Home General ଜନସେବା କେନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ

ଜନସେବା କେନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ

ଭୁବନେଶ୍ୱର : ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ଯୋଗାଇ ଦେବାପାଇଁ ୨୦୧୦ ମସିହାରେ ପ୍ରତିଷ୍ଠା ହୋଇଥିବା ଅଧିକାଂଶ ‘ଜନସେବା କେନ୍ଦ୍ର’ ର ଆଉ ଚିହ୍ନବର୍ଣ୍ଣ ନାହିଁ । ରାଜ୍ୟ ସରକାର ସେତେବେଳେ ଏହାର ସ୍ଥାପନା ପାଇଁ ବିପୁଳ ପରିମାଣର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ ।

ରାଜ୍ୟରେ ଜନସେବା କେନ୍ଦ୍ର ପ୍ରତିଷ୍ଠା ପାଇଁ ତିନି ଗୋଟି ସଂସ୍ଥା ଶ୍ରେୟୀ-ସହଜ ଇ-ଭିଲେଜ ଲିମିଟେଡ, ଜୁମ୍‍ ଡେଭଲପର୍ସ ଓ ଭାରତୀୟ ସମୃଦ୍ଧି ଫାଇନାନ୍ସକୁ ବଛାଯିବା ସହିତ ସେମାନଙ୍କ ଜରିଆରେ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହି କମ୍ପାନୀଗୁଡିକ ଏଥିପାଇଁ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍‍ଇ) ନିଯୁକ୍ତ କରିଥିଲେ । ମୋଟ୍‍ ୬୪୫୮ଟି ଜନସେବା କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସେତେବେଳେ ଏହି ତିନିଟି କମ୍ପାନୀକୁ ୨୨କୋଟି ୧୧ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଥିଲେ ।

ଏହି ଅର୍ଥ ମଧ୍ୟରୁ ଶ୍ରେୟୀ-ସହଜ ସର୍ବାଧିକ ୧୩କୋଟି ୨୧ଲକ୍ଷ ୨୫ହଜାର ଟଙ୍କା ନେଇଥିବାବେଳେ ଭାରତୀୟ ସମୃଦ୍ଧି ଫାଇନାନ୍ସ ୭କୋଟି ୮୨ଲକ୍ଷ ୪୭ହଜାର ଏବଂ ଜୁମ୍‍ ଡେଭଲପର୍ସ ଏକ କୋଟି ୮ଲକ୍ଷ ଟଙ୍କା ନେଇଥିଲା । ଏହି ତିନି କମ୍ପାନୀ ରାଜ୍ୟର ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରହିବା ସହିତ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ଖୋଲିଥିଲେ । ଯେଉଁ ଯୁବକ ଯୁବତୀମାନେ ଆଗ୍ରହ ପ୍ରକାଶ କରୁଥିଲେ ସେମାନଙ୍କୁ କମ୍ପାନୀ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିଲା । ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ହୋର୍ଡିଂ ଲଗାଇବା ପରେ ସରକାରଙ୍କୁ ତାଲିକା ଧରାଇ କମ୍ପାନୀମାନେ ଅର୍ଥ ନେଇଥିଲେ ।

ହେଲେ ଏହାପରେ ଜନସେବା କେନ୍ଦ୍ର କିଭଳି କାର୍ଯ୍ୟ କରୁଛି ଓ ଲୋକଙ୍କୁ କେଉଁ ପ୍ରକାର ସେବା ପ୍ରଦାନ କରୁଛି ତାହାର ଖୋଜ ଖବର ଆଉ କେହି ରଖିଲେ ନାହିଁ । ଅଧିକାଂଶ ଜନସେବା କେନ୍ଦ୍ର ଆରମ୍ଭରୁ ହିଁ ଇଣ୍ଟରନେଟ୍‍ ଓ ବିଜୁଳି ନଥିବାରୁ ଚାଲିପାରିଲା ନାହିଁ ।

ପରବର୍ତ୍ତୀ ସମୟରେ ଯେଉଁଗୁଡିକ ଚାଲିଲା ତାହା ବି ବେଶିଦିନ ତିଷ୍ଠିଲା ନାହିଁ । କୋଟି କୋଟି ଟଙ୍କା କମ୍ପାନୀକୁ ଦେଇ ମଧ୍ୟ କାର୍ଯ୍ୟର ଠିକଣା ସମୀକ୍ଷା ହେଲାନାହିଁ । ଫଳରେ ଜନସେବା କେନ୍ଦ୍ର ପ୍ରତିଷ୍ଠାରୁ ଏହି ତିନି କମ୍ପାନୀ ଯେଭଳି ଉପକୃତ ହେଲେ ତାହାର କାଣିଚାଏ ବି ସାଧାରଣ ଲୋକ ପାଇଲେ ନାହିଁ ।

ଜନସେବା କେନ୍ଦ୍ର ଗୁଡିକ ବନ୍ଦହୋଇ ଯିବାର ଦୀର୍ଘଦିନ ପରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଆସିଲା ଏବଂ ଏବେ ଗାଁ ଗହଳରେ ଡିଜିଟାଲ ଇଣ୍ଡିଆର ସେବାକେନ୍ଦ୍ରମାନ ଖୋଲିଛି । ଏହା ଜରିଆରେ ବୀମା ଠାରୁ ଆରମ୍ଭ କରି ଗ୍ୟାସ ସଂଯୋଗ ପର୍ଯ୍ୟନ୍ତ ବିଭିନ୍ନ ସେବା କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ଆଗାମୀ ଦିନ ସେବା ବଢିବାର ବି ସୂଚନା ମିଳୁଛି ।

ଇତି ମଧ୍ୟରେ ରାଜ୍ୟ ସରକାର ମୋ ସେବା କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଉପଲବ୍ଧ ହେବ । ତେବେ ପୂର୍ବଭଳି ସରକାର ମୋ ସେବା କେନ୍ଦ୍ର ପାଇଁ ଆଉ ଆର୍ଥିକ ସହାୟତା ପ୍ରଦାନ କରିବେ ନାହିଁ ବୋଲି ସୂଚନା ମିଳୁଛି ।

LEAVE A REPLY

Please enter your comment!
Please enter your name here