Home Health ଜାନୁୟାରୀ ୩ରୁ ପିଲାଙ୍କୁ ଟିକା

ଜାନୁୟାରୀ ୩ରୁ ପିଲାଙ୍କୁ ଟିକା

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁୟାରୀ ୩ ତାରିଖରୁ ପିଲାଙ୍କୁ ଟିକା ଦିଆଯିବ । ୧୫ରୁ ୧୮ବର୍ଷ ବୟସର ପିଲାଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିଭଳି ୬୦ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯିଏ କି ଏକାଧିକ ଜଟିଳ ରୋଗରେ ପୀଡିତ ଅଛନ୍ତି, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ମୁକାବିଲା କ୍ଷେତ୍ରରେ ଆଗରେ ଥିବା କର୍ମଚାରୀଙ୍କୁ ବି ଟିକା ଦିଆଯିବ । ଏହା ଜାନୁୟାରୀ ୧୦ ତାରିଖରୁ କାର୍ଯ୍ୟକାରୀ ହେବ ।

ଉଲ୍ଲେଖନୀୟ ଯେ ଭାରତରେ ୧୮ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକା ଟିଆ ଦିଆଯାଉଥିବାବେଳେ ଏବେ ପିଲାଙ୍କୁ ଟିକା ଦେବାଲାଗି ନିଷ୍ପତ୍ତି ହୋଇଛି । ବିଶେଷକରି ଦେଶରେ ଓମିକ୍ରନ ପ୍ରବେଶ ପରେ ଏ ନେଇ ସରକାରୀ ସ୍ତରରେ ତତ୍ପରତା ଦେଖା ଦେଇଛି ।

ବିଶେଷକରି ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟରେ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାବେଳେ ଓଡିଶା ସମେତ ୧୭ଟି ରାଜ୍ୟରେ କୋଭିଡର ଏହି ନୂଆ ପ୍ରଜାତି ତାହାର କାୟା ବିସ୍ତାର କରିଛି । ତେଣୁ ଏଭଳି ସ୍ଥିତିରେ ଶିଶୁମାନଙ୍କୁ ସୁରକ୍ଷିତ କରି ରଖିବାପାଇଁ ସେମାନଙ୍କ ଟିକାକରଣ ଜରୁରୀ ହୋଇ ପଡିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡିଶାରେ ଯେଉଁ ଚାରି ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୧୧ ଓ ୧୫ବର୍ଷର ଦୁଇଜଣ ଶିଶୁ ରହିଛନ୍ତି । ଏହି ଦୁଇଜଣ ନିଜ ପିତାମାତାଙ୍କ ସହିତ ନାଇଜେରିଆରୁ ଫେରିଛନ୍ତି । ତେବେ ସେମାନଙ୍କ ପିତାମାତା କୋଭିଡ ନେଗେଟିଭ ଚିହ୍ନଟ ହୋଇଛନ୍ତି ।