Home Agriculture ଜାରି ରହିବ ଏମଏସପି ବ୍ୟବସ୍ଥା

ଜାରି ରହିବ ଏମଏସପି ବ୍ୟବସ୍ଥା

ଭାରତବର୍ଷରେ ମୋଦି ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରରେ ଅଣାଯାଇଥିବା ୩ଟି ବିଲ୍ ଯଥା କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍, ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତିଭିତ୍ତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ତେବେ ଏହି ବିଲ୍ ଦ୍ୱାରା ଏମଏସପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଓଡିଶା ଓ ଭାରତବର୍ଷରେ ଏମଏସପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତ୍ତିତ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟର ଚାଷୀମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କିଣିଛନ୍ତି ଏବଂ ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପ୍ରତି ୧୩୧୦ ଟଙ୍କା ଥିଲା । ମାତ୍ର ମୋଦି ସରକାରରେ ଆର୍ଥିକ ବର୍ଷ ୨୦୧୪ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି ଏବଂ ୨୦୨୦-୨୧ରେ ଧାନର ଏମଏସପି କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେହିପରି ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ୨୦,୨୭୨.୩୩ ଟନ ଡାଲି କିଣାଯାଇଛି ଏବଂ ଏହାର ଏମଏସପି କ୍ୱିଣ୍ଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶା ଚାଷୀଙ୍କ ଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମଏସପି କ୍ୱିଣ୍ଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି(ଏପିଏମସି) ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଏହି ଆଇନ ବଳରେ ଚାଷୀମାନେ ଏପିଏମସି ସହିତ ଏହାର ବାହାରେ ମଧ୍ୟ ମୁକ୍ତ ବଜାରରେ ନିଜର ସାମଗ୍ରୀକୁ ବିକ୍ରି କରିପାରିବେ । ଅର୍ଥାତ ନୂତନ କୃଷି ନୀତି ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ଓ ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି । ଫଳରେ ଦେଶର ଯେକୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସାମର୍ଥ୍ୟ ହେବେ । କୃଷିଜାତ ସାମଗ୍ରୀକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା ମଧ୍ୟ ବିଧେୟକରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦନ ସଂସ୍ଥା(ଏଫପିଓ) ଗଠନ ପାଇଁ ଯୋଜନା ହୋଇଛି । ଏହି ଆଇନ ଦ୍ୱାରା ଉଭୟ ଓଡ଼ିଶା ଓ ଭାରତର ଚାଷୀମାନେ ଲାଭବାନ ହେବେ । ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ । କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦନ ଫସଲ କିଣିହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ପାଇଁ ଏପରି ବିଲ୍ ଆଣି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ।

ଭାରତର ଜିଡିପିରେ କୃଷି କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ରଖୁଛି । ତେଣୁ ଭାରତର ମୂଳ ଆଧାର କୃଷି କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍ ଅଣାଯାଇଥିଲା । ଏହି ବିଧେୟକ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବ ଏବଂ ଉପଭୋକ୍ତାଙ୍କୁ ମଧ୍ୟ ସଠିକ୍ ମୂଲ୍ୟରେ ସାମଗ୍ରୀ ମିଳିପାରିବ । ସେ କହିଛନ୍ତି ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ । ମାତ୍ର ଏହି ନୂଆ କୃଷି ନୀତି ଦ୍ୱାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଓ ଡା.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here