Home General ଜବାବ ରଖିଲେ ବ୍ୟୋମକେଶ

ଜବାବ ରଖିଲେ ବ୍ୟୋମକେଶ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସବୁ ପୁଲିସ ଭଲ ହୋଇଥିବା ବେଳେ ଜଣେ ଏଏସଆଇ ଲୋକଙ୍କୁ ହଇରାଣ କରୁଛନ୍ତି । ବିଧାୟକ ଭାବେ ମୁଁ ତାଙ୍କୁ ଲୋକଙ୍କୁ ହଇରାଣ ନ କରିବା ଲାଗି କହିଛି । ହେଲେ ମୋ କଥାକୁ ବିଭ୍ରାନ୍ତ କରାଯାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ବିଜେପି ପକ୍ଷରୁ ଶୂନ୍ୟକାଳରେ ଏଏସଆଇଙ୍କୁ ବିଧାୟକଙ୍କ ଧମକ ପ୍ରସଙ୍ଗ ଉଠିଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ଜଣେ ପୁଲିସ ଏଏସଆଇଙ୍କୁ ଶାସକ ଦଳର ବିଧାୟକ ଧମକ ଦେଉଛନ୍ତି । କଥା ନ ମାନିଲେ ମୋଟ୍ଟୁ ପଠାଇ ଦେବାକୁ କହୁଛନ୍ତି । ଜଣେ ଆଦିବାସୀ ଲୋକଙ୍କୁ ବିଧାୟକ ଡରାଇବା ଫଳରେ ସେ ଚାପରେ ରହୁଛନ୍ତି । ବିଧାୟକମାନେ ଯେଭଳି ସରକାରୀ କର୍ମଚାରୀଙ୍କୁ ନ ଧମକାଇବେ ସେଥିପାଇଁ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଠାରୁ ରୁଲିଂ ଚାହିଁଥିଲେ ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ବିଧାନସଭା ଭିତରେ ଗୃହରାଷ୍ଟ୍ର ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏହି ସମୟରେ ବାଚସ୍ପତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କିଛି ମତ ରଖିବେ କି ବୋଲି ପଚାରିଥିଲେ । ତେବେ ବିଧାୟକ ଶ୍ରୀ ରାୟ ଛିଡ଼ା ହୋଇ ନିଜର ମତ ରଖିବାକୁ ଚାହିଁବାରୁ ବାଚସ୍ପତି ତାଙ୍କୁ ଅନୁମତି ଦେଇଥିଲେ ।

ଶ୍ରୀ ରାୟ କହିଥିଲେ ଯେ ମୋର କଥାକୁ କାଣ୍ଟଛାଣ୍ଟ କରି ଗୋଟିଏ ଚ୍ୟାନେଲରେ ପ୍ରସାରଣ କରାଯାଉଛି । ମୁଁ କେଉଁଠାରେ ବିଜେଡ଼ି ଦଳର ନାଁ ନେଇ ବଦଳି କରିବାକୁ କହିନାହିଁ । ଡିଜିଙ୍କୁ କହି ବଦଳି କରିଦେବି ବୋଲି କହିଛି । ଏଥିରେ ମୁଁ କୌଣସି ଭୁଲ୍‍ କରିନାହିଁ । ଲୋକ ପ୍ରତିନିଧି ହିସାବରେ ସାଧାରଣ ଲୋକଙ୍କ ପାଇଁ କହିଛି ।

କାହାକୁ କିଭଳି ବ୍ୟବହାର କରିବାକୁ ହୁଏ ମୋତେ ଶିଖାଇବା ଆବଶ୍ୟକ ନାହିଁ । ମୁଁ ପିଏଚ୍‍ଡି କରିଛି । ମୋତେ ଚାନ୍ଦବାଲି ଲୋକେ ଭୋଟ୍‍ ଦେଇଛନ୍ତି, ତାଙ୍କ ପାଇଁ ମୁଁ କହିବି । ଶ୍ରୀ ରାୟ ରୋକ୍‍ଠୋକ୍‍ ଭାବେ ଏଭଳି ଜବାବ ରଖିଥିବା ବେଳେ ବିଧାୟକଙ୍କ ଧମକ ପ୍ରସଙ୍ଗ ନେଇ ବିଜେପି ସଦସ୍ୟମାନେ କିଛି ସମୟ ଗୃହରେ ପାଟିତୁଣ୍ଡ କରୁଥିବା ଲକ୍ଷ୍ୟ କରାଯାଉଥିଲା ।