Home News in Odia ଜଳ ପରିଚାଳନା ପାଇଁ ବୁଝାମଣା

ଜଳ ପରିଚାଳନା ପାଇଁ ବୁଝାମଣା

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ଆଜି ଅପରାହ୍ଣରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମଗୁଡିକର ସୁଦୃଢୀକରଣ ପାଇଁ ସହଯୋଗ ନିମନ୍ତେ କରାଯାଇଥିବା ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ ।

ପୋଷଣୀୟ ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀମାନଙ୍କୁ ନିୟୋଜିତ କରିବା, ଯତ୍ନଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମାନତା, ଜଳ ସଂରକ୍ଷଣ, ଜଳ ପରିଚାଳନାରେ ମହିଳାମାନଙ୍କ ପ୍ରମୁଖ ଭାଗିଦାରିତା ତଥା ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଜଳସେଚନ ପରିଚାଳନା କରିବା ଏହି ଉଦ୍ୟମର ଲକ୍ଷ୍ୟ ରହିଛି ।

ୟୁନିସେଫ ସହ ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଲେ ଯେ, ଜଳ ସଂପଦ ବିଭାଗ ପ୍ରଥମ ଥର ଅଧିକ ଗୋଷ୍ଠୀଙ୍କୁ ନିୟୋଜିତ କରି ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଜଳକୁ ପରିଷ୍କାର କରିବା ନେଇ ରହିଥିବା ଏହାର କ୍ଷମତା ନିୟନ୍ତ୍ରଣକୁ କୋହଳ କରୁଛନ୍ତି ।

ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଆମକୁ କିପରି ଜଳ ପରିଚାଳନା କରିବାକୁ ହେବ ଏବଂ ଏ ସଂପର୍କରେ ରହିଥିବା ପ୍ରମୁଖ ‘ନିରନ୍ତର ବିକାଶ ଲକ୍ଷ୍ୟ’ ସାଧନ ଯଥା-ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳର ସୁବିଧା; ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା; ଉନ୍ନତ ଗୁଣାତ୍ମକ ଜଳର ଉପଲବ୍‌ଧତା; ବର୍ଜ୍ୟଜଳର ପ୍ରକ୍ରିୟାକରଣ ଓ ନିରାପଦ ପୁନଃ ବ୍ୟବହାର; ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି; ସମନ୍ୱିତ ଜଳ ସମ୍ପଦର ପରିଚାଳନା; ଜଳ ସଂପର୍କିତ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରମାନେ କାର୍ଯ୍ୟ କରିବା ପାଇଁ ପୁନଶ୍ଟ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ ।

ରାଜ୍ୟ ଜଳ ନୀତିର ପୁନଃ ତର୍ଜମା କରିବା, ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ(ୱାଲ୍‌ମୀ)କୁ ଉତ୍କର୍ଷ କେନ୍ଦ୍ର ରୂପେ ପ୍ରତିଷ୍ଠା, ‘ୟୁଥ୍ ଫର ୱାଟର’, ‘ମୋ ନଦୀ’ କାର୍ଯ୍ୟକ୍ରମର ପ୍ରଚାର ଆଦି ପ୍ରମୁଖ ବ୍ୟବସ୍ଥା ଆଗାମୀ ଦିନରେ ୟନିସେଫ୍‌ର ମିଳିତ ପ୍ରୟାସରେ ସାଧନ ହେବାକୁ ଯାଉଛି ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ମଧ୍ୟ କହିଥିଲେ । ଏହି ପରିପ୍ରେକ୍ଷୀରେ ବିକଶିତ ୱେବ୍ ସାଇଟ୍ ‘ୟୁଥ୍ ଫର ୱାଟର’କୁ ପ୍ରମୁଖ ଶାସନ ସଚିବ ଶୁଭାରମ୍ଭ କରିଥିଲେ ।

ୟନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ ବୁଝାମଣା ପତ୍ରରେ ସ୍ୱାକ୍ଷର କହିଲେ ଯେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତନ ଏବଂ ଶିଳ୍ପର ବୃଦ୍ଧି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଅଧିକ ଯୋଜନାବଦ୍ଧ ଓ ତ୍ୱରିତ ବ୍ୟବସ୍ଥାରେ କାର୍ଯ୍ୟକରିବାକୁ ବାଧ୍ୟ କରାଇଛି । ଯଦିଓ ବିଭିନ୍ନ କ୍ଷେତ୍ରରେ ଏଥି ପାଇଁ ଆହ୍ୱାନ ରହିଛି. ତନ୍ମଧ୍ୟରୁ କେତେକ କ୍ଷେତ୍ରରେ ମୁକାବିଲା ପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ଅଧିକ ପ୍ରଭାବୀ ଯୋଗାଯୋଗ ପ୍ରଚାର ବ୍ୟବସ୍ଥା ଏବଂ ଜଳ ନୀତି ବିଶେଷ କରି ପିଲାମାନଙ୍କୁ ଏବଂ ମହିଳାମାନଙ୍କୁ ଜଳର ପୋଷଣୀୟ ବ୍ୟବହାର ଓ ସଂରକ୍ଷଣ ପାଇଁ ୟନିସେଫ୍ ପ୍ରତିବଦ୍ଧ ବୋଲି ୟନିିସେଫ୍ କ୍ଷେତ୍ର ଅଧିକାରୀ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜଳ ସଂପଦ ବିଭାଗ ସେଚାଂଚଳ ଉନ୍ନୟନ ତଥା ଭାଗିଦାରୀ ଜଳସେଚନ ପରିଚାଳନା ନିର୍ଦ୍ଦେଶକ ( ସିଏଡି-ପି.ଆଇ.ଏମ୍‌) ଶ୍ରୀ ରଶ୍ମି ରଂଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।