଏସ୍‍ଟିର ପରିମାଣ ୫୭,୪୨୬ ଏବଂ ସେସ୍‍ ପରିମାଣ ୮୫୭୯କୋଟି ଟଙ୍କା ରହିଛି । ଡିସେମ୍ବର ମାସରେ କେନ୍ଦ୍ର ସରକାର ସିଜିଏସ୍‍ଟି ବାବଦରେ ୪୪,୬୪୧କୋଟି ଏବଂ ଏସ୍‍ଜିଏସ୍‍ଟି ବାବଦରେ ୪୫,୪୮୫ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିଛି । ଜିଏସ୍‍ଟି ଆଦାୟର ଯେଉଁ ହାର ଜାରି ରହିଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୧୨ ପ୍ରତିଶତ ଅଧିକ ।

ଗତବର୍ଷ ଏହି ସମୟ ତୁଳନାରେ ଆମାଦାନୀ ହେଉଥିବା ସାମଗ୍ରୀ ଉପରୁ ୨୭ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଥିବା ଘରୋଇ ସାମଗ୍ରୀ ଉପରୁ ୮ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇପାରିଛି । ଦେଶରେ ଜିଏସ୍‍ଟି ଲାଗୁ ହେବାପରେ ପ୍ରଥମଥର ପାଇଁ ଡିସେମ୍ବର ୨୦୨୦ ରେ ଏହାର ଆଦାୟ ପରିମାଣ ଏକ ଲକ୍ଷ ୧୫ହଜାର କୋଟି ଟଙ୍କା ଅତିକ୍ରମ କରିଛି । ୨୦୧୯ ମସିହାରେ ଏହା ସର୍ବାଧିକ ୧,୧୩,୮୬୬କୋଟି ଟଙ୍କା ଥିଲା । ମାର୍ଚ୍ଚ ମାସରେ ଆର୍ଥିକ ବର୍ଷ ସରୁଥିବାରୁ ଆଦାୟ ପରିମାଣ ସାଧାରଣତଃ ଏପ୍ରିଲରେ ଅଧିକ ରହିଥାଏ ।

ଡିସେମ୍ବର ମାସରେ ରେକର୍ଡ ସଂଖ୍ୟକ ଜିଏସ୍‍ଟି ଆଦାୟ ହୋଇଥିବାବେଳେ ଏହା ପୂର୍ବମାସରେ ଜିଏସ୍‍ଟି ଆଦାୟ ପରିମାଣ ୧,୦୪,୯୬୩ କୋଟି ଟଙ୍କା ଥିଲା । ଗତ ୨୧ମାସ ମଧ୍ୟରେ ଗୋଟିଏ ମାସରେ ସର୍ବାଧିକ ଜିଏସ୍‍ଟି ଆଦାୟ ରହିଛି । କରୋନା ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ସମଗ୍ର ଦେଶରେ କାରବାର ବୃଦ୍ଧି ପାଇବା ସହିତ ଜିଏସ୍‍ଟି ଆଦାୟ ବଢିବାରେ ଲାଗିଛି । ଗତ ତ୍ରୈମାସିକରେ ଜିଏସ୍‍ଟି ଆଦାୟ କ୍ଷେତ୍ରରେ ୭.୩ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା -୪୧.୦୧% ଏବଂ ଦ୍ୱିତୀୟ ତ୍ରେିମାସିକରେ -୮.୨% ପ୍ରତିଶତ ଥିଲା ।

LEAVE A REPLY

Please enter your comment!
Please enter your name here