Home General ଜଳବନ୍ଦୀ ପାଇଁ ଟାଇଲ ବିଛା ଓ କଂକ୍ରିଟକରଣ ଦାୟୀ

ଜଳବନ୍ଦୀ ପାଇଁ ଟାଇଲ ବିଛା ଓ କଂକ୍ରିଟକରଣ ଦାୟୀ

ଭୁବନେଶ୍ୱର : ରେକର୍ଡ ବର୍ଷାରେ ରାଜଧାନୀ ବେହାଲ ହେବାପରେ ଏବେ ଜଳବନ୍ଦୀକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ଏଥିପାଇଁ ମୁଖ୍ୟତଃ ଜଳପଥ ଅବରୋଧ, ଟାଇଲ ବିଛା ଓ କଂକ୍ରିଟକରଣକୁ ବିଶେଷଜ୍ଞମାନେ ଦାୟୀ କରୁଛନ୍ତି ।

ରାଜଧାନୀରେ କିଛିବର୍ଷ ଧରି ଚାରିଆଡେ ଟାଇଲ ବିଛାକାର୍ଯ୍ୟ ଚାଲିଛି । ଯେଉଁଠାରେ ଟାଇଲ ବିଛାଇବାର ସୁଯୋଗ ମିଳୁନି ସେଠାରେ ସିଧାସଳଖ କଂକ୍ରିଟ କରିଦିଆଯାଉଛି । ପିଚୁ ରାସ୍ତାକଡରେ ବି ହାତେ ଦୁଇ ହାତ ମାଟି ଛଡାଯାଉନି । ସେହିଭଳି ବିଭିନ୍ନ ଗଳି ରାସ୍ତା କଡରେ ଥିବା ମାଟିକୁ ଉଠାଇ ସେଠାରେ କଂକ୍ରିଟ ଢାଳି ଦିଆଯାଉଛି । ଏଥିଯୋଗୁ ବର୍ଷାଜଳ ମାଟିତଳକୁ ଯିବା ବଦଳରେ ରାସ୍ତା ଉପରେ ଛୁଟୁଛି ।

ଗଳିକନ୍ଦିର ଜଳ ମିଶିଯିବା ଫଳରେ ସହର ଭିତରେ ପ୍ରଖର ସୁଅ ପଡୁଛି ଯାହାକୁ ଡ୍ରେନଗୁଡିକର ଜଳଧାରଣ କ୍ଷମତା ସମ୍ଭାଳି ପାରୁନି । ସେହିଭଳି ରାଜଧାନୀରେ ନୂଆକରି ତିଆରି ହେଉଥିବା ‘ବକ୍ସ ଡ୍ରେନ’ ସମ୍ପୂର୍ଣ୍ଣ କଂକ୍ରିଟରେ ହେଉଥିବାରୁ ଏହାଭିତରେ ଚାଲୁଥିବା ପାଣି ବି ମାଟି ତଳକୁ ଭେଦି ପାରୁ ନାହିଁ । ଫଳରେ ପ୍ରବଳ ବର୍ଷା ସମୟରେ ସହରର ଅଧିକାଂଶ ଡ୍ରେନରୁ ଜଳ ଉଛୁଳି ରାସ୍ତା ଉପରେ ଛୁଟିବାରେ ଲାଗୁଛି ।

ରାଜଧାନୀର ବିଭିନ୍ନ ସ୍ଥାନରୁ ଜଳ ପ୍ରବାହ ଏତେ ତୀବ୍ର ହେଉଛି ଯେ ସହରରରେ ଜଳ ନିଷ୍କାସନ ପାଇଁ ଥିବା ୧୧ଟି ବଡ ବଡ ନାଳ ତାହାକୁ ସମ୍ଭାଳି ପାରୁନାହିଁ । ଏହି ନାଳଗୁଡିକ ଜଳସମ୍ପଦ ବିଭାଗ ଅଧିନରେ ରହିଛି । ତେବେ ଅଧିକାଂଶ ସ୍ଥାନରେ ନାଳ ସଫେଇ ଓ ମରାମତି ନହେବା ସାଙ୍ଗକୁ ଜବରଦଖଲରେ ସଙ୍କୁଚିତ ହେବାରେ ଲାଗିଛି । କେତେକ ସ୍ଥାନରେ ତ ଲୋକେ ନାଳ ଉପରେ ଘର ତିଆରି କରିବା ସହିତ ଶୌଚାଳୟ ନିର୍ମାଣ ବି କରୁଛନ୍ତି ।

ଜଳ ନିଷ୍କାସନର ପ୍ରମୁଖ ପଥ ଜଳାଶୟ ହୋଇଥିବାବେଳେ ରାଜଧାନୀରେ ଥିବା ନିକୋପାର୍କ, ବାଣୀବିହାର ଭଳି ଜଳାଶୟ ଏବେ ପୋତିହୋଇପଡିବା ସହିତ ଜବରଦଖଲକାରୀଙ୍କ ଅକ୍ତିଆରକୁ ଚାଲିଗଲାଣି । ନିକୋପାର୍କର ନଅ ନମ୍ବରରୁ ସତ୍ୟନଗର ପର୍ଯ୍ୟନ୍ତ ଏକ ପ୍ରକାର ଜବରଦଖଲ ଯୋଗୁଁ ଅଣଓସାରିଆ ହୋଇ ସହରର ଜଳ ନିଷ୍କାସନରେ ବହ ପ୍ରତିବନ୍ଧକ ସାଜିଛି ।

ସେହିଭଳି ବିଭିନ୍ନ ସରକାରୀ କ୍ୱାଟର୍ସ ପଛରେ ଥିବା କନଜରଭେନ୍ସିରେ ବର୍ଷାଜଳ ଭୂପୃଷ୍ଠକୁ ଚାଲିଯାଉଥିବାବେଳେ ତାହା ବି ଅନେକ ସ୍ଥାନରେ ଏବେ ଜବରଦଖଲ । ଆଉ କେତେକ ସ୍ଥାନରେ କନଜରଭେନ୍ସିରେ ଟାଇଲ ବିଛା ନଚେତ କଂକ୍ରିଟ ଢଳା ହେଉଛି । ତେଣୁ ସେଠାରୁ ବର୍ଷାଜଳ ସିଧାସଳଖ ରାସ୍ତାଉପରକୁ ଆସିଯାଉଛି ।

ରାଜଧାନୀର ବର୍ଷାଜଳ ପୂର୍ବଭଳି ମାଟି ତଳକୁ ଯାଉନଥିବାରୁ ସହରର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । ଆଉ କିଛିବର୍ଷ ମଧ୍ୟରେ ଅଧିକାଂଶ ଲୋକେ ବସାଇଥିବା ଗଭୀର ନଳକୂପ ଅଚଳ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ତେବେ ଯେଉଁଠାରେ ବି ଜଳ ନିଷ୍କାସନ ପାଇଁ କର୍ତ୍ତୃପକ୍ଷ ଡ୍ରେନ ନିର୍ମାଣ କରିଛନ୍ତି ସେଠାରେ ସ୍ଥାନୀୟ ଲୋକେ ପିଲିଥିନ୍‍ ଓ ଅନ୍ୟାନ୍ୟ ଆବର୍ଜନା ପକାଇ ତାହାକୁ ଜାମ୍‍ କରୁଛନ୍ତି । ସରକାରଙ୍କ ପଲିଥିନ ନିଷେଧ କଟକଣା ରାଜଧାନୀରେ ଫେଲ୍‍ ମାରିଥିବାରୁ ଜଳବନ୍ଦୀର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । ତେଣୁ ସହରରେ ଆଖିବୁଜା ଭାବେ ବିଛା ଯାଉଥିବା ଟାଇଲ୍‍ ଓ ମାଟିତାଡି କଂକ୍ରିଟ ଢାଳିବା ପ୍ରକ୍ରିୟା ଉପରେ ରୋକ ଲାଗିବା ସହିତ ପଲିଥିନ କଟକଣା କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ସାମାନ୍ୟ ବର୍ଷାରେ ବି ରାଜଧାନୀ ଉବୁଟୁବ ହେବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)