Home General ଜନଜାତି ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ

ଜନଜାତି ଚିତ୍ରଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଜନଜାତି ଶିଳ୍ପୀ ଓ କାରିଗରଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି । ଜନଜାତିମାନେ ପାରମ୍ପରିକ କଳାନୈପୁଣ୍ୟ ମାଧ୍ୟମରେ ପରମ୍ପରା ଓ ସଂସ୍କୃତିକୁ ସାଇତି ରଖିଥାନ୍ତି । ପରମ୍ପରାକୁ ସମ୍ମାନ ଦେବାର ଅନୁରାଗ ସେମାନଙ୍କ ମଧ୍ୟରେ ରହିଛି ।

ଜନଜାତି ଚିତ୍ରଶିଳ୍ପୀ ଓ କାରିଗରଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଜନଜାତି ଚିତ୍ରକଳା ଓ କଳାବସ୍ତୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମ୍ବର୍ଦ୍ଧନା ସମାରୋହ ଆଜି ପୂର୍ବାହ୍ନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲ୍‌କ୍ରିଷ୍ଣନ୍‌ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଓଡ଼ିଶାର ଆଦିବାସୀ ସଂସ୍କୃତି ବିଶ୍ୱର ଅନନ୍ୟ ଓ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଜଗନ୍ନାଥ ସଂସ୍କୃତି ମହାନ । ଓଡ଼ିଶା ବିକାଶର ଏକ ମଡ଼େଲ ବୋଲି ସେ ପ୍ରକାଶ କରିଥିଲେ । ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏବଂ ଆଦିବାସୀମାନଙ୍କ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟକରି ଅନେକ ଗୁଢ଼ତଥ୍ୟ ବିଷୟରେ ଜ୍ଞାନଲାଭ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଲେ ଯେ, ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଏକ ବଡ଼ ପ୍ଲାଟ୍‌ଫର୍ମ ସୃଷ୍ଟି କରିପାରିବ । ଏହାକୁ ଅଧିକ ସଶକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିବ । ଏହା ସେମାନଙ୍କର ସ୍ୱୀୟ କଳାନୈପୁଣ୍ୟତାକୁ ସଂରକ୍ଷଣ ଦେବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରି ଓତା କହିଥିଲେ ଯେ ଚଳିତ ବର୍ଷଠାରୁ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତୃଣମୂଳ ସ୍ତରରୁ ଏହି ପ୍ରତିଭା ଚୟନ କରାଯାଇଛି ।

ଆଜି ସମ୍ବର୍ଦ୍ଧନା ସମାରୋହ ପୂର୍ବରୁ ମୁଖ୍ୟ ଅତିଥି ପିଭିଟିଜି ଗ୍ୟାଲେରିର ଭିତରେ ଥିବା ପ୍ରୋଜେକ୍‌ସନ୍‌ ମ୍ୟାପିଂ କକ୍ଷର ଶୁଭ ଉଦ୍‌ଘାଟନ କରିବା ସହ କୃତୀ ଚିତ୍ରଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଜାତି ଚିତ୍ରକଳା ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ଓ ଏହାର ଭୂୟସୀ ପ୍ରଶଂସା କରିଥିଲେ ।

ଓଡ଼ିଶାର ଆଇଟିଡ଼ିଏ ତଥା ମାଇକ୍ରୋପ୍ରୋଜେକଫ ଅଞ୍ଚଳରୁ ବଛାହୋଇ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଲାଭ କରିଥିବା ୧୪୬ଟି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ୧୨୪ ଜଣ ଆଦିବାସୀ ପ୍ରତିଭାଙ୍କ ମଧ୍ୟରୁ ୨୬ ଜଣ କନିଷ୍ଠ ବର୍ଗରେ ଓ ୭୩ ଜଣ ବରିଷ୍ଠ ବର୍ଗ ଚିତ୍ରକଳାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସମସ୍ତ ୧୨୪ ଜଣ କାରିଗର ଓ ଚିତ୍ରଶିଳ୍ପୀ, ଓଡ଼ିଶାର ୨୫ଟି ଜନଜାତି ଗୋଷ୍ଠୀ(ଉପଗୋଷ୍ଠୀ ସମେତ) ପ୍ରତିନିଧିତ୍ୱ କରିଥିଲେ ।

ବରିଷ୍ଠ ବିଭାଗରେ ଚିତ୍ରକଳାରେ ଯୁଗ୍ମ ଭାବରେ ପ୍ରଥମ ପୁରସ୍କାର ରବିନାଥ ଶବର ଓ ଜୁନେଶ ଗମାଙ୍ଗୋ, ଦ୍ୱିତୀୟ ପୁରସ୍କାର ଲିପ୍‌ସା ସମାଦ ଓ ଗୋରେଖ ଚନ୍ଦ୍ର ନାୟକ, ତୃତୀୟ ପୁରସ୍କାର ପରମାନନ୍ଦ କାଇନ୍ଦା ଓ ମାନସ ରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଥିଲା । କନିଷ୍ଠ ବର୍ଗରେ ଚିତ୍ରକଳାରେ ପ୍ରଥମ ପୁରସ୍କାର ଯୁଗ୍ମ ଭାବେ ଉମେଶ କୁମାର ହେମ୍ବ୍ରମ୍‌ ଓ ଲକ୍ଷ୍ମୀ ମାରାଣ୍ଡି, ଦ୍ୱିତୀୟ ପୁରସ୍କାର ଓମ୍‌ ଅଙ୍କିତ୍‌ ବରିହା ଓ ଗୌିତମ ସିଂ ଏବଂ ତୃତୀୟ ପୁରସ୍କାର ସାବିତ୍ରୀ ମାଝୀ ଓ ଅଲୁପା ଶବର ପାଇଥିଲେ ।

ସେହିଭଳି କଳାବସ୍ତୁ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ସମରାଏ ମୁର୍ମୁ ଓ ସାବେନ୍‌ ମାଙ୍କେଡିଆ, ଦ୍ୱିତୀୟ ପୁରସ୍କାର ବସନ୍ତ କୁମାର ହାଂସଦା ଓ ସୁମତି ମହାପାତ୍ର ପାଇଥିଲେ । ତୃତୀୟ ପୁରସ୍କାର ଚନ୍ଦ୍ରସେନ ମାଝୀ ଓ ରିନ୍‌ଡ଼ି ମୁର୍ମୁ ପାଇଥିଲେ । ଏହି ଅବସରରେ ଜନଜାତି ଚିତ୍ରକଳା ଓ କଳାସାମଗ୍ରୀ ପ୍ରତିଯୋଗୀ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଭାଗିତାରେ ଏସ୍‌ସିଏସ୍‌ଟିଆର୍‌ଟିଆଇ, ଓଡ଼ିଶା ସରକାର, ଓଡ଼ିଶାର ଜନଜାତିଙ୍କ ବିରଳ ଚିତ୍ର ଓ କଳାବସ୍ତୁର ପ୍ରଚାର ଓ ପ୍ରସାର ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ନିଜସ୍ୱ ଜ୍ଞାନକୌଶଳ ଆଧାରରେ ଜନଜାତିଙ୍କ ମୌଳିକ ବସ୍ତୁ ସଂସ୍କୃତିର ସଂରକ୍ଷଣ ପାଇଁ ଏହା ଏକ ଅଭିନବ ପ୍ରୟାସ ।

ରାଜ୍ୟସ୍ତରୀୟ ଜନଜାତି ଚିତ୍ରଶିଳ୍ପୀ ଓ କାରିଗରମାନେ ସମ୍ବର୍ଦ୍ଧିତ ହେବା ଫଳରେ ସେମାନଙ୍କର ଖ୍ୟାତି ପ୍ରସାରିତ ହେବ ଓ ସେମାନେ ଜୀବନ ନିର୍ବାହ ପାଇଁ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ । ଏହି ସମାରୋହ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ୍‌ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here