Home News in Odia ଜଳସେଚନ ପାଇଁ ୧୩୯୦ ଜଳାଶୟ ଚିହ୍ନଟ

ଜଳସେଚନ ପାଇଁ ୧୩୯୦ ଜଳାଶୟ ଚିହ୍ନଟ

ଭୁବନେଶ୍ୱର : ଜଳାଶୟଗୁଡିକ ଜରିଆରେ ଚାଷଜମିକୁ ଜଳସେଚନ କରିବାପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ପ୍ରଧାନ ମନ୍ତ୍ରୀ କୃଷି ସିଚାଇ ଯୋଜନା- ପ୍ରତି ଜମିକୁ ଜଳ ଯୋଜନାରେ ରାଜ୍ୟର ୧୩୯୦ଟି ଜଳାଶୟକୁ ଚିହ୍ନଟ କରାଯାଇଥିବାବେଳେ ଏଥିରୁ ୪୫୮ଟି ଜଳାଶୟର ପୁନରୁଦ୍ଧାର ସରିଲାଣି ।

ଚାଷ ଜମିକୁ ବଡ ବଡ ନଦୀବନ୍ଧ ଜରିଆରେ ଜଳସେଚନ କରିବା ପରିବର୍ତ୍ତେ ଛୋଟ ଛୋଟ ଜଳାଶୟ ମାଧ୍ୟମରେ ଏହା କରିବାପାଇଁ କେନ୍ଦ୍ର ସରକାର ସ୍ଥିର କରିବା ସହିତ ଏ ନେଇ ସର୍ଭେ କରାଇଥିଲେ । ୨୦୧୭-୧୮ ବର୍ଷରେ ହୋଇଥିବା ସର୍ଭେରୁ ଜଣାପଡିଥିଲା ଯେ ସମଗ୍ର ଦେଶରେ ୨୪.୨୪ ଲକ୍ଷ ଜଳାଶୟ ଥିବାବେଳେ ଏଥିରୁ ୯୭ ପ୍ରତିଶତରୁ ଅଧିକ ଗାଁ ଗହଳରେ ରହିଛି । ଏଥିରୁ ୭୨ ପ୍ରତିଶତ ଜଳାଶୟ ୦.୫ ହେକ୍ଟରରୁ କମ୍‍ ଚାଷ ଜମିକୁ ଜଳସେଚିତ କରୁଥିବାବେଳେ ୧୩ ପ୍ରତିଶତ ଜଳାଶୟ ସର୍ବାଧିକ ଏକ ହେକ୍ଟର ପର୍ଯ୍ୟନ୍ତ ଚାଷଜମିକୁ ଜଳସେଚିତ କରୁଛି ।

ଜଳସେଚନ ରାଜ୍ୟ ବିଷୟ ହୋଇଥିବାରୁ ଏହିସବୁ ଜଳାଶୟଗୁଡିକର ରକ୍ଷଣାବେକ୍ଷଣ, ପରିଚାଳନା ଆଦି ପାଇଁ ରାଜ୍ୟଗୁଡିକୁ କୁହାଯାଇଛି । କେନ୍ଦ୍ର ସରକାର ଏଥିପାଇଁ କିଛି ପରିମାଣରେ ଅର୍ଥ ଯୋଗାଇ ଦେଉଛନ୍ତି । ଯେଉଁ ଜଳାଶୟଗୁଡିକ ଦୁଇ ହେକ୍ଟର କିମ୍ବା ଅଧିକ ଜମିକୁ ଜଳସେଚିତ କରିପାରିବ ସେଗୁଡିକ ଏହି ଯୋଜନାରେ ସାମିଲ ହୋଇପାରିବେ । ତେବେ ପାହାଡିଆ ରାଜ୍ୟଗୁଡିକ ପାଇଁ ଏହି ସୀମା ଏକ ଅଧାରୁ ଏକ ହେକ୍ଟର ପର୍ଯ୍ୟନ୍ତ ରହିଛି ।

ଏହି କେନ୍ଦ୍ରୀୟ ଯୋଜନାରେ ଦେଶର ୧୧ଟି ରାଜ୍ୟରେ ୩୦୭୫ଟି ଜଳଶୟକ ଚିହ୍ନଟ ହୋଇଥିବାବେଳେ ଏଥିରୁ ସର୍ବାଧିକ ୧୩୯୦ଟି ଓଡିଶାରେ ରହିଛି । ଏହି ୧୧ଟି ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୧୦ଟି ଜଳଶୟର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଓଡିଶା ୪୫୮ଟି ଏହି ତାଲିକାରେ ରହିଛି ।

ଓଡିଶାର ୨୫ଟି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩୯୦ଟି ଜଳାଶୟ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୨୬ଟି ଥିବାବେଳେ ଢେଙ୍କାନାଳରେ ୧୧୩ଟି ରହିଛି । ଖୋରଧା ଜିଲ୍ଲାରେ ୯୯ଟି ଜଳାଶୟ ଥିବାବେଳେ ବଲାଙ୍ଗିରରେ ୮୧, କଳାହାଣ୍ଡିରେ ୭୮ଟି, ବୌଦ୍ଧରେ ୬୩ଟି, ସମ୍ବଲପୁରରେ ୫୯, ସୁନ୍ଦରଗଡ ଓ ବରଗଡରେ ୫୪ଟି କରି ଜଳାଶୟ ରହିଛି । ସବୁଠାରୁ କମ୍‍ ୫ଟି ଜଳାଶୟ ରହିଛି । (ତଥ୍ୟ)