Home News in Odia ଜାହାନିଆ ହେବ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର

ଜାହାନିଆ ହେବ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର

ଭୁବନେଶ୍ୱର : ପୁରୀ ଜିଲ୍ଲା ଅନ୍ତର୍ଗତ ଜାହାନିଆ ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ ଏବଂ ଉନ୍ନତିକରଣ ସହିତ ଏହାକୁ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର କରାଯିବ । ଏ ନେଇ ଆଜି କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ସେଠାକୁ ଗସ୍ତ କରିବା ସହିତ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ଦଳ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ।

ପୁରୀ, କୋଣାର୍କ, ସାତପଡ଼ା ସହିତ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଜାହାନିଆ ଅନ୍ୟତମ । ବିସ୍ତୀର୍ଣ୍ଣ ସମୁଦ୍ରତଟ ସହିତ ସୁନ୍ଦର ଓ ମନଲୋଭା ପ୍ରାକୃତିକ ପରିବେଶ ପାଇଁ ଜାହାନିଆ ପର୍ଯ୍ୟଟନସ୍ଥଳୀର ବେଶ୍‌ ପ୍ରସିଦ୍ଧି ରହିଛି । ରାଜ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଜାହାନିଆକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଲାଗି ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।

ଦେଶ ବିଦେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଜାହାନିଆ ଅଞ୍ଚଳର ବେଶ୍‌ ସାମର୍ଥ୍ୟ ରହିଛି । ସ୍ଥାନୀୟ ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ ସହିତ ଇକୋଟୁରିଜିମ୍‌ ଏବଂ ବିଚ୍‌ ଟୁରିଜିମ୍‌କୁ ଏଠାରେ ଅଧିକ ବିକଶିତ କରାଯାଇପାରିବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥନିବାସ ନିର୍ମାଣ ସହିତ ତାରକା ହୋଟେଲ ନିର୍ମାଣ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକା, ଅର୍ଥନୀତିକୁ ଏହା ଅଧିକ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ କହିଛନ୍ତି ।

ଏହି ଗସ୍ତ ସମୟରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ, ବୈଷୟିକ ଟିମ୍‌, ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଅନ୍ୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ ।