Home Election ଜାତୀୟ ନେତା ଭରସା

ଜାତୀୟ ନେତା ଭରସା

ଭୁବନେଶ୍ୱର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୧୨ଟି ଲୋକସଭା ଏବଂ ଏହା ଅଧିନରେ ଥିବା ୮୪ଟି ବିଧାନସଭାରେ ଲଢୁଥିବା ପ୍ରାର୍ଥୀ ବିଶେଷକରି ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଏବେ ଜାତୀୟ ସ୍ତରର ନେତାଙ୍କ ଭରସାରେ । ଏହି ଦୁଇଦଳର ଜାତୀୟ ସ୍ତରର ନେତାମାନେ ଏଥିପାଇଁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି ।

ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଏବେ ଦଳର ଜାତୀୟ ସ୍ତରର ନେତାମାନେ ଘନ ଘନ ଗସ୍ତ କରିବା ସହିତ କିଛି ନେତା ଓଡିଶାରେ ଡେରା ପକାଇଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା, ସାଂସଦ ହେମାମାଳିନୀ, ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ପ୍ରମୁଖ ନିୟମିତ ବ୍ୟବଧାନରେ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି । ତେବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଓଡିଶାରେ ଡେରା ପାଇଛନ୍ତି ।

ଏହି କେନ୍ଦ୍ରୀୟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ଫଳରେ ଏବେ ପ୍ରାର୍ଥୀମାନଙ୍କର ବଳ ବଢିବାରେ ଲାଗିଛି । ରାଜ୍ୟ ସ୍ତରର ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବ୍ୟସ୍ତ ଥିବାବେଳେ ଜାତୀୟ ସ୍ତରର ଏହି ଆଗଧାଡିର ନେତାମାନେ ପ୍ରାର୍ଥୀଙ୍କ ପାଇଁ ଘମାଘୋଟ ପ୍ରଚାର ଚଳାଇଛନ୍ତି । ମୁଖ୍ୟତଃ ପ୍ରାର୍ଥୀମାନେ ରାଜ୍ୟ ବାହାରର ଏହି ନେତାମାନଙ୍କ ଭରସାରେ ରହିଛନ୍ତି ।

ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଳ ଗାନ୍ଧୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‍ଗେ ଘନ ଘନ ଗସ୍ତ କରୁଥିବାବେଳେ ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର, କେନ୍ଦ୍ରୀୟ ନେତା ଜୟରାମ ରମେଶ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ଦଳର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ପ୍ରଚାର କମିଟି ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାର୍ଥୀ ହୋଇଥିବାବେଳେ ଜାତୀୟ ନେତାଙ୍କ ଭରସାରେ ଅଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦି ବିଜେଡିର ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓ ଦଳର ନେତା ଭି.କେ.ପାଣ୍ଡିଆନ ଧରିଛନ୍ତି । ଏମାନଙ୍କ ସହିତ ଆଉ କିଛି ଚଳଚିତ୍ର ତାରକା ମଧ୍ୟ ପ୍ରଚାର ଚଳାଇଛନ୍ତି । ତେବେ ରାଜ୍ୟ ସ୍ତରର ବିଜେଡି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ହୋଇଥିବାରୁ ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀ ବାହାରକୁ ବାହାରିପାରୁ ନାହାନ୍ତି । ତେଣୁ ବିଜେଡି ପ୍ରାର୍ଥୀମାନେ ମୁଖ୍ୟତଃ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଭରସାରେ ରହିଛନ୍ତି ।

ରାଜ୍ୟରେ ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଯେମିତି ଘମାଘୋଟ ପ୍ରଚାର ଚାଲିଛି ଏବଂ ଏଥିରେ ବିଜେପି ଓ କଂଗ୍ରେସର ଜାତୀୟ ସ୍ତରର ନେତାଙ୍କ ସହିତ ବିଜେଡିର ଦୁଇ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଓ ଭି.କେ.ପାଣ୍ଡିଆନ ତୁହାକୁ ତୁହା ଗସ୍ତକରି ବିଭିନ୍ନ ଅଞ୍ଚଳରେ ପ୍ରଚାର ଚଳାଇଛନ୍ତି ତାହାରା ଫଳାଫଳ ଭୋଟ ଗଣତି ଦିନ ହିଁ ଜଣାପଡିବ । (ତଥ୍ୟ)