Home Energy ଜବରଦସ୍ତ ଚାଇନା ମିଟର ଲଗାଉଛି ଟାଟା ପାୱାର

ଜବରଦସ୍ତ ଚାଇନା ମିଟର ଲଗାଉଛି ଟାଟା ପାୱାର

ଭୁବନେଶ୍ୱର : ଟାଟା ପାୱାର ଜବରଦସ୍ତି ଚାଇନା ମିଟର ବସାଉଛି । ଜୋର ଜବରଦସ୍ତି ଚାଇନା ମିଟର ଲଗାଇ ଘରେ ଚାଲୁ ଅବସ୍ଥାରେ ଥିବା ମିଟରକୁ ବଦଳାଇ ଦେଉଛନ୍ତି । କେବଳ ମିଟର ବଦଳ ନୁହେଁ, ବାକିଆ ବିଲ୍ ଆଦାୟ ନାଁରେ ଟାଟା ପାୱାର ତା’ର ମନମାନି ଅବ୍ୟାହତ ରଖିଛି ।

ବିନା ନୋଟିସ୍‌ରେ ମାର୍ଚ୍ଚ ମାସ ଆଳ ଦେଖାଇ ସ୍କୁଲ୍‌, କଲେଜ, ସରକାରୀ ଦପ୍ତର ଓ ଘରୋଇ ଉପଭୋକ୍ତାମାନଙ୍କର ଲାଇନ୍ କାଟିଦେଉଛି । ପ୍ରତିବାଦ କଲେ, ଶୁଣିବାକୁ କେହି ନାହିଁ । ଏଭଳିକି, ଗଣପର୍ବ ଦୋଳପୂର୍ଣ୍ଣିମା ଓ ହୋଲିରେ ମଧ୍ୟ ଟାଟା ପାୱାର କର୍ମଚାରୀମାନେ ଲାଇନ୍ କାଟିଦେଉଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ।

ଶ୍ରୀ ବେହେରା କହିଛନ୍ତି ଯେ ସରକାର ଯଦି ଏଥିରେ ହସ୍ତକ୍ଷେପ ନ କରନ୍ତି, ତାହେଲେ ଆଗାମୀ ଦିନରେ ଏହି ଚାପା ଜନଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ଏବଂ ଓଡ଼ିଶାର ସାଧାରଣ ବିଜୁଳି ଉପଭୋକ୍ତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଉଭୟ ଟାଟା ପାୱାର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ଟାଟା ପାୱାର ବାକି ଆଦାୟ କରିବା ପାଇଁ ନାଲି ଆଖି ଦେଖାଉଥିଲା ବେଳେ ଓସ୍କୋ, ନେସ୍କୋ, ସାଉଥକୋ ଓ ସେସୁ ପକ୍ଷରୁ ସେତେବେଳେ ଯେଉଁ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ କିନ୍ତୁ ଏହି କମ୍ପାନୀ ପ୍ରସ୍ତୁତ ନୁହେଁ ।

ଗୋଟିଏପଟେ ଲହୁଣୀ ଖାଇବ କିନ୍ତୁ ଅନ୍ୟପଟେ ଦାୟିତ୍ୱ ନିର୍ବାହ କରିବ ନାହିଁ, ଟାଟା ପାୱାର ଏହି ମନମାନିକୁ ସାଧାରଣ ଖାଉଟି ଓ ଛଟେଇ ହୋଇଥିବା କର୍ମଚାରୀମାନେ ଆଗାମୀ ଦିନରେ ଜବାବ ଦେବାକୁ ଆଗେଇ ଆସିବାକୁ ଶ୍ରୀ ବେହେରା ଆହ୍ୱାନ କରିଛନ୍ତି । ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଓ.ଇ.ଆର.ସି. କର୍ତ୍ତୃପକ୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ତାଙ୍କର ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି ।

ପ୍ରାୟ ସବୁ ବିଜୁଳି କମ୍ପାନୀ ନିଜର କ୍ଷତି ଓ ଅପାରଗତାକୁ ଘୋଡାଇବା ପାଇଁ ଏବଂ ବାର୍ଷିକ ରାଜସ୍ୱ ଆବଶ୍ୟକତାକୁ ଭରଣା କରିବା ପାଇଁ ୯୨ଲକ୍ଷ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ଭଳି ଜନବିରୋଧି ପଦକ୍ଷେପ ନେବାର ସମ୍ଭାବନା ରହିଛି । ଯଦି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଏ, ତା’ହେଲେ ଆଗ୍ନେୟଉଦ୍‌ଗିରଣ ହେଲା ଭଳି ଜନସାଧାରଣଙ୍କ ଚାପା ଅସନ୍ତୋଷ ଏକ ବୃହତ୍ତର ଜନଆନ୍ଦୋଳନକୁ ଜନ୍ମ ଦେବାର ଆହ୍ୱାନକୁ ଏଡାଯାଇ ନପାରେ ।

ଏଠାରେ ଉଲ୍ଲେଖଥାଉକି, ବିଗତ ବର୍ଷ କରୋନା ସଂକଟରେ ସାଧାରଣ ଜନତା ଯେତେବେଳେ ନିଜର ଜୀବନ ଜୀବିକାହ ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଓଡ଼ିଶା ସରକାର ଦୁଇ ଦୁଇଥର ବିଜୁଳି ଶୁଳ୍କ ବୃଦ୍ଧି କରି ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତାବିଡା ଭଳି ଶୁଳ୍କ ବୃଦ୍ଧିର ବୋଝକୁ ଲଦି ଦେଇଥିଲେ । ଫଳରେ ଟ.୨.୫୦ପଇସାରେ ବିଜୁଳି ୟୁନିଟ୍ ପିଛା ଉପଭୋକ୍ତାମାନେ ପାଉଥିଲା ବେଳେ ଗତ ଆର୍ଥିକ ବର୍ଷଠାରୁ ତାହା ୫୦ ପଇସା ବୃଦ୍ଧି ପାଇ ୩ ଟଙ୍କାରେ ପହଞ୍ôଚଛି । କିନ୍ତୁ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା, ଝାରଖଣ୍ଡ ଭଳି ରାଜ୍ୟରେ ବିଜୁଳି ଶକ୍ତି ୟୁନିଟ୍ ପିଛା କମ୍ ରହିଛି ।

ଓଡ଼ିଶା ଭଳି ଏକ ବିଦ୍ୟୁତ୍ ଉତ୍ପାଦକ ରାଜ୍ୟରେ ବିଜୁଳି ୟୁନିଟ୍ ପିଛା ଅଧିକ ରହିବା ଯୋଗୁଁ ଉଭୟ ଘରୋଇ ଉପଭୋକ୍ତା ଓ ଉଭୟ କ୍ଷୁଦ୍ର ମଧ୍ୟମ ଶିଳ୍ପ ଏ ରାଜ୍ୟରେ କ୍ଷତିଗ୍ରସ୍ତ ହେଉଛନ୍ତି । ଉଚ୍ଚା ବିଜୁଳି ଶକ୍ତି ଯୋଗୁଁ ସେମାନଙ୍କର ଉତ୍ପାଦକର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ସେମାନେ ବଜାରରେ ପ୍ରତିଯୋଗିତା କରିପାରୁନାହାଁନ୍ତି । ତେଣୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିଜୁଳି ସଂସ୍କାର ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ହେବାର ଆବଶ୍ୟକତା ରହିଛି ।

ମାନ୍ୟବର ବିଧାୟକମାନେ ବିଜୁଳି କମ୍ପାନୀମାନଙ୍କର ଏହି ଚରମ ଅବ୍ୟବସ୍ଥା, ଶୋଷଣ, ଅତ୍ୟାଚାର ଓ ଘନଘନ ବିଜୁଳି କାଟ ପ୍ରସଙ୍ଗକୁ ଆଗାମୀ ବିଧାନସଭା ଆଲୋଚନାରେ ସ୍ଥାନ ଦେବେ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । ଟାଟା କମ୍ପାନୀର ଏହି ମନମାନି ବିରୁଦ୍ଧରେ ରାଜ୍ୟ ସରକାର ଏବଂ ଓ.ଇ.ଆର.ସି. କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ନୋଡାଲ୍ ଅଫିସର ନିଯୁକ୍ତି କରିବା ଏବଂ ଏକ ଦେୟମୁକ୍ତ ଟୋଲ୍ ଫ୍ରି ନମ୍ବର ଜାରି କରି ଉପଭୋକ୍ତଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।