Home Education ଜନଜାତି ଛାତ୍ରାବାସରେ ଶୀତବସ୍ତ୍ର ବିତରଣ

ଜନଜାତି ଛାତ୍ରାବାସରେ ଶୀତବସ୍ତ୍ର ବିତରଣ

ଭୁବନେଶ୍ବର : ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅନ୍ତେବାସୀଙ୍କୁ ଶୀତ ସମୟରେ ଅଧିକ ଆରାମଦାୟକ ରହଣି ପାଇଁ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ବଣ୍ଟନ କରିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ବିଭାଗ ।

ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅଧିକାର ଏବଂ ସୁବିଧା ନିର୍ଦ୍ଦେଶାବଳୀ ଅଧୀନରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହା ଦ୍ବାରା ବିଭାଗ ଅଧିନରେ ଥିବା ଛାତ୍ରାବାସର ୩ ଲକ୍ଷ ୨୮ ହଜାର ୧୭୧ ଅନ୍ତେବାସୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧ ଲକ୍ଷ ୭୬ ହଜାର ୭୪୮ ଛାତ୍ରଛାତ୍ରୀ ଉପକୃତ ହେବେ ।

ପୂର୍ବ ବର୍ଷ ଅନ୍ତେବାସୀଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ସୁବିଧା ତଥା ଅଧିକାର ବ୍ୟତୀତ ଅନୁସୁଚିତ ଜନଜାତି ଓ ଜାତି ଅନ୍ତେବାସୀଙ୍କୁ ଚଳିତ ବର୍ଷ ଶୀତବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ବଣ୍ଟନ କରାଯାଇଛି ବୋଲି କହିଛନ୍ତି ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ରୁପା ରୋଶନ ସାହୁ ।

କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ, ମୋ ଭଳି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ । ଏହା ଆମ୍ଭମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି କହିଛନ୍ତି ରାଇକିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମନୋହରିକା ପ୍ରଧାନ ।
ବୋଇଡାସ୍ଥିତ ଡିଏମ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପପୁ କହଁର କହିଛନ୍ତି ଯେ, ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟ ସରକାର ଦେଇଥିବା ଏହି ଉପହାରରେ ସେ ବେଶ ଖୁସି । ଶୀତ ସମୟରେ ଛାତ୍ରାବାସରେ ଥିବା ହଜାର ହଜାର ଅନ୍ତେବାସୀଙ୍କ ରହିବା ବେଶ୍ ସୁବିଧାଜନକ ଏବଂ ସ୍ୱାସ୍ଥ୍ୟ ପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।