Home News in Odia ଜଙ୍ଗଲ ନିଆଁ ଜଗିବାକୁ କେହି ନାହିଁ

ଜଙ୍ଗଲ ନିଆଁ ଜଗିବାକୁ କେହି ନାହିଁ

ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ନିଆଁ ସମସ୍ୟା ଦିନକୁ ଦିନ ଜଟିଳତର ହେଉଥିବାବେଳେ ବନ ବିଭାଗରେ ଅଧିକରୁ ଅଧିକ ପଦବୀ ଖାଲି ପଡିଯାଉଥିବା ଯୋଗୁଁ ଏହି ସମସ୍ୟାକୁ ସମ୍ଭାଳିବା ସରକାରଙ୍କ ପକ୍ଷରେ କାଠିକରପାଠ ହେଲାଣି । ୫୧ହଜାର ବର୍ଗକିଲୋମିଟରରୁ ଉର୍ଦ୍ଧ୍ୱ ଅଞ୍ଚଳକୁ ଜଗିବାପାଇଁ ଥିବା ବନରକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ।

ରାଜ୍ୟରେ ବନ ସଂରକ୍ଷଣର ଦାୟିତ୍ୱ ମୁଖ୍ୟତଃ ବନରକ୍ଷୀଙ୍କ ହାତରେ ନ୍ୟସ୍ତ ଥିବାବେଳେ ଏହି ପଦବୀରେ ଅର୍ଦ୍ଧାଧିକ ସ୍ଥାନ ଖାଲି ପଡିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫୧,୬୧୮ ବର୍ଗକିଲୋମିଟର ଜଙ୍ଗଲ ପ୍ରଶାସନକୁ ସମ୍ଭାଳିବାପାଇଁ ବିଭିନ୍ନ ବର୍ଗର୧୨,୭୪୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୫ହଜାରରୁ ଅଧିକ ପଦବୀ ଖାଲି ପଡିଛି । ତେବେ ମୋଟ୍‍ ପଦବୀ ମଧ୍ୟରୁ ସର୍ବାଧିକ ୧୦,୩୮୭ ଗ୍ରୁପ ‘ସି’ ପଦବୀ ଥିବାବେଳେ ଏଥିରୁ ୪ହଜାରରୁ ଅଧିକ ପଦବୀ ଖାଲି ।

ବର୍ଷ ବର୍ଷ ଧରି ଏହି ପଦବୀ ଗୁଡିକ ପୂରଣ ହେଉନଥିବାବେଳେ ଅବସରଗ୍ରହଣ ଯୋଗୁଁ ଖାଲି ପଦବୀ ସଂଖ୍ୟା ବଢିବାରେ ଲାଗିଛି । ଏହାଛଡା ଏବେ ବନରକ୍ଷୀମାନଙ୍କର ହାରାହାରି ବୟସ ପ୍ରାୟ ୫୫ରେ ପହଞ୍ଚିଲାଣି ବୋଲି ବନ ବିଶେଷଜ୍ଞମାନେ କହୁଛନ୍ତି । ଯାହା ଫଳରେ କି ଏମାନେ ପୂର୍ବଭଳି ଆଉ ଜଙ୍ଗଲରେ ପଇଁତରା ମାରିବା କଷ୍ଟକର ହୋଇପଡୁଛି ।

ରାଜ୍ୟ ସରକାର ପଦବୀ ପୂରଣ ପାଇଁ ପ୍ରସ୍ତାବ ବିଚାରାଧିନ ରହିଛି ବୋଲି ଘୋଷଣା କରୁଥିବାବେଳେ ପ୍ରକୃତ ପକ୍ଷେ ପଦବୀ ପୂରଣ ପାଇଁ ପୂର୍ବରୁ ଯେଭଳି ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଥିଲା ତାହା ଏବେ ହେଉନାହିଁ ।

ବନରକ୍ଷୀ ପଦବୀ ଧିରେ ଧିରେ ଖାଲି ପଡିଯାଉଥିବାବେଳେ ବନାଞ୍ଚଳକୁ ଲାଗି ରହିଥିବା ପ୍ରାୟ ୨୬ହଜାରରୁ ଅଧିକ ଗାଁରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଜଙ୍ଗଲ ସୁରକ୍ଷା ଯୋଜନାରେ ଯେଭଳି ସକ୍ରିୟ ଭାବରେ ସାମିଲ କରାଯିବାକଥା ତାହା ହେଉନାହିଁ । ଉଦାହରଣ ସ୍ୱରୂପ ଚଳିତବର୍ଷ ମାତ୍ର ୨୮୯୮ଜଣଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ପ୍ରୋତ୍ସାହନରାଶି ପ୍ରଦାନ କରାଯାଇଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ ଭଳି । ବର୍ଷ ପ୍ରତିବର୍ଷ ଜଙ୍ଗଲ ନିଆଁ ରୋକିବାପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତ ହେଉଥିବାବେଳେ କେବେ ସୁଦ୍ଧା ଏହି ୨୬ହଜାର ଗ୍ରାମର ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ ସାମିଲ କରାଯିବ ତାହା ପ୍ରଶ୍ନବାଚୀ ହୋଇଛି ।

ଏହାଛଡା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ରାଜ୍ୟର ବିଭିନ୍ନ ସାମାଜିକ ଯୋଜନାରେ ସାମିଲ ହେଉଥିବାବେଳେ ଜଙ୍ଗଲ ନିଆଁ ରୋକିବାପାଇଁ ଏମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ଗ୍ରହଣ କରାଯାଇ ସେମାନଙ୍କୁ ଜନସଚେତନତା ପାଇଁ ପ୍ରୋତ୍ସାହନରାଶି ଦେବା ସକାଶେ ସରକାରୀ ସ୍ତରରେ ଆଗ୍ରହ ପ୍ରକାଶ ପାଉନାହିଁ । ଗୋଟିଏ ପଟେ ସରକାରୀ ଦପ୍ତରରେ ପଦବୀ ସଂଖ୍ୟା ଖାଲି ପଡୁଥିବାବେଳେ ଅନ୍ୟ ପଟେ ଲୋକମାନଙ୍କୁ ସାମିଲ କରିବାପାଇଁ ସୁନିୟୋଜିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ବନାଗ୍ନି ରୋକିବା ଏବେ ସରକାରଙ୍କ ପକ୍ଷରେ କାଠିକରପାଠ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here