Home News in Odia ଜମୁଛି ଉପନିର୍ବାଚନ ପ୍ରଚାର

ଜମୁଛି ଉପନିର୍ବାଚନ ପ୍ରଚାର

କରୋନା କଟକଣା ସତ୍ୱେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନର ପ୍ରଚାର ଅଭିଯାନ ଏବେ ଚରମସୀମାରେ ପହଞ୍ଚିଛି । ନଭେମ୍ବର ୩ ତାରିଖରେ ଏହି ଦୁଇ ଆସନପାଇଁ ମତଦାନ ହେବାକୁ ଥିବାବେଳେ ୧ତାରିଖରୁ ପ୍ରଚାର ବନ୍ଦହେବ । ତେଣୁ ହାତରେ ମାତ୍ର ଆଉ ୩ଦିନ ସୁଯୋଗ ଥିବାରୁ ବିଜେଡି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀମାନଙ୍କ ସମେତ ଅନ୍ୟ ସ୍ୱାଧୀନ ପ୍ରାର୍ଥୀମାନେ ପୂରା ଦମ୍‍ରେ ଲାଗି ପଡିଛନ୍ତି ।

ନିର୍ବାଚନ କମିଶନ ଜାରି କରିଥିବା କଟକଣାରେ କୁହାଯାଇଥିଲା ଯେ ପ୍ରାର୍ଥୀମାନେ ଅତି ବେଶିରେ ୫ଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ଘରକୁ ଘର ପ୍ରଚାର ଅଭିଯାନ କରିବେ । ସେହିପରି ନିର୍ବାଚନୀ ସଭାଗୁଡିକ ପାଇଁ ମଧ୍ୟ ସୀମିତ ସଂଖ୍ୟକ ଜନସମାଗମର କଟକଣା ଥିଲା । ଏହାଛଡା କରୋନା ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ସାମାଜିକ ଦୂରତା ଠାରୁ ଆରମ୍ଭକରି ମାସ୍କ ପିନ୍ଧା ଓ ଅନ୍ୟାନ୍ୟ ମାର୍ଗଦର୍ଶିକା ମାନିବାକୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ବାଧ୍ୟବୋଲି କୁହାଯାଇଥିଲା । କିନ୍ତୁ ଏବେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ଏସବୁ କଟକଣା ଥିବାପରି ମନେ ହେଉନାହିଁ ।

କେଉଁଠି ହଜାର ହଜାର ଲୋକଙ୍କୁ ଧରି ବିଭିନ୍ନ ଦଳର ଶୋଭାଯାତ୍ରା ବାହାରୁଛି ତ ଆଉ କେଉଁଠି କଟକଣାକୁ ବେଖାତିର କରି ଅଧିକ ସଂଖ୍ୟକ ଗାଡିମୋଟର ବୁଲୁଛି । ପ୍ରଚାରରେ ଏବେ ଏହି ଦୁଇ ନିର୍ବାଚନମଣ୍ଡଳୀ ଏକ ପ୍ରକାର ଦୁଲୁକୁଛି । କେରଳରେ ଓନାମ ପାଇଁ ହୋଇଥିବା ଜନସମାବେଶ ଏବଂ ଆଉ କେତେକ ରାଜ୍ୟରେ ଦୁର୍ଗାପୂଜାରେ ଜନଗହଳି ଯୋଗୁଁ କରୋନା ପୁଣି ଲେଉଟିଥିବା ପରିପ୍ରେକ୍ଷୀରେ ତିର୍ତ୍ତୋଲ ଓ ବାଲେଶ୍ୱରରେ ଯେଭଳି ପରିସ୍ଥିତି ସୃଷ୍ଟିହୋଇଛି ତାହା ଆଗାମୀ ଦିନରେ କରୋନା ପରିପ୍ରେକ୍ଷୀରେ କି ରୂପ ନେବ ତାହା ଏବେଠାରୁ କହିବା ମୁସ୍କିଲ ।

ଏହି ତିନି ପ୍ରମୁଖ ରାଜନୈତିକଦଳର ବହୁ ନେତା ଏବେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ଡେରା ପକାଇଛନ୍ତି । ଏମିତିକି ନଭେମ୍ବର ପହିଲାରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ନଥିବା ନେତାମାନେ ଏଠାରେ ରହିପାରିବେ ନାହିଁ ବୋଲି ବ୍ୟବସ୍ଥା ଥିବାରୁ ତିର୍ତ୍ତୋଲ ଓ ବାଲେଶ୍ୱର ସୀମା ବାହାରେ କେତେକ ନେତା ହୋଟେଲ ଆଦି ଭଡାନେଇ ସାରିଲେଣି । ଗାଁକୁ ଗାଁ ଘରକୁ ଘର ବୁଲି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଏମାନେ ଭୋଟ ହାତେଇବା କାମରେ ବ୍ୟସ୍ତ । ବିଶେଷକରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ରଘୁନନ୍ଦନ ଦାସ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ପାଇଁ ଏହି ଉପନିର୍ବାଚନ ଏସିଡ୍‍ ଟେଷ୍ଟ ଭଳି ହୋଇଛି ।

ଏହାଛଡା ବିଭିନ୍ନ ଅଞ୍ଚଳ ଦାୟିତ୍ୱରେ ଯେଉଁ ନେତାମାନଙ୍କୁ ରଖାଯାଇଛି ସେମାନେ ସେଠାରେ କେତେ ଭୋଟ ନିଜ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ରୁଣ୍ଡାଇବେ ତାହା ସେମାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ମାପକାଠି ହେବବୋଲି କୁହାଯାଉଥିବାରୁ ସମ୍ପୃକ୍ତ ନେତାମାନ କଳ ବଳ କୌଶଳ ଖଟାଇ ପ୍ରତିପକ୍ଷର ଭୋଟ କମାଇବା ଓ ନିଜ ପ୍ରାର୍ଥୀଙ୍କ ଭୋଟ ବଢାଇବା କାମରେ ବ୍ୟସ୍ତ ଅଛନ୍ତି ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ରାଲି ମାଧ୍ୟମରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି ମାଧ୍ୟମରେ ତିର୍ତ୍ତୋଲ ଓ ବାଲେଶ୍ୱରରେ ନିଜ ଦଳର ଭୋଟ ବଢାଇବା ସହ ପ୍ରାର୍ଥୀ ଓ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଦଳ ବଳେ ଦୁଇ ଅଞ୍ଚଳକୁ ଘନ ଘନ ଗସ୍ତକରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି । ଏହି ଉପନିର୍ବାଚନରେ ବିଜେପି କିମ୍ବା କଂଗ୍ରେସର ସେମିତି କୌଣସି ହେଭିୱେଟ ଜାତୀୟ ସ୍ତରର ନେତା ପ୍ରଚାର ପାଇଁ ଆସି ନାହାନ୍ତି । 

LEAVE A REPLY

Please enter your comment!
Please enter your name here