Home News in Odia ଜଳଭଣ୍ଡାର ପର୍ଯ୍ୟଟନ ପାଇଁ ୫୦ କୋଟିର ଯୋଜନା

ଜଳଭଣ୍ଡାର ପର୍ଯ୍ୟଟନ ପାଇଁ ୫୦ କୋଟିର ଯୋଜନା

ଭୁବନେଶ୍ୱର : ରାଜ୍ୟରେ ଥିବା ଜଳଭଣ୍ଡାରଗୁଡିକର ପାରିପାଶ୍ୱର୍ିକ ଇଲାକାରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ଆଗାମୀ ୩ବର୍ଷରେ ୫୦କୋଟି ଟଙ୍କା ବ୍ୟୟ ହେବ ।

ରାଜ୍ୟ ଜଳସମ୍ପଦ ବିଭାଗ ନିକଟରେ ବହୁ ସଂଖ୍ୟାରେ ବୃହତ୍‍, ମଧ୍ୟମ ଜଳଭଣ୍ଡାରମାନ ରହିଛି । ଏହିସବୁ ଜଳଭଣ୍ଡାର ନିକଟରେ ଥିବା ସୁନ୍ଦର ପ୍ରାକୃତିକ ପରିବେଶ ସାଙ୍ଗକୁ ବଣଭୋଜି ପାଇଁ ସ୍ଥାନ ଥିବାରୁ ପର୍ଯ୍ୟଟକମାନଙ୍କୁ ଏହା ଆକୃଷ୍ଟ କରିଥାଏ । ବୃହତ ଜଳଭଣ୍ଡାରଗୁଡିକର ନିର୍ମାଣଶୈଳୀ ବିଶେଷକରି ଇଞ୍ଜିନିୟରିଂ ଓ ବୈଜ୍ଞାନିକ ଜ୍ଞାନକୌଶଳ ଦେଖିବାପାଇଁ ବହୁ ଲୋକେ ବି ଏଠାକୁ ଆସିଥାନ୍ତି । ତେଣୁ ୨୦୨୧-୨୨ ରୁ ୨୦୨୩-୨୪ ମଧ୍ୟରେ ଏହିସବୁ ହ୍ରଦ ଓ ଜଳଭଣ୍ଡାର ନିକଟରେ ଥିବା ପ୍ରାକୃତିକ ପରିବେଶକୁ କିଭଳି ଅଧିକ ପର୍ଯ୍ୟଟକ ଆସିବେ ସେଥବପାଇଁ ୫୦ କୋଟି ଟଙ୍କା ବ୍ୟୟ କରାଯିବ ।

୨୦୨୧-୨୨ ବର୍ଷରେ ଏଥିପାଇଁ ୫କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ପରବର୍ତ୍ତୀ ଦୁଇଟି ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୨୭ ଓ ୧୮କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ରାଜ୍ୟର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବ୍ୟୟ କରାଯିବ ବୋଲି ସୂଚନା ମିଳିଛି ।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଜଳଭଣ୍ଡାର ଆଖପାଖରେ ବଣଭୋଜି ପାଇଁ ପରିବେଶ ସୃଷ୍ଟି ସହିତ ସେଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା । ଏଥି ସହିତ ଜଳଭଣ୍ଡାର ନିକଟରେ ସଂଗ୍ରହାଳୟ ସ୍ଥାପନ କରାଯିବ ଯେଉଁଠାରେ ଆସୁଥିବା ପର୍ଯ୍ୟଟକମାନେ ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ତଥ୍ୟ ହାସଲ କରିପାରିବେ ।

ଏହିସବୁ ଜଳଭଣ୍ଡାର ନିକଟରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ଲାଗି ମୌଳିକ ସୁବିଧା ସୃଷ୍ଟି କରିବାପରେ ପରବର୍ତ୍ତୀ ବିକାଶ କାର୍ଯ୍ୟ ଲାଗି ତାହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ । ପର୍ଯ୍ୟଟନ ବିଭାଗ ସେଠାରେ ଅଧିକ ସୁବିଧା ସୁଯୋଗ ଉପଲବ୍ଧ ସହିତ ତାହାର ରକ୍ଷଣା ବେକ୍ଷଣ କରିବ । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଜଳଭଣ୍ଡାର ଓ ହ୍ରଦ ପାଶ୍ୱବର୍ତ୍ତୀ ଅଞ୍ଚଳ ବିକାଶ କମିଟି ଗଠନ କରାଯିବ ଯେଉଁଥିବରେ ସମ୍ପୃକ୍ତ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ସଦସ୍ୟ ସଚିବ ରହିବେ । ମୁଖ୍ୟ ଯନ୍ତ୍ରୀ (ବନ୍ଧ ସୁରକ୍ଷା), ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇବେ ।

ଜିଲ୍ଲାର କେଉଁ ହ୍ରଦକୁ ପ୍ରଥମେ ହାତକୁ ନିଆଯିବ ତାହା କମିଟି ସ୍ଥିର କରିବ । ଯେଉଁ ଜଳଭଣ୍ଡାରକୁ ସଂଯୋଗକାରୀ ସଡକ ଓ ଆନୁସଙ୍ଗିକ ସୁବିଧା ରହିଛି ସେଗୁଡିକୁ ପ୍ରଥମେ ହାତକୁ ନିଆଯିବ । ଏହି ଅଞ୍ଚଳର ରକ୍ଷଣା ବେକ୍ଷଣ ଓ ସଫାସୁତୁରା, ପ୍ରବେଶ ଫି, ପାର୍କିଂ ଫି, ବଣଭୋଜି ସ୍ଥାନ ପାଇଁ ଫି ଆଦି କେତେ ହେବ ସେ ସଂକ୍ରାନ୍ତରେ କମିଟିର ସଦସ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବେ । ଏହି ସମସ୍ତ କାର୍ଯ୍ୟର ପରିଚାଳନା ଓ ରକ୍ଷଣା ବେକ୍ଷଣ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପରିବେଶ ବିକାଶ କମିଟି ମିଳିତ ଭାବେ କରିବେ । ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ପରେ ପରବର୍ତ୍ତୀ ବିକାଶ ଓ ରକ୍ଷଣା ବେକ୍ଷଣ ପାଇଁ ତାହାକୁ ପର୍ଯ୍ୟଟନ ବିଭାକୁ ହସ୍ତାନ୍ତର କରାଯିବ । (ତଥ୍ୟ)