Home Education ଜାତୀୟ ଆଚିଭ୍‌ମେଣ୍ଟ ସର୍ଭେ ପାଇଁ ବ୍ୟାପକ ପ୍ରସ୍ତୁତି

ଜାତୀୟ ଆଚିଭ୍‌ମେଣ୍ଟ ସର୍ଭେ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାନୈପୁଣ୍ୟତା (ଏନ୍‌ଏଏସ୍‌) ପରୀକ୍ଷା କରିବା ଜାତୀୟ ଆଚିଭ୍‌ମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାରପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦୁ୍ୟତିକରଣ, ଶୌଚାଳୟ ଏବଂ ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚତୁଃପାଶ୍ୱର୍ ତଥା ଖେଳପଡ଼ିଆ ଆଦିକୁ ପରିଷ୍କାର କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଦୀର୍ଘଦିନ ପରେ ଅନେକ ସ୍କୁଲର ଜମିବାଡ଼ି ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ଠିକ୍‌ ନଥିବାରୁ ଏଥି ନେଇ ରାଜସ୍ୱ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କ କୋଭିଡ୍‌-୧୯ର ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବନ୍ଦ ଥିବା କାରଣରୁ ପିଲାମାନଙ୍କ ଶୈକ୍ଷିକ ସ୍ତର ଜାଣିବା ପାଇଁ ପ୍ରତ୍ୟେକ ସ୍କୁଲ ଖୋଲିବା ପରେ ଚଳିତ ୨୭ ଅକେଫାବରରୁ ଏକ ବେଶ୍‌ଲାଇନ୍‌ ସର୍ଭେ କରାଯିବ । ଚଳିତ ଶିକ୍ଷାବର୍ଷଠାରୁ ଏଫ୍‌ଏଲ୍‌ଏନ୍‌ କାର୍ଯ୍ୟକୁ ବିଧିବଦ୍ଧ ରୂପେ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟସ୍ତରରେ ଏହି କାର୍ଯ୍ୟକୁ ନିର୍ଦ୍ଦେଶକ ଏସ୍‌ଆଇଆର୍‌ଟି ଏବଂ ଓସେପା ତଦାରଖ କରିବେ । ଏଥି ସହିତ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହିତ ପହଞ୍ଚାଇବାକୁ ହେଲେ କ୍ଷେତ୍ରରେ କାର୍ଯ୍ୟ କରୁଥିବା (ଡାଏଟ୍‌) ସି.ଟି କଲେଜର ଅଧିକାରୀ ଏବଂ କ୍ଲଷ୍ଟର ଶିକ୍ଷକମାନଙ୍କର ସମନ୍ୱୟ ବାଞ୍ଛନୀୟ ଅଟେ । ଚଳିତ ବର୍ଷଠାରୁ କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏଣୁ ବର୍ଷର ବିଭିନ୍ନ ସମୟରେ ସିବିଏସ୍‌ଇ ଢାଞ୍ଚାରେ ପରୀକ୍ଷା କରାଯିବ । ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟାପକ ଭାବରେ ଖାଲି ପଡ଼ିଥିବା ସ୍ଥାନରେ ପଦୋନ୍ନତି ଦିଆଯାଇଛି । କିଛି ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ନୂତନ ଭାବେ ସୃଷ୍ଟି ହେଉଥିବା ଖାଲି ପଦବୀ ପୂରଣ ହେବାକୁ ସଚିବ ଶ୍ରୀ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଭର୍ଚୁଆଲ୍‌ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।